ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ। ଲଡ଼ୁ ପ୍ରିୟ ପ୍ରଭୁ ଗଣପତିଙ୍କୁ ସ୍ଵାଗତ ଜଣାଇବା ପାଇଁ ସାରା ଦେଶ ଚଳଚଞ୍ଚଳ ହୋଇ ଉଠିଛି। ଘରେ ଘରେ ଚାଲିଛି ପ୍ରସ୍ତୁତି। ଘରସଜ୍ଜାଠାରୁ ଆରମ୍ଭ କରି ଲଡ଼ୁ ପ୍ରସ୍ତୁତି ଯାଏଁ। ସେହିପରି ପୂଜା ମଣ୍ଡପରେ ନିଜ ନିଜ ମଣ୍ଡପକୁ ନିଆରା କରିବାକୁ ଆରମ୍ଭ ହେଲାଣି ପ୍ରତିଯୋଗିତା। ନିଜ ଗଣେଶ ମୂର୍ତ୍ତିକୁ ଅଲଗା ଦେଖାଇବା ପାଇଁ ଅଣ୍ଟା ଭିଡ଼ିଲେଣି ଯୁବପିଢ଼ି। କିଏ ଉଚ୍ଚତା ଉପରେ ତ କିଏ ସାଜସଜ୍ଜା ଉପରେ ଗୁରୁତ୍ୱ ଦେଉଛନ୍ତି।

ଭାରତର ସବୁ ସ୍ଥାନରେ ଗଣେଶ ପୂଜା ଖୁବ୍ ଧୁମ୍ ଧାମ୍‌ରେ ପାଳନ କରାଯାଇଥାଏ। କିନ୍ତୁ ମହାରାଷ୍ଟ୍ରର ଗଣେଶ ପୂଜା ସାରା ବିଶ୍ଵରେ ପ୍ରସିଦ୍ଧ। ଏଠି ବହୁତ ଧୁମଧାମ୍‌ରେ ପାଳନ କରାଯାଇଥାଏ ଏହି ପର୍ବ।

ମହାରାଷ୍ଟ୍ରର ଲାଲ୍‌ବାଗ୍‌ ଗଣେଶ ପୂଜାରେ ଆସନ୍ତି ‘ଲାଲ୍‌ବାଗ୍‌କେ ରାଜା’। ଗଣେଶଙ୍କୁ ଲାଲ୍‌ବାଗର ରାଜା ବୋଲି ସଂମ୍ବୋଧନ କରାଯାଏ। ଏଠାରେ ଢୋଲ ବଜାଇ, ନାଚ, ଗୀତରେ ସ୍ୱାଗତ କରାଯାଏ ଗଣପତି ବାପାଙ୍କୁ।

ପ୍ରତିବର୍ଷ ଭଳି ଏଥର ବି ମୁମ୍ବାଇରେ ଧୁମ୍‌ଧାମରେ ଗଣେଶଙ୍କୁ ସ୍ୱାଗତ କରାଯିବ। କିନ୍ତୁ ଇକୋ ଫ୍ରେଣ୍ଡଲି ଷ୍ଟାଇଲ୍‌ରେ। ପରିବେଶକୁ ଦୃଷ୍ଟିରେ ରଖି ଏଥର ମୁମ୍ବାଇରେ କିଛି ପୂଜା କମିଟି ଇକୋ ଫ୍ରେଣ୍ଡଲି ମୂର୍ତ୍ତି ନିର୍ମାଣ କରିଛନ୍ତି।

ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍‌, ବହୁତଗୁଡ଼ିଏ ରଙ୍ଗ ଓ ହାନିକାରକ ରସାୟନଯୁକ୍ତକୁ ନ ବ୍ୟବହାର କରି ସେମାନେ ମୂର୍ତ୍ତି ତିଆରି କରିଛନ୍ତି।

ପୂର୍ବରୁ ଏଭଳି କେମିକାଲ ବ୍ୟବହାର କରି ମୂର୍ତ୍ତି ତିଆରି ହେଉଥିଲା। ଯାହା ପରିବେଶ ପାଇଁ କ୍ଷତିକାରକ। ପୂଜା ପରେ  ଏହି ମୂର୍ତ୍ତିଗୁଡ଼ିକ ଆରବ ସାଗରରେ ବିସର୍ଜନ କରାଯାଏ। ଫଳରେ ବିଷାକ୍ତ ରସାୟନ ଜଳଚର ପ୍ରାଣୀଙ୍କ ପାଇଁ ମୃତ୍ୟର କାରଣ ସାଜିଥାଏ। ଆଉ ଯାହା ପାଣିରେ ଭଲ ଭାବେ ମିଶି ପାରୁନି ସମୁଦ୍ର କୂଳରେ ଆସି ଜମୁଛି। ଯାହାଫଳରେ ପରିବେଶ ଦୂଷିତ ହେଉଛି।

