ଓଡ଼ିଶାଲାଇଭ୍ ବ୍ୟୁରୋ

ସୋଆରେ ପ୍ରତିଷ୍ଠା ହେବ ଐତିହ୍ୟ-ସଂସ୍କୃତି ପୁନଃରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର କେନ୍ଦ୍ର।

ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିର ପୁନଃରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଏକ କେନ୍ଦ୍ର ଖୋଲାଯିବ। ବିଶ୍ୱବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସରେ ଏହା ଘୋଷଣା କରାଯାଇଛି।

ଏହାର ନାମ ‘ସୋଆ ଐତିହ୍ୟ ଏବଂ ସଂସ୍କୃତି ପୁନଃରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର କେନ୍ଦ୍ର’ (ସୋଆ ସେଣ୍ଟର ଫର୍ ରେଷ୍ଟୋରେସନ୍, ପ୍ରିଜର୍ଭେସନ୍ ଆଣ୍ଡ ପ୍ରୋପାଗେସନ୍ ଅଫ୍ ହେରିଟେଜ୍ ଆଣ୍ଡ କଲ୍ଚର୍) ରଖାଯିବ ବୋଲି ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି।

ସୋଆ କୁଳପତି କହିଛନ୍ତି, ‘‘ରାଜ୍ୟର ପରମ୍ପରା ଏବଂ ସଂସ୍କୃତିକୁ ସଂରକ୍ଷଣ କରାଯିବା ସହ ଏହାର ଐତିହ୍ୟକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ସେହିପରି ପ୍ରାଚୀନ ଭାଷା ଓ ସାହିତ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଏହି ନୂଆ କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ରହିବ। ଏଥିପାଇଁ ରାଜ୍ୟର ପ୍ରଖ୍ୟାତ ଶିକ୍ଷାବିତ ଏବଂ ବିଶେଷଜ୍ଞମାନଙ୍କର ସହଯୋଗ ନିଆଯିବ।’’

ସୋଆର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ୟାମ୍ପସରେ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିନ୍, ବରିଷ୍ଠ ଅଧିକାରୀ ଏବଂ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ପ୍ରଫେସର ବାନାର୍ଜୀ କହିଥିଲେ ଯେ ଗତ ମେ ୩ରେ ଘଟିଯାଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଉପକୂଳ ଓଡ଼ିଶାର ସବୁଜିମାକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିବା ପରିପ୍ରେକ୍ଷୀରେ ଏହି ସବୁଜିମାକୁ ପୁଣି ଥରେ ଉଜ୍ଜୀବିତ କରିବାର ଆବଶ୍ୟକତା ରହିଛି।

ସୋଆର ବିଭିନ୍ନ କ୍ୟାମ୍ପସ୍‌ରେ ଡିନ୍, ଫ୍ୟାକଲ୍ଟି, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଚାରା ରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ।

କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପରିଚାଳିତ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ରାଙ୍କିଂ ଫ୍ରେମ୍‌ଓ୍ୱାର୍କ (ଏନ୍ଆଇଆରଏଫ) ତାଲିକାରେ ବିଶ୍ୱବିଦ୍ୟାଳୟ କାଟାଗୋରିରେ ସୋଆ ଦେଶରେ ୨୪ତମ ସ୍ଥାନ ହାସଲ କରିଛି।

LEAVE A REPLY

Please enter your comment!
Please enter your name here