ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ଟ୍ରିପଲ ମର୍ଡର। ରବିବାର ସନ୍ଧ୍ୟାରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ। ପଟ୍ଟନାୟିକିଆ ଛକରେ ଗୋଟିଏ ପରିବାରର ତିନି ଜଣଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିବା ଜଣାପଡ଼ିଛି।
ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ହତ୍ୟାକାଣ୍ଡ କେମିତି ହେଲା ତାର ତଦନ୍ତ କରୁଛି।
ଏପଟେ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ପଟ୍ଟନାୟିକିଆ ଛକରେ ରାଜରାସ୍ତାକୁ ଚାଲି ଆସିଛନ୍ତି। ଫଳରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଦୁର୍ବୃତ୍ତମାନେ ଖଣ୍ଡା ଓ ଫାର୍ଶାରେ ଗୋଡ଼ାଇ ଗୋଡ଼ାଇ ହାଣିଥିବା ପ୍ରତ୍ୟକ୍ଷଦର୍ଶିମାନେ କହୁଛନ୍ତି।
ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପବିତ୍ର ରଥଯାତ୍ରାକୁ ନେଇ ପୁରୀ ଉତ୍ସବମୁଖର ହୋଇଯାଇଥିବା ବେଳେ ପଟ୍ଟନାୟିକିଆ ଛକରେ ଏଭଳି ନିର୍ମମ ହତ୍ୟାକାଣ୍ଡ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।


















