ଓଡ଼ିଶାଲାଇଭ ବ୍ୟୁରୋ

 ଏଥର ଆଇସିସି କ୍ରିକେଟ ବିଶ୍ଵକପରେ ଏକ ନୂଆ ବିଶ୍ଵ ବିଜେତା ହେବ। ଚଳିତ ବିଶ୍ଵକପର ଫାଇନାଲ ମ୍ୟାଚ ରବିବାର ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ବିଶ୍ଵକପ ଇତିହାସରେ ପୂର୍ବରୁ ଦୁଇ ଦଳ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ବିଜୟୀ ହୋଇ ପାରିନାହାନ୍ତି। ତେବେ ଏହି ବିଶ୍ଵକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରୁ ଯିଏ ବିଜୟୀ ହେବ ଏହା ତା’ର ପ୍ରଥମ ବିଶ୍ଵକପ ହେବ।

କ୍ରିକେଟର ଜନ୍ମ ଇଂଲଣ୍ଡରୁ ହୋଇଥିଲେ ମଧ୍ୟ ଆଜି ଯାଏ ଇଂଲଣ୍ଡ କୌଣସି ବି ବିଶ୍ଵକପକୁ ନିଜ ନାଁରେ କରିପାରିନାହିଁ। ଇଂଲଣ୍ଡ ଦୁଇ ଥର ସେମିଫାଇନାଲରୁ ବିଦା ହୋଇଥିବା ବେଳେ  ୩ଥର ରନର୍ସ ଅପ ହୋଇଛି। ବିଶ୍ଵକପର ପ୍ରଥମ ସଂସ୍କରଣରେ ଇଂଲଣ୍ଡ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲା। ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ୪ ଓ୍ଵିକେଟରେ ପରାସ୍ତ ହୋଇଥିଲା।

ପରେ ଦ୍ଵିତୀୟ ସଂସ୍କରଣରେ ଫାଇନାଲ ଖେଳିଥିଲା ହେଲେ ବିଜୟୀ ହୋଇପାରିନଥିଲା। ଫାଇନାଲରେ ଓ୍ଵେଷ୍ଟଇଣ୍ଡିଜଠାରୁ ୯୨ରନରେ ପରାସ୍ତ ହୋଇଥିଲା। ପୁଣି ତୃତୀୟ ସଂସ୍କରଣରେ ସେମିଫାଇନାରେ ଭାରତଠାରୁ ୬ ଓ୍ଵିକେଟରେ ପରାସ୍ତ ହୋଇଥିଲା। ପୁଣି ୧୯୮୭ ଓ ୧୯୯୨ ବିଶ୍ଵକପରେ ଲଗାତାର ରନର୍ସ ଅପ ହୋଇଥିଲା।

ସେହିପରି ନ୍ୟୁଜିଲାଣ୍ଡ ୬ଥର ସେମିଫାଇନାଲରୁ ବିଦା ହୋଇଥିବା ବେଳେ ଥରେ ରନର୍ସ ଅପ ହୋଇଥିଲା। ବିଶ୍ଵକପ ପ୍ରଥମ ସଂସ୍କରଣ ଓ ଦ୍ଵିତୀୟ ସଂସ୍କରଣରେ ଓ୍ଵେଷ୍ଟଇଣ୍ଡିଜଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲା। ପୁଣି ୧୯୯୨ ଓ ୧୯୯୬  ବିଶ୍ଵକପ ସେମିଫାଇନାଲରେ ପାକିସ୍ତାନଠୁ ପରାସ୍ତ ହୋଇଥିଲା।

୨୦୦୭ ଓ ୨୦୧୧ ବିଶ୍ଵକପ ସେମିଫାଇନାଲରେ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିଲା। ଶେଷରେ ବହୁତ ବର୍ଷ ପରେ ୨୦୧୫ରେ ଫାଇନାଲରେ ପ୍ରବେଶ କରିଥିଲା ହେଲେ ବିଜୟୀ ହୋଇପାରିନଥିଲା।

ଏହି ବିଶ୍ଵକପରେ ଦୁଇ ଦଳ ଫାଇନାଲରେ ପ୍ରଥମ ଥର ମୁହାଁମୁହିଁ ହେବେ ଯିଏ ବିଜୟୀ ହେବ ଏହା ତାହାର ପ୍ରଥମ ବିଶ୍ଵକପ ହେବ।

Comment