ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରଙ୍କୁ ବଡ଼ ଝଟକା ଲାଗିଛି। ଆଇଏନ୍‌ଏକ୍ସ ମିଡିଆ ସ୍କାମ୍‌ ମାମଲାରେ ପି ଚିଦାମ୍ବରମଙ୍କ ଆଗୁଆ ଜାମିନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଯାହା ଫଳରେ କି, ସିବିଆଇ ଖୁବ୍‌ଶୀଘ୍ର ଚିଦାମ୍ବରମ ଗିରଫ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇଏନ୍‌ଏକ୍ସ ମିଡିଆ ସ୍କାମ୍‌ ମାମଲାରେ ପି ଚିଦାମ୍ବରମଙ୍କ ନାଁରେ ଦୁର୍ନୀତି ଏବଂ ଲାଞ୍ଚ ନେଇଥିବା ଅଭିଯୋଗ ଆଣିଛି। ତାଙ୍କ ନାଁରେ ଆଇଏନଏକ୍ସ ମିଡିଆକୁ ଫରେନ ଇନଭେଷ୍ଟମେଣ୍ଟ ପ୍ରୋମୋସନ ବୋର୍ଡକୁ ଅବୈଧ ଭାବରେ ସ୍ଵୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଞ୍ଚ ନେଇଥିବା ଆରୋପ ଲାଗିଛି।

ଏହି ମାମଲାରେ ଏ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ହାଇକୋର୍ଟ ପ୍ରାୟ ୨୪ ଥର ଗିରଫ ହେବା ପୂର୍ବରୁ ଜାମିନ ଦେଇସାରିଛନ୍ତି। ୨୦୦୭ ମସିହାରେ ଚିଦାମ୍ବରମ ୟୁପିଏ ସରକାରର ଅର୍ଥମନ୍ତ୍ରୀ ଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଥିଲା।

ସିବିଆଇ ଓ ଇଡି ଏହି ମାମଲାରେ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରଙ୍କୁ ଗିରଫ କରିସାରିଛନ୍ତି। ବର୍ତ୍ତମାନ ସେ ଜାମିନ୍‌ରେ ଆସିଛନ୍ତି। ଏବେ ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ବର୍ତ୍ତମାନ ଚିଦାମ୍ବରମଙ୍କ ଗିରଫ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି।

ବର୍ତ୍ତମାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିବେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ।

Comment