ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶେଷରେ ଜାମିନ ପାଇଲେ ବାବା ସାରଥୀ। ଚାରି ବର୍ଷର ନ୍ୟାୟିକ ଲଢ଼େଇ ପରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ତିନୋଟି ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଏବେ ଅପେକ୍ଷା ବାବା ସାରଥୀ ଜେଲ୍‌ରୁ ମୁକୁଳିବା ପରେ କ’ଣ କରୁଛନ୍ତି? କେନ୍ଦ୍ରାପଡ଼ାରେ ବାବା ପୁଣି ତାଙ୍କ ସାମ୍ରାଜ୍ୟ ଚଳାଉଛନ୍ତି ନା ସନ୍ତୋଷ ରାଉଳ ହୋଇ ସାଧାରଣ ଜୀବନ ଅତିବାହିତ କରୁଛନ୍ତି ତା’ ଉପରେ ହିଁ ସମସ୍ତଙ୍କ ନଜର।

ସନ୍ତୋଷ ରାଉଳ କେମିତି ହେଲେ ବାବା ସାରଥୀ?

ପିଲା ଦିନର ନାଁ ଥିଲା ସନ୍ତୋଷ ରାଉଳ। ଗଞ୍ଜାମ ଜିଲ୍ଲାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ପିଲାଦିନ କଟିଥିଲା କେନ୍ଦ୍ରାପଡ଼ାରେ। ତାଙ୍କ ବାପା ଏଠାରେ ମିଟର ରିଡର କାମ କରୁଥିବାରୁ ସନ୍ତୋଷଙ୍କ ପରିବାର କେନ୍ଦ୍ରାପଡ଼ାରେ ହିଁ ରହି ଯାଇଥିଲେ। ଗୁଲନଗର ହାଇସ୍କୁଲରୁ ମାଟ୍ରିକ ଶିକ୍ଷା ଶେଷ କରିବା ପରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ସନ୍ତୋଷ। କିନ୍ତୁ ଅର୍ଥ ଅଭାବରୁ ସେ କଲେଜ ପାଠ ପଢ଼ି ପାରି ନଥିଲେ। ଅଧାରୁ କଲେଜ ପାଠ ଛାଡ଼ି ଦେଇଥିଲେ ସେ।

୧୯୮୫ରୁ ହଠାତ୍ କେନ୍ଦ୍ରାପଡ଼ାରୁ ଗାଏବ ହୋଇ ଯାଇଥିଲେ ସନ୍ତୋଷ। ସେ ବାହାରେ ରହି କୌଣସି ଏକ ଦୋକାନରେ କାମ କରୁଥିବା ଶୁଣିବାକୁ ମିଳିଥିଲା।

୬ ବର୍ଷ ପରେ ଅର୍ଥାତ୍ ୧୯୯୨ରେ ସନ୍ତୋଷ ରାଉଳ କେନ୍ଦ୍ରାପଡ଼ା ଫେରିଥିଲେ। କେନ୍ଦ୍ରାପଡ଼ା-ଇନ୍ଦୁପୁର ରୋଡ୍‌ର ବାରିମୂଳଠାରେ ଆଶ୍ରମ ପ୍ରତିଷ୍ଠା କରି ସନ୍ତୋଷ ରାଉଳରୁ ବାବା ସାରଥୀ ପାଲଟି ଯାଇଥିଲେ।

ବାବା ପାଲଟିଲେ ଷ୍ଟାର

ସନ୍ତୋଷ ରାଉଳ ବାବା ସାରଥୀ ପାଲଟିବା ପରେ ଚଳଚଞ୍ଚଳ ହୋଇ ଉଠିଥିଲା ବାରିମୂଳ ଆଶ୍ରମ। ପ୍ରତି ସନ୍ଧ୍ୟାରେ ବସୁଥିବା ସାରଥୀଙ୍କ ଦରବାର। ସତ୍‌ସଙ୍ଗ ଚାଲୁଥିଲା। ଏହି ସତ୍‌ସଙ୍ଗରେ ଯୋଗ ଦେବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟୁଥିଲା। ଖାଲି ସେତିକି ନୁହେଁ, ସତ୍‌ସଙ୍ଗରେ ସାରଥୀ ଦେଉଥିବା ପ୍ରବଚନକୁ ଏକ ଘରୋଇ ଟିଭି ଚ୍ୟାନେଲ ସିଧାପ୍ରସାରଣ କରି ଲୋକଙ୍କ ପାଖରେ ପହଞ୍ଚାଇଲା। ବାବାଙ୍କ ପ୍ରବଚନ ଲୋକଙ୍କୁ ଆକର୍ଷିତ କଲା। ଲୋକେ ବିଶ୍ୱାସର ସହ ବାରିମୂଳ ଆଶ୍ରମ ଆସିଲେ। ଶେଷରେ ସାରଥୀ ଷ୍ଟାର ବନିଗଲେ।

