ଓଡ଼ିଶାଲାଇଭ୍ ବ୍ୟୁରୋ

ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିଛନ୍ତି ଭାବର ଠାକୁର। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଶରଧା ବାଲିରେ ରହିଛି ତିନି ରଥ। ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ।

ଆଜି ଅପରାହ୍‌ଣ ପର୍ଯ୍ୟନ୍ତ ତିନିଠାକୁର ରଥ ଉପରେ ରହିବେ। ଅପରାହ୍‌ଣ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ। ଅପରାହ୍‌ଣ ୩ଟାରୁ ୪ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ।

ରଥ ଉପରେ ମଙ୍ଗଳ ଆଳତି ଅବକାଶ ନୀତି ଶେଷ ହେବା ପରେ ତିନିଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି କରାଯିବ। ଆଡ଼ପମଣ୍ଡପରେ ବିଜେ କରିବା ପରେ ଦର୍ଶନ ବନ୍ଦ ରହିବ। ଶନିବାରଠୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ।

ଅଣସର ଘରେ ୧୫ ଦିନ ରହିବା ପରେ ମଙ୍ଗଳବାର ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଭକ୍ତଙ୍କୁ। ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଚାଲିବା ପରେ ରଥଯାତ୍ରା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।

ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ହୋଇଥିବାରୁ ତିନି ରଥ ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଲାଗିଥିଲା। ଭକ୍ତମାନେ ଆନନ୍ଦ ଓ ଉଲ୍ଲାସର ସହ ରଥ ଟାଣିଥିଲେ।

Comment