ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟକୋଚ୍ ଭାବେ ନିଯୁକ୍ତି ପାଇଁଛନ୍ତି ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀ। ୨୦୨୧ ପର୍ଯ୍ୟନ୍ତ ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର କୋଚ୍‌ ପଦ ସମ୍ଭାଳିବେ। ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଟି ଆଜି ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କୁ ଚୟନ କରିଛି।

ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟକୋଚ୍ ପାଇଁ ଏଥର ୨୦୦୦ ପ୍ରାର୍ଥୀ ଆବେଦନ କରିଥିଲେ। ଶେଷରେ ୬ଜଣ ଲୋକଙ୍କୁ ସର୍ଟଲିଷ୍ଟ କରି ଆଜି ମୁମ୍ବାଇରେ ସେମାନଙ୍କର ସାକ୍ଷାତକାର ନେଇଥିଲା କ୍ରିକେଟ୍ ପରାମର୍ଶଦାତା କମିଟି। ଟମ୍ ମୁଡି, ମାଇକ୍ ହେସନ୍, ଫିଲ୍ ସିମନ୍ସ, ଲାଲଚାନ୍ଦ ରାଜପୁତ, ରବିନ୍ ସିଂହଙ୍କ ସହ ରବିଶାସ୍ତ୍ରୀ ଏହି ଦୌଡ଼ରେ ରହିଥିଲେ। ଶେଷରେ ଏହି ଛଅ ଜଣଙ୍କ ମଧ୍ୟରୁ ରବି ଶାସ୍ତ୍ରୀଙ୍କୁ ମୁଖ୍ୟ କୋଚ୍ ପାଇଁ କମିଟି ଚୟନ କରିଛି। ତେବେ କାହିଁକି ରବି ଶାସ୍ତ୍ରୀଙ୍କୁ ଆଉଥରେ ଟିମ୍‌ ଇଣ୍ଡିଆର କୋଚ୍ ଭାବେ ଚୟନ କରାଯାଇଛି। ଆସନ୍ତୁ ଜାଣିବା ଏହା ଫଛର କାରଣ।

ବିରାଟଙ୍କ ସମର୍ଥନ

ରବିଶାସ୍ତ୍ରୀ କୋଚ୍ ପଦବୀରେ ରହିବା ପଛର ମୁଖ୍ୟ କାରଣ ହେଲା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କର ସମର୍ଥନ। ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ମୁମ୍ବାଇରେ ଅଧିନାୟକ ବିରାଟ କୋହଲି ପ୍ରେସମିଟରେ ଏହା କିହିଥିଲେ। ସେ କହିଥିଲେ, ” ୨୦୨୦ ଟି-୨୦ ବିଶ୍ୱକପ ପାଇଁ ଭାରତ ବର୍ତ୍ତମାନ ପ୍ରସ୍ତୁତ ହେଉଛି। ଏପରି ପରିସ୍ଥିତିରେ ଶାସ୍ତ୍ରୀଙ୍କୁ ମୁଖ୍ୟ କୋଚ୍ କରାଗଲେ ଦଳ ବହୁତ ଖୁସି ହେବ।”

ତେବେ ଶାସ୍ତ୍ରୀଙ୍କୁ ଚୟନ କରିବାରେ ଅଧିନାୟକ ବିରାଟ କୋହଲିଙ୍କ ରାୟ ନିଆଯାଇନାହିଁ ବୋଲି କହିଛନ୍ତି ଚୟନ କମିଟି ମୁଖ୍ୟ କପିଳ ଦେବ।

ପୂର୍ବ ଟ୍ରାକ୍ ରେକର୍ଡ

ସେହିଭଳି କୋଚ୍ ଭାବରେ ରବି ଶାସ୍ତ୍ରୀଙ୍କ ରେକର୍ଡ ବେଶ୍ ଭଲ ରହିଛି। ୨୦୧୭ ମସିହାରେ ପ୍ରଥମ ଥର ପାଇଁ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇଥିଲେ। ଶାସ୍ତ୍ରୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ଟେଷ୍ଟ ସିରିଜ୍ ଜିତିଥିଲା। ୨୦୧୭ ଜୁଲାଇ ମାସରୁ ଖେଳାଯାଇଥିବା ୨୧ଟି ଟେଷ୍ଟରୁ ଭାରତ ୧୩ଟିରେ ବିଜୟୀ ହୋଇଥିଲା।

