ଓଡ଼ିଶାଲାଇଭ ବ୍ୟୁରୋ

ସ୍ତ୍ରୀର ମୃତ୍ୟୁ ପରେ ସ୍ଵାମୀର ଆତ୍ମହତ୍ୟା କଥା ଆମେ ଫିଲ୍ମରେ ଦେଖିଥାଉ। ହେଲେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ। ଫତେପୁର ଥାନା ଅନ୍ତର୍ଗତ ପାର୍ବତୀପୁର ଗାଁରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ମୃତ୍ୟୁକୁ ସହିନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟକ୍ତିଙ୍କ ନାମ ଅକ୍ରୁର ସ୍ଵାଇଁ ବୋଲି ଜଣାପଡ଼ିଛି।

ଅକ୍ରୁର ୩ମାସ ତଳେ ଫତେଗଡ଼ ଅଞ୍ଚଳର କୌଶଲ୍ୟାକୁ ବିବାହ କରିଥିଲେ। ତେବେ ମହିଳାଙ୍କ ମୃତ୍ୟୁ ଯୌତୁକ ଯୋଗୁଁ ହୋଇଛି ବୋଲି ମହିଳା ଘର ଲୋକ ଅଭିଯୋଗ କରିଥିଲେ। ବିବାହ ବେଳେ ପୁଅ ଘର ୫୦ ହଜାର ଟଙ୍କା ଯୌତୁକ ମାଗିଥିଲେ। ହେଲେ ଝିଅ ଘର ଲୋକ ୨୦ ହଜାର ଟଙ୍କା ଦେଇଥିଲେ। ଯାହା ଫଳରେ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ମହିଳାଙ୍କ ଦାଦା ଅଭିଯୋଗ କରିଥିଲେ।

ତେବେ ସ୍ତ୍ରୀର ମୃତ୍ୟୁକୁ ସହଜରେ ସହି ପାରିନାହାନ୍ତି ସ୍ଵାମୀ। ସ୍ତ୍ରୀ ମୃତ୍ୟୁର ଗୋଟିଏ ଦିନ ପରେ ଅକ୍ରୁର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସ୍ଵାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Comment