ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ପୃଥିବୀରେ ବର୍ଷକୁ ପ୍ରାୟ ୧୦ ନିୟୁତ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ କୁକୁର କାମୁଡ଼ାର ଆଶଙ୍କା ଅଧିକ ରହିଥାଏ। ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ରହିଥାଏ।

ଫଳରେ ଗୁରୁତରତା ବୃଦ୍ଧି ପାଇଥାଏ, ଅଧିକ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହେବା ସହିତ କେତେକ ଘଟଣାରେ ମୃତ୍ୟୁ ଘଟିଥାଏ। କେତେକ ଦେଶରେ ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ସଂଖ୍ୟାରେ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଅଧିକାଂଶ କୁକୁର କାମୁଡ଼ିବା ବାହାରେ ବୁଲୁଥିବା ସମୟରେ ଘଟିଥାଏ।

କିପରି କୁକୁର କାମୁଡ଼ିବା ଏଡ଼ାଇବେ

ପିଲାମାନଙ୍କୁ କୁକୁର କାମୁଡ଼ିଲେ କ’ଣ ହୁଏ ଓ କିପରି ଭାବରେ ବୁଲା କୁକୁରଙ୍କଠାରୁ ଦୂରେଇ ରହିବେ ସେ ବିଷୟରେ ଶିକ୍ଷା ଦେବା ଉଚିତ। କେବେବି କୁକୁର ଥିବା ସ୍ଥାନରେ ଛୋଟ ପିଲାଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ।  ଆଜିକାଲି ସକାଳ ବୁଲା ଅନେକଙ୍କର ଦୈନନ୍ଦିନ କାର୍ଯ୍ୟ। ସକାଳ ବୁଲା ସମୟରେ ଅନେକ କୁକୁର କାମୁଡ଼ାରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ବାହାରକୁ ଚାଲିବାକୁ ଗଲା ବେଳେ ଯଦି କୁକୁରମାନେ ବୁଲୁଥିବାର ଦେଖନ୍ତି ତେବେ ସାଙ୍ଗରେ ନିଶ୍ଚୟ ଏକ ବାଡ଼ି ନେଇଯାଆନ୍ତୁ। କୁକୁରକୁ ଡରାଇ ଆପଣ କୁକୁର କାମୁଡ଼ାରୁ ରକ୍ଷା ପାଇପାରିବେ।

ଯଦି କୁକୁର ଭୁକୁଥାଏ, ପାଟିରୁ ଲାଳ ଝରୁଥାଏ ଏବଂ ହିଂସ୍ର ଦିଶୁଥାଏ ତେବେ କେବେବି ସେହି କୁକୁର ଆଖପାଖରେ ଯିବାଆସିବା କରନ୍ତୁ ନାହିଁ। ରୋଗୀଣା ବା ଜଳାତଙ୍କରେ ଆକ୍ରାନ୍ତ କୁକୁର କାମୁଡ଼ିଲେ ମଣିଷମାନେ ମଧ୍ୟ ରାବିଜ୍ ବା ଜଳାତଙ୍କରେ ସଂକ୍ରମିତ ହୋଇପାରନ୍ତି। ଯଦି ଘରେ କୁକୁର ପାଳିଛନ୍ତି ତେବେ ତା’କୁ ନିଶ୍ଚୟ ଇଞ୍ଜେକ୍ସନ୍ ଦିଅନ୍ତୁ।

ଚିକିତ୍ସା

କୁକୁର କାମୁଡ଼ିଥିବା ସ୍ଥାନକୁ ଯଥେଷ୍ଟ ସାବୁନ ଓ ପାଣିରେ ଧୋଇ ଦିଅନ୍ତୁ।

ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ କ୍ଷତ ଉପରେ ପାଣି ଢ଼ାଳି ଧୁଅନ୍ତୁ।

କୌଣସି ଆଣ୍ଟିସେପ୍ଟିକ୍ ଲୋସନ୍ ବା ଅଏଣ୍ଟମେଣ୍ଟ ଲଗାଇ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ରୋଗୀଙ୍କର ଚିକିତ୍ସା କୁକୁର କାମୁଡ଼ିଥିବା ସ୍ଥାନ ଓ ରାବିଜ୍ ବା ଜଳାତଙ୍କ ଟୀକାକରଣ ପୂର୍ବରୁ ହୋଇଛି କି ନା ତାହା ଉପରେ ନିର୍ଭର କରିଥାଏ।

Comment