ଓଡ଼ିଶାଲାଇଭ୍‌ ବିଜିନେସ୍‌ ବ୍ୟୁରୋ

  • ଷ୍ଟାଟ୍‌ଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପାଇଁ ମୁକେଶଙ୍କ ସ୍ପେଶାଲ ଅଫର
  • ୨୦୨୦ ନୂଆ ବର୍ଷରୁ ଷ୍ଟାଟ୍‌ଅପ୍‌କୁ ମାଗଣାରେ ଜିଓ ଫାଇବର
  • ମାସିକ ୧୫ ଶହ ଟଙ୍କାରେ ଏମ୍‌ଏସ୍‌ଏମ୍‌ଇ ପାଇଁ ଡାଟା ଓ ଅଫିସ୍‌ ସଲ୍ୟୁସନ

ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ଜିଓ ଫାଇବରର କମର୍ସିଆଲ ସେବା ବାବଦରେ ଆଜି ଘୋଷଣା କରିଛନ୍ତି। ୧୦୦ରୁ ୧୦୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ରେ ଏହି ସେବା ମିଳିପାରିବ। ଏଥିରେ ମାସିକ ୭୦୦ଟଙ୍କାରୁ ୧୦ ହଜାର ପର୍ଯ୍ୟନ୍ତ ବିଭିନ୍ନ ପ୍ୟାକେଜ୍‌ ରହିଛି। ତେବେ ଦେଶର ଷ୍ଟାଟ୍‌ଅପ୍‌ ଏବଂ ଏମ୍‌ଏସ୍‌ଏମ୍‌ଇ ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଜିଓ ଏକ ବିଶେଷ ଘୋଷଣା କରିଛି।

 

ଆଜି ଭାରତର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଷ୍ଟାଟ୍‌ଅପ୍‌ ଏବଂ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏଜିଏମ୍‌ରେ ଭାଷଣ ଦେଇ ମୁକେଶ ଅମ୍ବାନି କହିଥିଲେ ଯେ, ଆଜି ଯେ କୌଣସି ଷ୍ଟାଟ୍‌ଅପ୍‌ କମ୍ପାନିକୁ ଦୈନନ୍ଦିନ ଇଣ୍ଟରନେଟ୍‌ କନେକ୍ଟିଭିଟି ଓ କ୍ଲାଉଡ୍‌ସେବା ପାଇଁ ବହୁ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି। ସେମାନଙ୍କୁ ମେକ୍‌ ଇନ୍‌ ଇଣ୍ଡିଆର ଆଗାମୀକାଲିର ମେରୁଦଣ୍ଡ କହିବା ସହ ସେମାନଙ୍କ ବ୍ୟବସାୟର ବିକାଶ ପାଇଁ ଏହି ସହଯୋଗର ହାତ ବଢ଼ାଇଛି ରିଲାଏନ୍ସ।

ସେମାନଙ୍କୁ ମାଗଣାରେ ଜିଓ ଗିଗା ଫାଇବର ଯୋଗାଇଦିଆଯିବ ବୋଲି ଆଜି ମୁକେଶ ବଡ଼ ଘୋଷଣା କରିଛନ୍ତି। ୨୦୨୦ ନୂଆ ବର୍ଷ ବେଳକୁ ବଛା ବଛା ଭାରତୀୟ ଷ୍ଟାଟ୍‌ଅପ୍‌ଙ୍କୁ ମାଗଣାରେ ଜିଓ ଫାଇବର ସେବା ମିଳିବ। ଏଥିପାଇଁ ଷ୍ଟାଟ୍‌ଅପ୍‌ଙ୍କୁ ଜିଓ ଡଟ୍‌ କମ୍‌ ଯାଇ ପଞ୍ଜୀକରଣ କରିବାକୁ ପଡ଼ିବ।

ସେହିପରି କୃଷି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଆଖି ଦୃଶିଆ କାମ କରୁଥିବା ଦେଶର ବିଭିନ୍ନ ଷ୍ଟାଟ୍‌ଅପ୍‌ରେ ନିବେଶ କରିବାକୁ ତାଙ୍କ କମ୍ପାନି ପ୍ରସ୍ତୁ ଅଛି ବୋଲି ମୁକେଶ ସୂଚନା ଦେଇଛନ୍ତି।

ଏମ୍‌ଏସ୍‌ଏମ୍‌ଇ ପାଇଁ ମୁକେଶଙ୍କ ପ୍ୟାକେଜ୍‌

ଦେଶର ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ସେଗ୍‌ମେଣ୍ଟ ପାଇଁ ମଧ୍ୟ ମୁକେଶ କରିଛନ୍ତି ଏକ ବଡ଼ ଘୋଷଣା। ମାସିକ ୧୫ ଶହ ଟଙ୍କା ଦେୟରେ ଜିଓ ଫାବର ଜରିଆରେ ସେମାନଙ୍କୁ ମିଳିବ ଅନ୍‌ଲିମିଟେଡ୍‌ ଡାଟା, ଭିଡିଓ କଲିଂ, ମାର୍କେଟିଂ ଓ ସେଲ୍‌ସ ସଲ୍ୟୁସନ।

 

ସେହିପରି ମାକ୍ରୋସଫ୍ଟ ପକ୍ଷରୁ ମିଳୁଥିବା ବିଭିନ୍ନ ଏଣ୍ଟରପ୍ରାଇଜ୍‌ ସଲ୍ୟୁସନ(ଯେପରିକି, ୱାର୍ଡ, ଏକ୍ସେଲ ଏବଂ ଅନ୍ୟ ଅଫିସ୍‌ ସଫ୍ଟୱେର୍) ମଧ୍ୟ ଜିଓ ଗିଗା ଫାଇବର ଜରିଆରେ ଏମ୍‌ଏସ୍‌ଏମ୍‌ଇ ଗ୍ରାହକଙ୍କୁ ମିଳିପାରିବ। ଜିଓର ଏହି ସେବାରୁ ଅଗାମୀ ଦିନରେ ଦେଶର ୨୦ରୁ ୫୦ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ଗ୍ରାହକ ଫାଇଦା ପାଇପାରିବେ ବୋଲି ମୁକେଶ କହିଛନ୍ତି।

ଆମ ଦେଶର କୌଣସି ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଆଜି ବ୍ରଡ୍‌ବ୍ୟାଣ୍ଡ କନେକ୍ସନ ସହିତ ଦୈନନ୍ଦିନ ଅଫିସ ପରିଚାଳନା ପାଇଁ ବିଭିନ୍ନ କ୍ଲାଉଡ୍‌ ସର୍ଭିସ ବାବଦରେ ମାସିକ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଛି। ତେବେ, ଜିଓ ପକ୍ଷରୁ ମାସିକ ମାତ୍ର ୧୫ ଶହ ଟଙ୍କାରେ ଏ ସମସ୍ତ ସେବା ମିଳିପାରିବ ବୋଲି ଜୋର ଦେଇ କହିଛନ୍ତି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି।

Comment