ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଲଗାଣ ବର୍ଷାରେ ନଦୀ ଫୁଲୁଥିବା ବେଳେ ନଦୀ କୂଳଖାଇ ମାଟି ଅତଡା ଖସିବା ପରେ ରାୟଗଡା ପୌରାଞ୍ଚଳ ଅନ୍ତର୍ଗତ ଅଣ୍ଟାରିଗୁଡା ଗ୍ରାମର ଲୋକେ ଭୟଭୀତ ହୋଇପଡିଛନ୍ତି। ନାଗାବଳୀ ଉପର ମଣ୍ଡରେ ୨୪ ଘଣ୍ଟାରୁ ଅଧିକ ସମୟ ବୃଷ୍ଟିପାତ ହେବାରୁ ଅତ୍ୟଧିକ ଜଳ ପ୍ରବାହ ହେଉଛି। ଏଠାରେ ନଦୀକୂଳ ଲଙ୍ଘୁଥିବା ଦେଖିବାକୁ ମିଳିଛି ।

ଅଣ୍ଟାରିଗୁଡା ଗ୍ରାମ ନଦୀ ତଟବର୍ତ୍ତୀ ଅଞ୍ଚଳରେ ହୋଇଥିବାରୁ ଗ୍ରାମବାସୀମାନେ ଅତଙ୍କିତ ଅବସ୍ଥାରେ ରହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଗୁରୁବାର ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ନଦୀଠାରୁ ଗ୍ରାମର ଦୂରତା ମାତ୍ର ୨୫୦ ମିଟର।

ଗତ କିଛି ବର୍ଷରେ ପ୍ରାୟ ୨୦୦ ମିଟର ତଟବର୍ତ୍ତୀ ଅଞ୍ଚଳ ନଦୀରେ ମିଶି ସାରିଛି। ଗତ ୨୪ଘଣ୍ଟାରେ ହୋଇଥିବା ପ୍ରବଳ ବର୍ଷାରେ ନାଗାବଳୀ କୂଳ ୪୦ମିଟର ଧସିଯିବା ଫଳରେ ନଦୀଠାରୁ ଗ୍ରାମଟି ମାତ୍ର ୨୦ ମିଟର ଦୂରରେ ରହିଛି ବୋଲି ଗ୍ରାମବାସୀ ଦାବିପତ୍ରରେ ଦର୍ଶାଇଛନ୍ତି।

ଏପରିସ୍ଥଳେ ନଦୀଉପର ମୁଣ୍ଡରେ ମତ୍ରାଧିକ ବର୍ଷା ଲାଗି ରହିଲେ ଯେକୌଣସି ସମୟରେ ନାଗାବଳୀ କୂଳଲଙ୍ଘି ଅଣ୍ଟାରିଗୁଡା ଗ୍ରାମକୁ ପଶି ଆସିବା ଆଶଙ୍କା କରି ଗ୍ରାମବାସୀ ଅତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Comment