ଓଡ଼ିଶାଲାଇଭ୍‌ ବ୍ୟୁରୋ

social app

ଆମେ ଆଜିକାଲି ଯେଉଁ ସମୟ ଦେଇ ଗତି କରୁଛୁ ଏଠାରେ ସୋସିଆଲ୍ ମିଡିଆ, ଡିଜିଟାଲ ହେବା କିମ୍ବା ଆପଗୁଡ଼ିକ ଉପରେ ନିର୍ଭର କରିବା ଆଉ ସଉକ ହୋଇ ରହିନାହିଁ, ଆବଶ୍ୟକତା ପାଲଟିଯାଇଛି। କିନ୍ତୁ ଆପଣଙ୍କର ଏହି ଆବଶ୍ୟକତାର ଫାଇଦା ସୋସିଆଲ୍ ମିଡିଆ ଉଠାଉଛି କି? ଏହା ଆପଣଙ୍କର ଗୋପନୀୟତାରେ ଦଖଲ ଦେଉନାହିଁ ତ? ଏହାଦ୍ୱାରା ଆପଣଙ୍କର ଡାଟା ଲିକ୍ ହେଉଛି କି ଏପରି କଥା ପ୍ରତି ଦୃଷ୍ଟି ଦିଅନ୍ତୁ।

social media

ହ୍ୱାଟସ୍ଆପ୍: ଏହା ଆଜିକାଲିର ସବୁଠୁ ଲୋକପ୍ରିୟ ଆପ୍। ଗୋଟିଏ ସମୟରେ ଏହାକୁ ଖୁବ୍ ସୁରକ୍ଷିତ ବୋଲି ମନେ କରାଯାଉଥିଲା। କିନ୍ତୁ ଫେସବୁକ୍ ଏହାକୁ ଟେକଓଭର କରିବା ପରେ ଏହାର ନୂଆ ସର୍ତ୍ତାବଳୀରେ କୁହାଯାଇଛି ଯେ ଏହା ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ନିଜର ମୂଳ କଂପାନି ଫେସବୁକ୍ ସହ ସେୟାର କରିପାରିବ। ତେଣୁ ହ୍ୱାଟସଆପରେ ଡାଟା ପଠାଉଥିଲେ ସେଥିପ୍ରତି ସତର୍କ ରୁହନ୍ତୁ।

facebook

ଫେସବୁକ୍: ଫେସବୁକ୍ ଘରେ ଘରେ ପରିଚିତ ସବୁଠୁ ଲୋକପ୍ରିୟ ସୋସାଲ ମିଡିଆ ପ୍ଲାଟଫର୍ମ। ତେବେ ଫେସବୁକ୍ରେ କେତେଗୁଡ଼ିଏ ଆପ୍ସ ରହିଛି, ଯାହାକି ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ଚୋରାଇଥାଏ। ଆପଣ କେଉଁଠାକୁ ଯାଉଛନ୍ତି, କାହା ସହ ଫଟୋ ଉଠାଉଛନ୍ତି, ସେୟାର କରୁଛନ୍ତି ଇତ୍ୟାଦି। ଏଥିରୁ ରକ୍ଷା ପାଇବା ଲାଗି ଆପଣ ନିଜର ସେଟିଙ୍ଗ୍ସକୁ ଯାଇ ଏଭଳି ଆପ୍ସକୁ ଆକ୍ସେସ୍ ଦେବାର ଅବସନ୍କୁ ଅଫ୍ କରନ୍ତୁ। ସେହିଭଳି ଫେସବୁକ୍ରେ ଫେସ୍ ରିକଗ୍ନିସନ୍ ଫିଚର ବ୍ୟବହାର ହୋଇଥାଏ। ଏହାଦ୍ୱାରା ଆପଣଙ୍କର ବନ୍ଧୁ ବା ଆପଣ ଆପେ ଆପେ ଟ୍ୟାଗ୍ ହୋଇଯାଇଥାନ୍ତି। ଏଭଳି ଟ୍ୟାଗିଂକୁ ଏଡ଼ାଇ ଯାଆନ୍ତୁ।