ଗତ ବର୍ଷ ଗଣେଷ ପୂଜା ବିସର୍ଜନର ୭ ଦିନ ପରେ ସମୁଦ୍ର କୂଳରେ ବହୁତଗୁଡ଼ାଏ ମାଛ, କଇଁଚ ଓ ପାଣି ସାପ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍‌ରେ ଥିବା ବିଷାକ୍ତ ରସାୟନ ଏହାର କାରଣ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ତେବେ ଚଳିତବର୍ଷ କାରିଗରମାନେ ଇକୋ ଫ୍ରେଣ୍ଡଲୀ ମୂର୍ତ୍ତି ଉପରେ ବେଶି ଧ୍ୟାନ ଦେଇଛନ୍ତି। ଏହି ମୂର୍ତ୍ତି ତିଆରି କରିବା ପାଇଁ ବହୁତ ଦିନ ଲାଗେ। ତେଣୁ ନବରାତ୍ରୀ ପରେ ପରେ ହିଁ ମୂର୍ତ୍ତି ତିଆରି କାମ ଆରମ୍ଭ କରିଦିଆଯାଇଥିଲା।

ଭଗବାନଙ୍କ ଆଭୁଷଣଗୁଡ଼ିକ ବି ମାଟି ଓ କାଗଜରେ ହିଁ ତିଆରି କରାଯାଇଛି। ଏଥିରେ କଣ୍ଟା ବଦଳରେ ଅଠା ଓ ଛୋଟ ଛୋଟ କାଠ ଖଣ୍ଡ  ବ୍ୟବହାର କରାଯାଇଛି। ଲୋକ ବି ବହୁତ ପସନ୍ଦ କରୁଛନ୍ତି ଏହି ଇକୋ ଫ୍ରେଣ୍ଡଲୀ ମୂର୍ତ୍ତିକୁ। ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ମୂର୍ତ୍ତିଠାରୁ ଇକୋ ଫ୍ରେଣ୍ଡଲୀ ମୂର୍ତ୍ତିର ଦାମ୍ ଅଧିକ।

କାଗଜରେ ତିଆରି ମୂର୍ତ୍ତି

ଲାଲ୍‌ବାଗ୍‌ର ତେଜୁକୟା ନାମକ ଏକ ପ୍ରସିଦ୍ଧ ପୂଜାମଣ୍ଡଳୀରେ କାଗଜ ଓ ମାଟିରେ ୨୨ ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ଏହି ମୂର୍ତ୍ତି ଇକୋ ଫ୍ରେଣ୍ଡଲୀ ବା ପରିବେଶ ଅନୁକୂଳ। ଅନ୍ୟାନ୍ୟ ସାଜସଜ୍ଜା ବି କାଗଜ ଓ ତୁଳାରେ କରାଯାଇଛି। ପ୍ଲାଷ୍ଟିକ୍ ଓ ଥର୍ମୋକୁଲ୍ ବ୍ୟବହାର ଜମା କରାଯାଇନାହିଁ। ଶ୍ରଦ୍ଧାଳୁମାନଙ୍କୁ ବି ମଣ୍ଡଳୀ ତରଫରୁ ଅନୁରୋଧ କରାଯାଇଛି ଯେ ପୂଜା ପାଇଁ ଅଗରବତୀ, ଫୁଲ କିମ୍ବା ନଡ଼ିଆ ନ ଆଣି ପେନ୍ସିଲ, ଖାତା, କଲମ ଆଦି ଉପଯୋଗୀ ଜିନିଷ ଆଣିବାକୁ। ଏହି ଜିନିଷଗୁଡ଼ିକ କୋହ୍ନାପୁର ଓ ସାଂଗଲୀର ବନ୍ୟା ପୀଡ଼ିତଙ୍କୁ ଦାନ କରାଯିବ।

LEAVE A REPLY

Please enter your comment!
Please enter your name here