ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଅଗଷ୍ଟ ୧୨ରେ ରିଲାଏନ୍ସ କମ୍ପାନି ଏହାର ୪୨ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌) ଅନୁଷ୍ଠିତ ହେବାକୁ ଯାଉଛି। ତେବେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମୁକେଶ ଅମ୍ବାନିଙ୍କ ପେଡ଼ିରୁ କିଛି ସରପ୍ରାଇଜ ମିଳିବ ବୋଲି ଆଶା କରାଯାଉଛି। ତେଣୁ, ସମସ୍ତଙ୍କ ନଜର ବର୍ତ୍ତମାନ ୨୦୧୯ ଏଜିଏମ୍‌(ଆନୁଆଲ ଜେନେରାଲ ମିଟିଂ) ଉପରେ।

୨୦୧୮ ଏଜିଏମ୍‌ରେ ରିଲାଏନ୍ସ କମ୍ପାନି ହୋମ୍‌ ଟିଭି ଏବଂ ବ୍ରଡବ୍ୟାଣ୍ଡ ସେକ୍ଟରରେ ପାଦ ରଖିବ ବୋଲି ଘୋଷଣା କରିଥିଲା। ଭାରତରେ ସବୁଠୁ ଶସ୍ତା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‌ ସେବା ଯୋଗାଇଦେବା ପାଇଁ ‘ଜିଓ ଗିଗା ଫାଇବର’ ଲଞ୍ଚିଂ କରାଯାଇଥିଲା। ହେଲେ ସେବେଠାରୁ କମ୍ପାନି ଏହାର ଟେଷ୍ଟିଂ ଜାରି ରଖିଛି। ତେବେ ଚଳିତ ବର୍ଷ ଏଜିଏମ୍‌ରେ ‘ଜିଓ ଗିଗା ଫାଇବର’ର କମର୍ସିଆଲ ଲଞ୍ଚିଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସୋମବାର ରିଲାଏନ୍ସ କମ୍ପାନିର ଆନୁଆଲ ଜେନେରାଲ ମିଟିଂ(ଏଜିଏମ୍‌) ଅନୁଷ୍ଠିତ ହେବ। ତେବେ ଏଥର ଏଜିଏମ୍‌ରେ ‘ଜିଓ ଗିଗା ଫାଇବର’ର ଆରମ୍ଭ ହେବକି ନାହିଁ ସେନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ମଡିଆ ରିପୋର୍ଟ ଅନୁଯାୟୀ, ଭାରତରେ ‘ଜିଓ ଗିଗା ଫାଇବର’ର ଟେଷ୍ଟିଂ ପୁରା ହୋଇସାରିଛି। ବର୍ତ୍ତମାନ କମ୍ପାନି ଏହାକୁ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ସେହିପରି ‘ଦି ହିନ୍ଦୁ’ର ରିପୋର୍ଟ ମୂତାବିକ, ସୋମବାର ଆୟୋଜିତ ହେବାକୁ ଥିବା ଏଜିଏମ୍‌ରେ ଫାଇବର-ଟୁ-ଦ-ହୋମ୍‌(ଏଫ୍‌ଟିଟିଏଚ୍‌) ସେବାର କମର୍ସିଆଲ ଲଞ୍ଚିଂ ହେବାର ସମ୍ଭାବନା ରହିଛି।

ତେବେ କେବଳ ‘ଜିଓ ଗିଗା ଫାଇବର’ର ଲଞ୍ଚିଂ ହେବ ତାହା ନୁହେଁ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିଳ୍ପପତି ମୁକେଶ ଅମ୍ବାନି ବାଣିଜ୍ୟିକ କ୍ଷେତ୍ରରେ ଆହୁରି ବହୁତ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାର ପ୍ରଭାବ ଭାରତର ବାଣିଜ୍ୟ ତଥା ସେୟାର ମାର୍କେଟ ଉପରେ ବିଶେଷ ପ୍ରଭାବ ପକାଏ। ତେବେ ଏଥର ମୁକେଶଙ୍କ ପେଡ଼ିରୁ କ’ଣ ବାହାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

Comment