ଓଡ଼ିଶାଲାଇଭ ବ୍ୟୁରୋ

ସମଗ୍ର ଦେଶ ସହ ଆଜି ଜମ୍ମୁ କଶ୍ମୀରରେ ଇଦ୍‌ ପାଳନ କରାଯାଇଛି। ଇଦ୍‌ ପୂର୍ବରୁ ୧୪୪ ଧାରା କୋହଳ କରାଯାଇଥିଲେ ମଧ୍ୟ ନମାଜ ପରେ ଏହାକୁ ପୁଣି କଡ଼ାକଡ଼ି କରାଯାଇଛି।

ଜମ୍ମୁ କଶ୍ମୀରରେ କଡ଼ା ସୁରକ୍ଷା ବଳୟରେ ଇଦ୍‌ ପାଳନ କରାଯାଉଛି। ଧାରା ୩୭୦ ଉଠିବା ପରେ କଶ୍ମୀରରେ ୧୪୪ ଧାରା ଲାଗୁ ଅଛି। ଏହାସହ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ଏହାମଧ୍ୟରେ ଲୋକମାନେ ଇଦ୍ ପାଳନ କରିଛନ୍ତି। ଶ୍ରୀନଗର ସମେତ ଅନ୍ୟ ସହରରେ ନମାଜ୍‌ ପଢ଼ିବାକୁ ଲୋକେ ମସଜିଦରେ ପହଞ୍ଚିଛନ୍ତି।

ଇଦ୍‌କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ୧୪୪ ଧାରାକୁ କୋହଳ କରାଯାଇଥିଲା। ଶ୍ରୀନଗରରୁ ଇଦ୍‌ର ଯେଉଁ ଚିତ୍ର ଆସୁଛି ଏଥିରେ ପୋଲିସ ଓ ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ପାଳୁଛନ୍ତି। ପୋଲିସମାନେ ମଧ୍ୟ ମସଜିଦ୍‌ରେ ମିଠା ବାଣ୍ଟି ଇଦ୍‌ ପାଳିଛନ୍ତି।

ଇଦ୍‌ ପୂର୍ବରୁ ୧୪୪ ଧାରାକୁ ଢିଲା କରାଯାଇଥିଲା। ଏହାମାଧ୍ୟରେ ଲୋକେ ଇଦ୍‌ ପାଇଁ ବଜାରରେ ଜିନିଷ କିଣାକିଣି କରିଥିଲେ। ହେଲେ ଆଜି ସକାଳୁ ଇଦ୍‌ର ନମାଜ୍‌ ଶେଷ ହେବା ପରେ ପୁଣି ୧୪୪ ଧାରାକୁ କଡ଼ାକଡ଼ି କରାଯାଇଛି।

ଶ୍ରୀନଗର ଡେଭଲପମେଣ୍ଟ କମିସନର ସାହିଦ ଚୌଧୁରୀ କହିଛନ୍ତି, “ଇଦ୍‌ ପାଇଁ ଧାରା ୧୪୪କୁ କୋହଳ କରାଯାଇଥିଲା। ଯୋଉଥିପାଇଁ ସକାଳେ ଇଦ୍‌ ନମାଜ୍‌ ପାଇଁ ଲୋକେ ଏକାଠି ହୋଇଥିଲେ। ଏବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଣି ଏହାକୁ କଡ଼ାକଡ଼ି କରାଯାଇଛି।”

ଇଦ୍‌ ପୂର୍ବରୁ ପ୍ରଶସନ ପକ୍ଷରୁ ଲୋକମାନଙ୍କ ପାଖକୁ ପନିପରିବା, ଅଣ୍ଡା ଆଦି ହୋମ ଡେଲିଭରି କରାଯାଇଥିଲା। ଯୋଗାଯୋଗ ପାଇଁ ୩୦୦ ଫୋନ ବୁଥ ମଧ୍ୟ ଉପଲବ୍ଧ କରାଯାଇଥିଲା। ବର୍ତ୍ତମାନ ମଧ୍ୟ କିଛି ସ୍ଥାନରେ ମୋବାଇଲ ଫୋନ, ଇଣ୍ଟରନେଟ, ଟିବି କେବୁଲ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Comment