ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଥମ ଗ୍ରାଜୁଏସନ୍ ଡେ’ ଆୟୋଜିତ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଥମ ଗ୍ରାଜୁଏସନ୍ ଡେ’ ଅନୁଷ୍ଠିତ ହୋଇଯାଇଛି।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି, ‘‘ରୋଗୀଙ୍କ ଚିକିତ୍ସା ସମୟରେ ଅନେକ ସମସ୍ୟା ଉପୁଜୁଥାଏ। କିନ୍ତୁ ମେଡିକାଲ୍ ରେକର୍ଡଗୁଡ଼ିକୁ ସଠିକ ରଖିବା ଦ୍ୱାରା ହିଁ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିବ। ଏଥିସହିତ ଡାକ୍ତରମାନେ ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ରୋଗୀଙ୍କୁ ମଧ୍ୟ ସାହାଯ୍ୟ କରିପାରିବେ।’’

ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଫେସର ବାନାର୍ଜୀ।

ଡାକ୍ତରୀ  ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ପାଇବା ସହିତ ଉନ୍ନତମାନର ପ୍ରଶିକ୍ଷଣ ପାଇବାର ମଧ୍ୟ ଆବଶ୍ୟକତା ରହିଛି। ଏହାଦ୍ୱାରା ହିଁ ସେମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ପାରିବେ ବୋଲି କହିଛନ୍ତି ପ୍ରଫେସର ଅମିତ ବାନାର୍ଜୀ।

ପ୍ରଥମ ଥର ପାଇଁ ଆୟୋଜିତ ଗ୍ରାଜୁଏସନ୍ ଡେ’ ଉତ୍ସବରେ  ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୬ଷ୍ଠ ବ୍ୟାଚ (୨୦୧୨-୨୦୧୭) ଏବଂ ୭ମ ବ୍ୟାଚ (୨୦୧୩-୨୦୧୮)ର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଗ୍ରାଜୁଏସନ୍ ଡେ’ର ଥିମ୍ ରହିଥିଲା “ମେଡିସିନ୍ ଇଜ୍ ନାଇଦର ଇଜି ନର୍ ଡିଫିକଲ୍ଟ, ଇଟି ଇଜ୍ ଆଇଦର୍ ମେଡ୍ ଇଜି ଅର୍ ମେଡ୍ ଡିଫିକଲ୍ଟ” ଅର୍ଥାତ୍ ଔଷଧ ସହଜ ନୁହେଁ କି କଷ୍ଟକର ନୁହେଁ, ଏହାକୁ ସହଜ ଓ କଷ୍ଟକର କରାଯାଇଥାଏ।

ଆୟୋଜିତ କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉପସ୍ଥିତ ଥିଲେ।

ସେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଥିଲେ, ‘‘ଜଣେ ଭଲ ଡାକ୍ତର ହେବା ପାଇଁ ଶୃଙ୍ଖଳିତ ହେବା ସହ ନୈତିକତାକୁ ଗୁରୁତ୍ୱ ଦେବା ଉଚିତ।’’

ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Comment