ହେଲେ ବେଶୀଦିନ ତିଷ୍ଠି ନଥିଲା ବାବାଙ୍କ ସାମ୍ରାଜ୍ୟ। ୨୦୧୫ରେ ସାରଥୀଙ୍କର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିଥିଲା। ଷ୍ଟାରରୁ ବାବା ଭିଲେନ୍ ପାଲଟିଗଲେ ଏବଂ ଶେଷରେ ଜେଲ୍ ଗଲେ।

କେମିତି ଫସିଲେ?

ଚୋର ଘର ଅନ୍ଧାର ନୁହେଁ। ଏହା ବାବା ସାରଥୀଙ୍କ କ୍ଷେତ୍ରରେ ଅକ୍ଷରେ ଅକ୍ଷରେ ଘଟିଥିଲା। ବାବା ନାଁରେ ସେ ଯେଉଁ କେଳେଙ୍କାରୀ କରୁଥିଲେ ତାର ପରଦାଫାଶ ହୋଇଥିଲା ୨୦୧୫ରେ। ବାବା ଫସିଥିଲେ।

୨୦୧୫ ଅଗଷ୍ଟ ୪ ତାରିଖ। ବାବା ସାରଥୀ ହଠାତ ଆବିର୍ଭାବ ହୋଇଥିଲେ ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ। ବାରିମୂଳ ଆଶ୍ରମରେ ଗଳାରେ ଫୁଲମାଳ, ମୁହଁରେ ପାଉଡର, ମଥାରେ ତିଳକ ଏବଂ ଦେହରେ ପାଟ ବସ୍ତ୍ର କରିଧାନ କରି ଭକ୍ତମାନଙ୍କୁ ପ୍ରବଚନ ଦେଉଥିବା ସାରଥୀଙ୍କୁ ଅଗଷ୍ଟ ୪ରେ ଗୋଲକୁଣ୍ଡା ହୋଟେଲରେ ରଙ୍ଗିନ ବେଶଭୂଶାରେ ଦେଖିବାକୁ ମିଳିଥିଲା।

ଜିନ୍ ପ୍ୟାଣ୍ଟ ସାଙ୍ଗକୁ ଟି ସାର୍ଟ ପିନ୍ଧି ବାବା ଜଣେ ଯୁବତୀଙ୍କ ସହ ହୋଟେଲରେ ଅଏସ କରୁଥିବା ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିବାଦରେ ଛନ୍ଦି ହୋଇଯାଇଥିଲେ ସାରଥୀ। ଏହି ଭିଡିଓକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏପରିକି କେନ୍ଦ୍ରାପଡ଼ାର ବାରିମୂଳ ଆଶ୍ରମରେ ସାରଥୀଙ୍କ ଭକ୍ତ ଏବଂ ସାଧାରଣ ଲୋକ ମୁହାଁମୁହିଁ ହୋଇଥିଲେ। ଶେଷରେ ସାରଥୀ ଆଶ୍ରମର ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା।

ଆଶ୍ରମରେ ପ୍ରବଚନ ନାଁରେ ବାବା କେମିତି କେଳେଙ୍କାରୀ କରୁଥିଲେ ତାର କାରନାମା ଧରିପଡ଼ିଥିଲା।

ଶୂନ୍ୟରୁ ବିଭୂତି, ସିମେଣ୍ଟ ଗାଈରୁ କ୍ଷୀର!

