ଓଡ଼ିଶାଲାଇଭ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ବିଜୟଓ୍ଵାଡାରେ ଏକ ଗୋଶାଳାରେ ୧୦୦ରୁ ଅଧିକ ଗାଈଙ୍କ ମୃତ୍ୟୁ ହୋଇଛି। କୋତୁର ନଦେପଲ୍ଲୀର ବେସରକାରୀ ଗୋଶାଳାରେ ଗାଈଙ୍କୁ ଚାରା ଦେବା ପରେ ଏହି ଅଘଟଣ ଘଟିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଚାରା ଦେବାର ଏକ ଘଣ୍ଟା ପରେ ୧୦୦ ଗାଈଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ କିଛି ଗାଈ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତେବେ ଗାଈଙ୍କୁ ଚାରା ଦେବାର ପରେ ଏହି ଘଟଣା ଘଟିଛି ବୋଲି ଗୋଶାଳାର ଜଣେ କର୍ମଚାରୀ କହିଛନ୍ତି।

ଏହି ଘଟଣା ପରେ ଚାରାରେ ବିଷ ଥିବା କଥା ପୋଲିସ ସନ୍ଦେହ କରୁଛି। ତେବେ ମୃତ ଗାଈଙ୍କ ଶବ ପରୀକ୍ଷା ପାଇଁ ପଶୁ ଡାକ୍ତରଙ୍କୁ ଡକାଯାଇଛି। ଗୋଶାଳାର ଦୁଇଟି ସଂଗଠନ ମଧ୍ୟରେ ମତଭେଦ ଯୋଗୁଁ ଏହି ଘଟଣାର କାରଣ ବୋଲି ସନ୍ଦେହ କରାଯାଉଛି। କାରଣ ଏକ ଗୋଷ୍ଠୀ ଚାରାରେ ବିଷ ଥିବା କଥା ଅଭିଯୋଗ କରିଛି।

ଏହି ଘଟଣାରେ ଦଃଖପ୍ରକାଶ କରି କୃଷ୍ଣା ଜିଲ୍ଲାର କଲେକ୍ଟର କହିଛନ୍ତି, “ଏତେ ସଂଖ୍ୟାରେ ଗାଈମାନଙ୍କର ମତ୍ୟୁ ଅତ୍ୟନ୍ତ ଦୁଃଖଦ। ଗୋଶାଳାରେ ଏକ ହଜାର ଗାଈ ଥିଲେ। ଯେଉଁଥିରୁ ଅଧିକ ଗାଈଙ୍କୁ କଂସେଇଖାନାରୁ ଉଦ୍ଧାର କରାଯାଇଥିଲା। ଅନ୍ୟ କେତେକଙ୍କୁ ଲୋକମାନେ ଦାନ କରିଥିଲେ। ଏହି ଘଟଣା ପୋଲିସ ତଦନ୍ତ କରୁଛନ୍ତି। ସତ ଘଟଣା ସାମ୍ନାକୁ ଆସିବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଗୋଶାଳାରେ ଗାଈମାନଙ୍କୁ ଖାଇବାକୁ ଦେଇଥିବା କର୍ମଚାରୀଙ୍କୁ ପଚରା ଉଚରା କରାଯାଉଛି। ଏହାସହ ସିସିସଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି।

Comment