ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଫା ବିଶ୍ଵକପ୍ ୨୦୨୨ରେ ସୋମବାର ୩ଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୬-୨ ଗୋଲରେ ଇରାନକୁ ପରାସ୍ତ କରିଛି। ଦ୍ଵିତୀୟ ମ୍ୟାଚରେ ନେଦରଲାଣ୍ଡସ୍ ୨-୦ ଗୋଲରେ ସେନେଗାଲକୁ ପରାସ୍ତ କରିଛି ସେହିପରି ଆମେରିକା ଓ ୱେଲ୍ସ ମଧ୍ୟରେ ତୃତୀୟ ମ୍ୟାଚଟି ୧-୧ ଗୋଲରେ ଡ୍ର ରହିଛି।

ପ୍ରଥମ ମ୍ୟାଚ୍ ଗ୍ରୁପ୍ -ବି ରେ ଇଂଲଣ୍ଡ ଓ ଇରାନ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ପ୍ରଥମରୁ ଆକ୍ରମଣାତ୍ମକ  ଖେଳ ଆରମ୍ଭ କରି ଗୋଲ ବର୍ଷା କରିଥିଲା। ସମ୍ପୂର୍ଣ୍ଣ ୯୦ ମିନିଟ ଯାକ ନିଜର ଆଧିପତ୍ୟ ବଜାୟ ରଖି ୬-୨ ଗୋଲରେ  ମ୍ୟାଚଟିକୁ ଜିତି ନେଇଥିଲା।  ଇଂଲଣ୍ଡ ପକ୍ଷରୁ ଜ୍ୟୁଡ ବେଲିଙ୍ଗହାମ ୩୫ ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଏହାଛଡା ଇଂଲଣ୍ଡ ପକ୍ଷରୁ ବୁକେୟୋ ସାକା ୨ଟି ଏବଂ ରହିମ ଷ୍ଟାର୍ଲିଂ, ମାର୍କସ ରସଫୋର୍ଡ ଓ ଜ୍ୟାକ ଗ୍ରେଲିସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଏହିମ୍ୟାଚରେ ଇରାନ ପକ୍ଷରୁ ମେହେଦି ତାରିମି ୨ଟି ଗୋଲ ଦେଇଥିଲେ।

ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍ -ଏ ରେ ସେନେଗଲ ଓ ନେଦରଲାଣ୍ଡସ୍ ମଧ୍ୟରେ ରାତି ୯ଟା ୩୦ ମିନିଟରେ ଖେଳାଯାଇଥିଲା। ଏହାକୁ ନେଦରଲାଣ୍ଡସ୍ ୨-୦ ଗୋଲରେ ଜିତିଛି । ମ୍ୟାଚରେ ଉଭୟ ଦଳ ବହୁତ ଭଲ ଖେଳି ଶେଷ ପର୍ଯ୍ୟନ୍ତ  ଉଭୟଙ୍କୁ ଗୋଲ କରିବାକୁ ସୁଯୋଗ ଦେଇନଥିଲେ। ଶେଷରେ ନେଦରଲାଣ୍ଡସ୍ ପକ୍ଷରୁ କୋଡି ଗ୍ୟକପୋ ୮୪ ତମ ମିନିଟରେ ପ୍ରଥମଗୋଲ ଦେଇଥିଲେ। ଏହାପରେ ଡେଭୀ କ୍ଲାସେନ ଶେଷ ଗୋଲ ଦେଇଥିଲେ ଓ ନେଦରଲାଣ୍ଡସ୍ ବିଜୟୀ ହୋଇଥିଲା।

ସେହିପରି  ରାତି ୧୨ଟା ୩୦ ମିନିଟରେ ଗ୍ରୁପ୍ -ବି ରେ ଆମେରିକା ଓ ୱେଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚଟି ୧-୧ ଗୋଲରେ ଡ୍ର ରହିଛି । ଏହି ମ୍ୟାଚର ପ୍ରଥମ ଭାଗରେ ଆମେରିକା ପକ୍ଷରୁ ଟିମ୍ ୱ୍ୟେ ୩୬ ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୱେଲ୍ସ ପକ୍ଷରୁ ଗ୍ୟାରଥ ବେଲ ୮୨ ତମ ମିନିଟରେ ଗୋଲ ଦେଇ ମ୍ୟାଚ୍ ବରାବର କରିଦେଇଥିଲେ ।

ମଙ୍ଗଳବାର ଫିଫା ବିଶ୍ଵକପରେ ୪ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍ –ସି ରେ ଆର୍ଜେଣ୍ଟିନା ଓ ସାଉଦି ଆରବ ମଧ୍ୟରେ ଦିନ ୩ଟା ୩୦ ମିନିଟରେ ଖେଳାଯିବ। ଏହାପରେ ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍–ଡି ରେ ଡେନମାର୍କ ଓ ଟ୍ୟୁନେସିଆ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯିବ । ସେହିପରି  ତୃତୀୟ ମ୍ୟାଚଟି ଗ୍ରୁପ୍ – ସି ରେ ମେକ୍ସିକୋ ଓ ପୋଲାଣ୍ଡ ମଧ୍ୟରେ ରାତି ୯ଟା ୩୦ ମିନିଟରେ ଏବଂ ଚତୁର୍ଥ ମ୍ୟାଚ ଗ୍ରୁପ୍ –ଡି ରେ ଫ୍ରାନ୍ସ ଓ ଅଷ୍ଟ୍ରେଲିଆ  ମଧ୍ୟରେ ରାତି ୧୨ଟା ୩୦ ମିନିଟରେ ଖେଳାଯିବ।

Tags: #FIFAWorldCup2022 #Qatar #England #Netherlands #Football #FIFA #OdishaLive #Sports

Comment