ସନ୍ତୋଷ ରାଉଳରୁ ବାବା ସାରଥୀ ହେବା ଯେମିତି ଭକ୍ତମାନଙ୍କ ପାଇଁ ରହସ୍ୟମୟ ହୋଇ ରହିଥିଲା ଠିକ୍ ସେମିତି ବାରିମୂଳ ଆଶ୍ରମରେ ଘଟୁଥିବା ସବୁ ଅଭୁତ ଘଟଣା ମଧ୍ୟ ଲୋକଲେଚନକୁ ଆସୁଥିଲା। ଆଧ୍ୟାତ୍ମିକତା ନାଁରେ ବାବା ଭକ୍ତମାନଙ୍କ ବିଶ୍ୱାସ ସହ ଖେଳ ଖେଳିଥିବା ଅଭିଯୋଗ ହୋଇଥିଲା।

ବାବା କୁଆଡ଼େ ଶୂନ୍ୟରୁ ବିଭୂତି ଏବଂ ସିମେଣ୍ଟ ଗାଈରୁ କ୍ଷୀର ବାହାର କରୁଥିବା ତାଙ୍କ ତଥାକଥିତ ଭକ୍ତମାନେ ପ୍ରଚାର କଲେ। ଏହି ବିଭୂତି ବଳରେ ବାବା ବହୁ ଦୂରାରୋଗକୁ ଭଲ କରୁଥିବା ପ୍ରଚାର ହୋଇଥିଲା। ଏହାକୁ ବିଶ୍ୱାସ କରି ଲକ୍ଷ ଲକ୍ଷ ଭକ୍ତ ସାରଥୀ ଆଶ୍ରମକୁ ଛୁଟୁଥିଲେ।

ଖାଲି ସେତିକି ନୁହେଁ, ଜନ୍ମାଷ୍ଟମୀ ତିଥିରେ ବାବା ଆଣ୍ଠୁଆ ଗୋପାଳ ସାଜି ନାରୀମାନଙ୍କୁ ଯୌନ ଶେଷଣ କରୁଥିବାର ଅଭିଯୋଗ ହୋଇଥିଲା।

ବନ୍ଧା ହେଲେ ସାରଥୀ

ବିଭିନ୍ନ ଗଣମାଧ୍ୟମରେ ସାରଥୀଙ୍କ କେଳେଙ୍କାରୀ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକ ସମ୍ମିଳନୀ କରି ସାରଥୀ ନିଜେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କୁ ଫସାଇବା ପାଇଁ କିଛି ଲୋକ ଚକ୍ରାନ୍ତ କରିଥିବା ସେ ଯୁକ୍ତି ବାଢ଼ିଥିଲେ। ହେଲେ ସାରଥୀଙ୍କ ଏହି ଯୁକ୍ତିକୁ ଗ୍ରହଣ କରି ନଥିଲେ ସାଧାରଣ ଲୋକେ। ବାବାଙ୍କ ଆଶ୍ରମରେ ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ। ସାଧାରଣ ଲୋକେ ଏବଂ ଭକ୍ତଙ୍କ ମଧ୍ୟରେ ବାରିମୂଳରେ ଖଣ୍ଡଯୁଦ୍ଧ ହୋଇଥିଲା। ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ।

କ୍ରାଇମବ୍ରାଞ୍ଚ ଟିମ୍‌ ବାରିମୂଳରେ ପହଞ୍ଚି ତଦନ୍ତ କରିଥିଲେ। ଶେଷରେ ଅଗଷ୍ଟ ୮ରେ ସାରଥୀ ଗିରଫ ହୋଇଥିଲେ।

ସାରଥୀଙ୍କ ନାଁରେ ଭାରତୀୟ ପେନାଲ କୋଡ୍‌ ଧାରା ୪୨୦ (ଠକେଇ), ୧୨୦ ବି (ଅପରାଧିକ ଷଡ଼ଯନ୍ତ୍ର) ଏବଂ ୩୪୧ରେ ମାମଲା ରୁଜୁ କରାଯାଇଥିଲା।

