ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା:  ରାୟଗଡ଼ା ଜିଲ୍ଲାରେ ଭୁଶୁଡିଛି ସ୍ୱାସ୍ଥ୍ୟସେବା। ସମଗ୍ର ଜିଲ୍ଲା ପାଇଁ ମାତ୍ର ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଫଳରେ ଶିଶୁମାନଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ମିଳୁ ନଥିବା ଅଭିଯୋଗ ହେଉଛି।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯେମିତି ରୋଗୀସେବାରେ ଅବ୍ୟବସ୍ଥା ଦେଖାଦେଇଛି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସମାନ ସ୍ଥିତି ଦେଖିବାକୁ ମିଳିଛି।

ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ଉପାନ୍ତ ଜିଲ୍ଲା ରାୟଗଡ଼ାରେ ସ୍ୱାସ୍ଥ୍ୟସେବାରେ ସୁଧାର ଆସୁ ନଥିବାର ରୋଗୀମାନେ ଅଭିଯୋଗ କରିଛନ୍ତି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇଟି ଶିଶୁ ରୋଗ ବିଭାଗ ଡାକ୍ତରଙ୍କ ପଦବୀ ରହିଛି। ସେଥିମଧ୍ୟରୁ ଗୋଟିଏ ଖାଲି ପଡ଼ିଛି। ଜଣେ ଡାକ୍ତର ଛୁଟିରେ ଯାଇଥିବାରୁ ରୋଗୀମାନେ ଆସି ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମଗ୍ର ଜିଲ୍ଲାରେ ୧୧ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏଁ ଓ ଗୁଣୁପୁରସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଶିଶୁ ଡାକ୍ତର ପଦ ଦୀର୍ଘଦିନ ହେଲା ଖାଲି ପଡ଼ିଛି। ଫଳରେ ରୋଗୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଏ ନେଇ ଜିଲ୍ଲା ଚିକିତ୍ସା ଅଧିକାରୀ ଶକ୍ତି ମହାନ୍ତ କହିଛନ୍ତି, ‘‘ଜିଲ୍ଲା ଡାକ୍ତରଖାନାରେ ଥିବା ଶୁଶୁ ରୋଗ ବିଶେଷଙ୍କ ଦେହ ଖରାପ ଥିବାରୁ ଛୁଟିରେ ଯାଇଛନ୍ତି। ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଖୁବଶିଘ୍ର ଡାକ୍ତରଙ୍କୁ ନିୟୋଜିତ କରାଯିବ।’’

Comment