ଓଡ଼ିଶାଲାଇଭ୍ ବ୍ୟୁରୋ

ବିର୍ଲା ଗ୍ଲୋବାଲ ୟୁନିଭର୍‌ସିଟି (ବିଜିୟୁ) ସୋସିଆଲ ସାଇନ୍ସ ଆଣ୍ଡ ହ୍ୟୁମାନିଟିଜ୍‌ ବିଭାଗର କମେନ୍ସମେଣ୍ଟ ଡେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ନୂଆକରି ପ୍ରବେଶ କରିଥିବା ଅର୍ଥନୀତି ପାଠ୍ୟକ୍ରମର ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବୋର୍ଡ ଅଫ୍ ରେଭନ୍ୟୁର ପୂର୍ବତନ ସଦସ୍ୟ ସଞ୍ଜୀବ ଚନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ଅର୍ଥନୀତିର ଇତିହାସକୁ ମନେପକାଇଥିଲେ।

“ଅର୍ଥନୀତି ପାଇଁ ଉନବିଂଶ ଶତାବ୍ଦୀ ଥିଲା ସ୍ୱର୍ଣ୍ଣିମ ସମୟ। ଏହି ସମୟରେ ଅର୍ଥନୀତିରେ ଅନେକ ସଂସ୍କାର ଆସିଥିଲା। ବିଂଶ ଶତାବ୍ଦୀରେ ହୋଇଥିବା ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ  ଅର୍ଥନୀତି ଉପରେ ବେଶ୍ ପ୍ରଭାବ ପକାଇଥିଲା। ୧୯୯୧ ମସିହାରେ ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଉଦାରୀକରଣ ନୀତି ଭାରତର ଅର୍ଥନୀତି ପାଇଁ ବେଶ୍ ସହାୟକ ହୋଇପାରିଥିଲା,’’ କହିଥିଲେ ସଞ୍ଜୀବ ଚନ୍ଦ୍ର ହୋତା।

ମୁଖ୍ୟବକ୍ତା ଭାବେ ୱାଟର ହାଉସର ଡିରେକ୍ଟର ହିମାଂଶୁ ମହାନ୍ତି କହିଥିଲେ, “ଅର୍ଥନୀତି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହି ବିଷୟକୁ ଭଲଭାବେ ବୁଝି ଛାତ୍ରଛାତ୍ରୀମାନେ ଆଗକୁ ବଢ଼ିବା ଦରକାର। ଆମ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଅର୍ଥନୀତି ବେଶ୍ ସହାୟକ ହୋଇପାରିଛି। ସବୁ ସମସ୍ୟାର ସମାଧାନ କରି ଅର୍ଥନୀତି ଆଗକୁ ବଢ଼ିବାକୁ ବାଟ ଦେଖାଇଥାଏ।”

ସମ୍ମାନିତ ଅତିଥି ଭାବେ ଡକ୍ଟର ପରାଗ ଦିୱାନ ଯୋଗଦେଇ କହିଥିଲେ, “ବର୍ତ୍ତମାନର ଯୁବପିଢ଼ି ‘ସେଆର ଇକୋନମିକ୍ସ’ରେ ବିଶ୍ୱାସ ରଖୁଛନ୍ତି। ଏହା ଆମ ଦେଶର ଅର୍ଥନୈତିକ ଉନ୍ନତି ସାଧନରେ ସହାୟକ ହୋଇପାରୁଛି। ଗତ ୫ରୁ ୧୦ବର୍ଷ ମଧ୍ୟରେ ଅର୍ଥନୀତିରେ ବେଶ୍ ପରିବର୍ତ୍ତନ ଦେଖାଦେଇଛି। ଏହା ରାଷ୍ଟ୍ର ନିର୍ମାଣରେ ସହାୟକ ହେବ।”

ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସୁଧାକର ପଣ୍ଡା ଛାତ୍ରଛାତ୍ରୀଙ୍କୁ କହିଥିଲେ, “କଠିନ ପରିଶ୍ରମ ହିଁ ତୁମକୁ ସଫଳତା ଦେଇପାରିବ। ଜୀବନରେ ସବୁ ପ୍ରତିବନ୍ଧକକୁ ଚାଲେଞ୍ଜ ଭାବେ ଗ୍ରହଣ କରିବାକୁ ପଡ଼ିବ।”

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ବି କେ ଦାସ, ବିର୍ଲା ସ୍କୁଲ ଅଫ୍ କମର୍ସର ଡିନ୍‌ ସାମସନ୍ ମହାରଣା, ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍‌ ପ୍ରଫେସର ପରମେଶ୍ୱର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଅର୍ଥନୀତି ବିଭାଗର କମେନ୍ସମେଣ୍ଟ ଡେ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା। ବିର୍ଲା ୟୁନିଭରସିଟିର କ୍ୟାମ୍ପସ୍ ପାଠପଢା ପାଇଁ ବେଶ୍ ଉପଯୋଗୀ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ।

ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ବିବିଏ-ଏଲ୍ଏଲବି ସହ ଏମବିଏ, ଜର୍ଣ୍ଣାଲିଜମ ଭଳି ପେସାଦାର ପାଠ୍ୟକ୍ରମ ମଧ୍ୟ ରହିଛି। ଏହାସହ ସୋସିଆଲ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍‌ ଏବଂ କମର୍ସ ଆଦି ବିଭାଗରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଉଛି।

Comment