ଚର୍ଚ୍ଚାରେ ତତ୍କାଳୀନ କେନ୍ଦ୍ରାପଡ଼ା ଏସ୍‌ପି ଗଜଭିୟେ

ସାରଥୀଙ୍କ କଳା କାରନାମା ପଦାରେ ପଡ଼ିବା ପରେ ବାରିମୂଳରେ ଉତ୍ତେଜନା ଦେଖାଦେଇଥିଲା। ବେଆଇନ ସାରଥୀ ଆଶ୍ରମ ଭାଙ୍ଗିବା ପାଇଁ ସାଧାରଣ ଲୋକେ ଦାବି କରିଥିଲେ। ଚାରିଆଡ଼େ ବିକ୍ଷୋଭର ନିଆଁ ଜଳିଥିଲା। ସାରଥୀ ଭକ୍ତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଆଶ୍ରମକୁ ଢେଲା, ପଥର ମାଡ଼ କରିଥିଲେ। କିନ୍ତୁ ସେତେବେଳେ ଆଶ୍ରମକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ କେନ୍ଦ୍ରାପଡ଼ା ଏସ୍‌ପି ସତୀଶ ଗଜଭିୟେ ଆଗେଇ ଆସିଥିଲା ଅଭିଯୋଗ ହୋଇଥିଲା। ଆଶ୍ରମକୁ ସୁରକ୍ଷା ଦେବା ପାଇଁ ଏସ୍‌ପି ଅଧିକ ପୋଲିସ ଫୋର୍ସ ମୁତୟନ କରିବା ସହ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ ଏବଂ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା। ଏସ୍‌ପିଙ୍କର ଏହି କାର୍ଯ୍ୟକଳାପ ସେନ୍ଦହଘେରକୁ ଆସିଥିଲା। ସାରଥୀ ଗିରଫ ହେବା ପରେ ଗଜଭିୟେ ମଧ୍ୟ କେନ୍ଦ୍ରାପଡ଼ାରୁ ବଦଳି ହୋଇଥିଲେ। ଗଜଭିୟେ ସାରଥୀଙ୍କ ବାୟୁ ଛାୟା ତଳେ ରହିଥିବାରୁ ସେ ଆଶ୍ରମକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଥିଲା।

ରଙ୍ଗିନ ଦୁନିଆରେ ସାରଥୀ

ବାବା ଭାବେ ଚାରିଆଡ଼େ ପରିଚୟ ହାସଲ କରିବା ପରେ ସାରଥୀ ରଙ୍ଗିନ ଦୁନିଆରେ ପ୍ରବେଶ କରିଥିଲେ। ସାରଥୀ ସଙ୍ଗୀତ ଓ ପ୍ରବଚନ କ୍ୟାସେଟ ପ୍ରସ୍ତୁତ କରି ବାଜାରକୁ ଛଡ଼ାଗଲା। ଏହାର ଦାୟିତ୍ୱରେ ରହିଥିଲେ ସାରଥୀଙ୍କ ପୋଷ୍ୟ ପୂତ୍ର କୁହାଯାଉଥିବା ସତ୍ୟମ।

ସତ୍ୟମ ନାଁରେ ରହିଥିଲା ପ୍ରଡକ୍ସନ ହାଉସ୍। କିନ୍ତୁ ଏହାକୁ ବୁଝାସୁଝା କରୁଥିଲେ ସାରଥୀଙ୍କ ଭାଇ ଦେବେନ୍ଦ୍ର ରାଉଳ। ଦେବେନ୍ଦ୍ର ମୁମ୍ବାଇରୁ ଫିଲ୍ମରେ ଅଭିଜ୍ଞତା ନେଇ ଫେରିଥିବାରୁ ସାରଥୀ ତାଙ୍କୁ ଏହି କାମରେ ନିୟୋଜିତ କରିଥିଲେ। ସିଡି କ୍ୟାସେଟ୍‌ ପରେ ବାବା ଓଲିଉଡରେ ଏଣ୍ଟ୍ରି କରିଥିଲେ। ସତ୍ୟମ ପ୍ରଡକ୍ସନ ବ୍ୟାନରରେ ଓଡ଼ିଆ ଫିଲ୍ମ ‘ବ୍ୟାଚେଲର’ ତିଆରି କରି ବାବା ବ୍ୟବସାୟ କରିଥିଲେ।

ଦୀର୍ଘ ଚାରି ବର୍ଷ ପରେ ବାବା ଜେଲରୁ ମୁକୁଳିବେ। ସାରଥୀ ଜେଲରୁ ଆସୁଥିବା ଖବର ପାଇ ତାଙ୍କ ଭକ୍ତମାନେ ଖୁସି। ହେଲେ ସାରଥୀ ଜେଲରୁ ମୁକୁଳିବା ପରେ ବାରିମୂଳ ଆଶ୍ରମ ଆସିବେ ନାଁ କୁଆଡ଼େ ଯିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Comment