google

ଗୁଗଲ୍: ଗୁଗଲର ଲୋକପ୍ରିୟତା ଆଜିକାଲି ଏତେ ବଢ଼ିଯାଇଛି ଯେ ଆମେ ଆମ ଜୀବନର ଅଧିକାଂଶ ପ୍ରଶ୍ନର ସମାଧାନ ଗୁଗଲରେ ଖୋଜୁଛୁ। ଏହା ଆମକୁ ବହୁ ପରିମାଣରେ ସାହାଯ୍ୟ ମଧ୍ୟ କରୁଛି। କିନ୍ତୁ ଯଦି ଆପଣ ଆପଣଙ୍କର ଲୋକେସନ୍ ଟ୍ରାକ୍ ଅନ୍ ରଖିଥାନ୍ତି ତା’ ହେଲେ ଆପଣ କେଉଁଠାକୁ ଯାଉଛନ୍ତି, କ’ଣ କରୁଛନ୍ତି ସେ ସଂପର୍କରେ ବିସ୍ତୃତ ତଥ୍ୟ ଗୁଗଲ୍ ଷ୍ଟୋର କରିଥାଏ। ଆପଣ ଆପଣଙ୍କର ଡିଭାଇସ୍ରେ ଯାହାବି ସର୍ଚ୍ଚ କରନ୍ତି, ସେ ତଥ୍ୟ ଗୁଗଲ୍ ଷ୍ଟୋର କରେ। ଜିମେଲ୍ ସହ ଜଡ଼ିତ ସମସ୍ତ ତଥ୍ୟ, ୟୁଟ୍ୟୁବରେ ଆପଣ କ’ଣ ଦେଖିବାକୁ ପସନ୍ଦ କରନ୍ତି, କେଉଁ ସପିଂ ସାଇଟ୍ରୁ ଜିନିଷପତ୍ର କିଣନ୍ତି ଇତ୍ୟାଦି ତଥ୍ୟକୁ ଗୁଗଲ ରଖିଥାଏ। ସେଥିପାଇଁ ଆପଣଙ୍କୁ ସେହି ସଂପର୍କିତ ବିଜ୍ଞାପନ ଦେଖିବାକୁ ମିଳିଥାଏ। ସେହିପରି ଗୁଗଲ ପ୍ରାଇଭେସୀ ପଲିସି ଅନୁସାରେ ତାହା ଆପଣଙ୍କର ତଥ୍ୟକୁ ପାର୍ଟନରମାନଙ୍କ ସହ ସେୟାର କରିପାରିବ ବୋଲି ପ୍ରାବଧାନ ରହିଛି। ତେଣୁ ଆଗକୁ ଗୁଗଲ ବ୍ୟବହାର ସମୟରେ ସତର୍କ ରୁହନ୍ତୁ।

pubg

ଅନଲାଇନ୍ ଗେମ୍ସ‌୍:

ଆଜିକାଲି ଯୁବପିଢ଼ି ତ ଅନଲାଇନ୍ ଗେମ୍ସ ମାୟାରେ ପାଗଳ। କିନ୍ତୁ ଅନଲାଇନ୍ ଗେମ୍ସ ଖେଳୁଥିଲେ ସତର୍କ ରହିବା ଜରୁରୀ। କାରଣ ଏପରି ଗେମ୍ଗୁଡ଼ିକ ପଛରେ ବିଭିନ୍ନ ଦେଶର ଗୁଇନ୍ଦା ରହିଥାନ୍ତି, ଯେଉଁମାନେ କି ଆପଣଙ୍କର ଗୋପନୀୟ ତଥ୍ୟ ଚୋରାଇ ନେଇଥାନ୍ତି।

ଆପ୍ସ: ଆଜିକାଲି ଲୋକମାନଙ୍କ ମୋବାଇଲ୍ରେ ବିଭିନ୍ନ ପ୍ରକାର ଆପ୍ସ ଡାଉନଲୋଡ୍ ହୋଇ ରହୁଛି। ସେ କାର୍ ଭଡ଼ାରେ ନେବା ହେଉ ବା ଅନ୍ୟ କିଛି ଆପ୍ସ ଆପଣଙ୍କୁ ଆପଣଙ୍କର କ୍ୟାମେରା ଏବଂ ମାଇକ୍ରୋଫୋନର ଆକ୍ସେସ୍ ମାଗିଥାନ୍ତି। ଏପରିସ୍ଥଳେ ସାବଧାନ ରୁହନ୍ତୁ। କାରଣ ମାଇକ୍ରୋଫୋନର- ଆକ୍ସସେସ୍ ଆପଣଙ୍କର ଗୋପନୀୟ କଥାକୁ ପ୍ରଘଟ କରିବାର ଆଶଙ୍କା ଥାଏ।

data secure

କିଭଳି ଡାଟାକୁ ସୁରକ୍ଷିତ ରଖିବେ
ଏପରି କିଛି ଟୁଲ୍ସ ରହିଛି ଯାହାର ବ୍ୟବହାର କରି ଆପଣ ସୁରକ୍ଷିତ ରହିପାରିବେ। ବିପିଏନ୍ ଅର୍ଥାତ୍ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ ହେଉଛି ସେହିପରି ଏକ ଟୁଲ୍ସ ଯାହାକି ଆପଣଙ୍କର ଇଣ୍ଟରନେଟ୍ କନେକ୍ସନକୁ ଅନ୍ୟ ଲୋକେସନକୁ ମୁଭ୍ କରିଦେବ। ସେଠାରେ ଅନ୍ୟ ୱେବସାଇଟ୍ ଆପଣଙ୍କୁ ସହଜରେ ହ୍ୟାକ୍ କରିପାରିବେ ନାହିଁ।

