ଓଡ଼ିଶାଲାଇଭ ବ୍ୟୁରୋ  

ଶିଶୁ ମାନଙ୍କର ଓଠ ଏବଂ ପାଟିରେ ଗ୍ରହଣ ଖଣ୍ଡିଆର ଚିକିତ୍ସା ପାଇଁ ଆଜିଠୁ ମାଗଣାରେ ଅସ୍ତ୍ରୋପଚାର କରାଯିବ। ଏନେଇ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଅପରେସନ୍ ସ୍ମାଇଲ୍ ଏବଂ ବେଙ୍ଗାଲୁରୁସ୍ଥିତ ଇଙ୍ଗା ହେଲଥ୍‌ ଫାଉଣ୍ଡେସନ୍ ଓ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ହାତ ମିଳାଇଛନ୍ତି। ମଙ୍ଗଳବାରଠାରୁ ଏକ ସପ୍ତାହ ଧରି ସୋଆର ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହି ମାଗଣା ଅସ୍ତ୍ରୋପଚାର କରାଯିବ।

ଭାରତ ସମେତ ୟୁଏସ୍ଏ, ୟୁକେ, ସ୍ୱିଡେନ୍, ଫିନ୍ଲ୍ୟାଣ୍ଡ, ଫିଲିପାଇନ୍ସ ଭଳି ୧୧ଟି ଦେଶର ଆନ୍ତର୍ଜାତିକ କ୍ଲେଫ୍ଟ ସର୍ଜନ୍, ଆନେସ୍ଥେସିଓଲୋଜିଷ୍ଟ, ନର୍ସ ଏବଂ ଅନ୍ୟ ମେଡିକାଲ୍ ଭଲ୍ୟୁଂଟିଅରମାନେ ଏହି ଚିକିତ୍ସାରେ ସାମିଲ ହେବେ। ଆଇଡିଏସ୍‌ର ଓରାଲ୍ ଆଣ୍ଡ ମ୍ୟାକ୍ସିଲୋଫେସିଆଲ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଶୋଭନ୍ ମିଶ୍ର ଏହି ଅପରେସନ୍‌ରେ ସ୍ମାଇଲ୍ ଟିମ୍‌ର ନେତୃତ୍ୱ ନେବେ ଏବଂ ତାଙ୍କୁ ଫିଲିପାଇନ୍ସର ପ୍ଲାଷ୍ଟିକ୍ ସର୍ଜନ ଡକ୍ଟର ଲୋରା ମେ ଡେ ଗୁଜ୍ମାନ୍, ଘାନାର ଆନେସ୍ଥେସିଓଲୋଜିଷ୍ଟସ୍ ଡକ୍ଟର ଜୋନାସ୍ ଅଉକୁ ଆଫାରି ଏବଂ କ୍ଲେଫ୍ଟ ନର୍ସିଂ କେୟାର ଇନ୍ଚାର୍ଜ ମିସେଲ୍ ୱିଲିୟମ୍ସ ସମେତ ଅନ୍ୟ ଦେଶରୁ ଆସିଥିବା ଅନେକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସହାୟତା କରିବେ ବୋଲି ସେ କହିଛନ୍ତି।

ସୋଆର ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସର ଫ୍ରଫେସର ନିତା ମହାନ୍ତି କହିଛନ୍ତି, “ଏକ ସପ୍ତାହ ଧରି ହେବାକୁ ଥିବା “ଫ୍ୟୁଚର୍ ଅଫ୍ ସ୍ମାଇଲ୍ସ ମିଶନ୍” କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯେଉଁଭଳି ଭାବରେ ଅପରେସନ୍ ସ୍ମାଇଲ୍ ଟିମ୍ କାର୍ଯ୍ୟ କରୁଛି, ଲାଗୁଛି ସାରା ବିଶ୍ୱ ଏକ ବଡ଼ ପରିବାର।“

ଏହି ଅପରେସନ ପାଇଁ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁଙ୍କ ପରିବାର ପକ୍ଷରୁ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ଦିନ ଧରି ଶିଶୁମାନଙ୍କର ପରୀକ୍ଷା କରାଯିବା ପରେ ପ୍ରାୟ ୧୫୦ ଜଣ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁଙ୍କର ଅପରେସନ୍ କରିବା ପାଇଁ ଆମେ ପ୍ରସ୍ତୁତ ହେଉଛୁ। ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ଅପରେସନ୍ ଗୁଡ଼ିକ କରାଯିବ।

ଅପରେସନ୍ ସ୍ମାଇଲ୍‌ ଭଲ୍ୟୁଣ୍ଟିୟରମାନେ ଏ ପର୍ଯ୍ୟନ୍ତ ଭାରତର ପ୍ରାୟ ୨୪ଟି ସହରରେ ୨୨ ହଜାର ଅପରେସନ ସମ୍ପନ୍ନ କରିଛନ୍ତି ଏବଂ ବର୍ତମାନ ସୋଆ ଏହି କାର୍ଯ୍ୟକୁ ଅଧିକ ସଫଳ କରିବା ପାଇଁ ଅପରେସନ୍ ସ୍ମାଇଲ୍ ସହିତ ହାତ ମିଳାଇଛି । ଅପରେସନ୍ ପାଇଁ ଆସିଥିବା ଟିମ୍ ମେମ୍ବରମାନଙ୍କୁ ଆଇଡିଏସ୍‌ଠାରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ସମ୍ବର୍ଦ୍ଧିତ କରିବା ସହ ଅପରେସନ୍ ସ୍ମାଇଲ୍‌ର ପ୍ରୟାସକୁ ପ୍ରଶଂସା କରିଛନ୍ତି।

୧୯୮୨ ମସିହାରେ ଫିଲିପାଇନ୍ସଠାରେ ଅପରେସନ ସ୍ମାଇଲ୍ ତା’ର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ବର୍ତମାନ ଏହା ୪୫ ଟି ଦେଶରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କୁ ସ୍ୱାଭାବିକ କରିବା ପାଇଁ କାର୍ଯ୍ୟ କରୁଛି।   ଅପରେସନ ସ୍ମାଇଲ୍ ବେଙ୍ଗାଲୁରୁସ୍ଥିତ ଇଙ୍ଗା ହେଲଥ୍‌ ଫାଉଣ୍ଡେସନ୍‌ରେ ସହଭାଗିତାରେ ଭାରତରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କର ଚିକିତ୍ସା କରୁଛି।

Comment