ଶାସ୍ତ୍ରୀଙ୍କ ନେତୃତ୍ୱରେ ଟି-୨୦ରେ ମଧ୍ୟ ଭାରତୀୟ ଦଳ ବେଶ୍ ଭଲ ପ୍ରଦର୍ଶନ କରିଥିଲା।  ଟି-୨୦ରେ ଭାରତୀୟ ଦଳ ୩୬ଟି ମ୍ୟାଚ୍ ଖେଳି ସେଥିରୁ ୨୫ଟିରେ ବିଜୟୀ ହୋଇଥିଲା। ସେହିପରି ଦିନିକିଆରେ ଭାରତୀୟ କ୍ରିକେଟ୍ ଟିମ୍ ୬୦ଟି ମ୍ୟାଚରୁ ୪୩ଟି ମ୍ୟାଚରେ ଜିତାପଟ ହାସଲ କରିପାରିଥିଲା।

ଅନ୍ୟଭାରତୀୟ ଖେଳାଳିଙ୍କର ମଧ୍ୟ ପ୍ରିୟ ଶାସ୍ତ୍ରୀ

ରବିଶାସ୍ତ୍ରୀ କେବଳ ଅଧିନାୟକ ବିରାଟ କୋହଲିଙ୍କର ପ୍ରିୟ ନଥିଲେ। ଭାରତୀୟ କ୍ରିକେଟ ଟିମର ବହୁ ସିନିଅର ଖେଳାଳିଙ୍କର ମଧ୍ୟ ପ୍ରିୟ ଥିଲେ କୋଚ୍ ରବିଶାସ୍ତ୍ରୀ।  ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଖେଳାଳି ରବି ଶାସ୍ତ୍ରୀଙ୍କ ପ୍ରିୟଭାଜନ ହୋଇଥିଲେ। ତାଙ୍କ ସହ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଓ ମହମ୍ମଦ ଆଝାରୁଦ୍ଧିନ୍ ମଧ୍ୟ ରବି ଶାସ୍ତ୍ରୀଙ୍କ ସପକ୍ଷରେ ଥିଲେ।

ଭାରତୀୟ କୋଚ୍ ସପକ୍ଷରେ ଚୟନ କମିଟି

ସେହିଭଳି ଶାସ୍ତ୍ରୀଙ୍କୁ କୋଚ୍ ପଦବୀ ମିଳିବାର ଆଉ ଏକ କାରଣ ହେଲା ଯେ ସେ ଭାରତୀୟ କ୍ରିକେଟର। କୋଚ୍ ପଦବୀ ପାଇଁ ଦୌଡ଼ରେ ଥିବା ୬ଜଣଙ୍କ ମଧ୍ୟରୁ ତିନିଜଣ ଭାରତୀୟ ହୋଇଥିବା ବେଳେ ଅନ୍ୟ ତିନିଜଣ ଥିଲେ ବିଦେଶୀ ଖେଳାଳି। ଏମିତି ବି କୁହାଯାଉଛି, କୋଚ୍ ଚୟନ ପାଇଁ ଗଠିତ କମିଟି ବିଦେଶୀ କୋଚ୍ ନିଯୁକ୍ତି ସପକ୍ଷରେ ନଥିଲା।

ଅନ୍ୟ ଦୁଇଜଣ ଭାରତୀୟ ଆବେଦନକାରୀଙ୍କ ଥିଲେ ଲାଲଚାନ୍ଦ ରାଜପୁତ ଓ ରବିନ୍ ସିଂହ। ଏହି ଦୁଇଜଣ ଆବେଦନକାରୀଙ୍କ ଅପେକ୍ଷା ଶାସ୍ତ୍ରୀ ଅଧିକ ଅଭିଜ୍ଞ ରହିଥିଲେ। ତେଣୁ କ୍ରିକେଟ ପରାମର୍ଶଦାତା କମିଟି ଶାସ୍ତ୍ରୀଙ୍କୁ ଚୟନ କରିଥିବା ନେଇ କୁହାଯାଉଛି।

Comment