-ଆପଣଙ୍କର ପାସୱର୍ଡ ଖୁବ୍ ଷ୍ଟ୍ରଙ୍ଗ ହେବା ଆବଶ୍ୟକ। ସାଧାରଣ ପାସୱର୍ଡ ଯେପରିକି ଆପଣଙ୍କର ଡେଟ୍ ଅଫ୍ ବାର୍ଥ, ଆପଣଙ୍କର ପରିଚିତ ବ୍ୟକ୍ତିଙ୍କର ନାମ,୧୨୩୪୫୬ ଇତ୍ୟାଦି ଦିଅନ୍ତୁ ନାହିଁ। ଲମ୍ବା ଏବଂ କ୍ୟାରେକ୍ଟରକୁ ମିଶାଇ ପାସୱର୍ଡ ଦିଅନ୍ତୁ।

password

-ସମୟ ସମୟରେ ପାସୱର୍ଡ ବଦଳାନ୍ତୁ।

-ଆପଣ ପାସୱର୍ଡ ମ୍ୟାନେଜର ବି ବ୍ୟବହାର କରିପାରିବେ । ଏହା ଆପଣଙ୍କ ପାଇଁ ଷ୍ଟ୍ରଙ୍ଗ୍ ପାସୱର୍ଡ ବନାଇ ଷ୍ଟୋର କରିବ। ତେଣୁ ତାକୁ ଆପଣଙ୍କୁ ମନେ ରଖିବାର ବି ଆବଶ୍ୟକତା ନାହିଁ।

-ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍ ବ୍ୟବହାର କରନ୍ତୁ। ଏହାର ଅର୍ଥ ପାସୱର୍ଡ ବ୍ୟତୀତ ଅନ୍ୟ ଏକ ଫ୍ୟାକ୍ଟର ମଧ୍ୟ ଲଗଇନ୍ ପାଇଁ ଆବଶ୍ୟକ ପଡ଼ିବ। ଏହା ସେକେଣ୍ଡ ଲେୟାର ଅଫ୍ ପ୍ରୋଟେକ୍ସନ୍ର କାମ କରେ।

-ସବୁବେଳେ ପ୍ରାଇଭେଟ୍ ବ୍ରାଉଜିଂ ବ୍ୟବହାର କରନ୍ତୁ। ଏହା ଆପଣଙ୍କର ହିଷ୍ଟ୍ରିକୁ ସେଭ୍ କରିପାରିବ ନାହିଁ ଏବଂ ବ୍ରାଉଜିଂକୁ ସୁରକ୍ଷିତ ରଖିବ । ତେବେ ଯଦି ଆପଣ ପବ୍ଲିକ୍ କମ୍ପ୍ୟୁଟର ବ୍ୟବହାର କରୁଥାନ୍ତି ତା’ ହେଲେ ସୁରକ୍ଷା ନିଶ୍ଚିତ ଭାବେ କମିବ।

google

କେଉଁମାନଙ୍କଠାରୁ ସତର୍କ ହେବେ

ହ୍ୟାକର: ଏମାନେ ସାଇବର କ୍ରିମିନାଲ୍ ମଧ୍ୟ ହୋଇପାରନ୍ତି, ଯେଉଁମାନେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସବୁ ସ୍ତରରେ ବ୍ୟବହାର କରି ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି।

ପରାମର୍ଶଦାତା: ଏହା ଇଣ୍ଟରନେଟ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ଅଂଶ। ଗୁଗଲ ଦୁନିଆର ସବୁଠୁ ବଡ଼ ଆଡଭରଟାଇଜିଂ ନେଟୱର୍କ୍ ଅପରେଟ୍ କରିଥାଏ। କଂପାନି ଏବଂ ୱେବସାଇଟଗୁଡ଼ିକ ନିଜର ମାର୍କେଟିଂକୁ ପ୍ରଭାବଶାଳୀ ବନାଇବା ପାଇଁ ଆନାଲିଟିକ୍ସର ବ୍ୟବହାର କରି ଏହା ମାଧ୍ୟମରେ ଆପଣଙ୍କର ତଥ୍ୟ ହାସଲ କରିଥାନ୍ତି। ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ।

ସରକାରୀ ସଂସ୍ଥା: ନିଜର ନାଗରିକମାନଙ୍କୁ ଟ୍ରାକ୍ କରିବା ଲାଗି ବହୁ ଦେଶରେ ସରକାର ଇଣ୍ଟରନେଟକୁ ମାଧ୍ୟମ କରନ୍ତି। ତେଣୁ ସରକାରୀ ସଂସ୍ଥାରେ କୌଣସି କାମ ଥିଲେ ଏବଂ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡୁଥିଲେ ସତର୍କ ରୁହନ୍ତୁ। ସମସ୍ତ ନିୟମାବଳୀ ପଢ଼ିସାରି ତଥ୍ୟ ଦିଅନ୍ତୁ।

Comment