ନୀଳାମ୍ବର ରଥ

ହାସ୍ୟ ସାହିତ୍ୟର ବିଦୂଷୀ ପଙ୍କଜିନୀ ଦାଶଙ୍କ ସ୍ମୃତିରେ…

ମୋର ଆଦ୍ୟ ସାହିତ୍ୟିକ ଜୀବନରେ ମୁଁ ତାଙ୍କୁ ଜଣେ ନାମକରା ଓ ଦକ୍ଷ ହାସ୍ୟ ବିଦୂଷୀ ଭାବେ ଜାଣିଥିଲି ଜାଣିବାର ବାଟ ଥିଲା ତାଙ୍କ ଲେଖା ପଢ଼ିବା କିମ୍ବା ତାଙ୍କ ସମ୍ପର୍କରେ କାହାଠାରୁ ଶୁଣିବା କିନ୍ତୁ ତାଙ୍କ ସହିତ ମୋର ଦେଖା ହୋଇଥିଲା ଅନେକ ବର୍ଷ ପରେ ସେତେବେଳେ ମୁଁ ‘ଇଟିଭି ଓଡ଼ିଆ’ ଟିଭି ଚ୍ୟାନେଲର ସମ୍ପାଦକ ଭାବେ ହାଇଦ୍ରାବାଦରେ କାମ କରୁଥିଲି।

ଢେଙ୍କାନାଳର ପରିଚିତ ସାହିତ୍ୟ ଅନୁଷ୍ଠାନ ‘ସନ୍ଧ୍ୟାତାରା ସାହିତ୍ୟ ସଂସଦ’ ମୋତେ ସେ ବର୍ଷ ସମ୍ବର୍ଦ୍ଧିତ କରିବା ଅବସରରେ ମୁଁ ପଙ୍କଜିନୀ ଦାଶଙ୍କୁ ଭେଟିଥିଲି ସନ୍ଧ୍ୟାତାରା ସାହିତ୍ୟ ସଂସଦ ଏବଂ ଢେଙ୍କାନାଳର ସାହିତ୍ୟିକ ଓ ସାଂସ୍କୃତିକ ପାଣିପାଗ କ୍ଷେତ୍ରରେ ସେ ଥିଲେ ସମସ୍ତଙ୍କର ପ୍ରିୟ।

ମୁଁ ଇଟିଭିରେ କାମ କଲାବେଳେ ଆମ ନ୍ୟୁଜ୍‌ ଟିମ୍ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱମାନଙ୍କ ଉପରେ ଏକ ଭିଡିଓ ସିରିଜ୍ ପ୍ରସ୍ତୁତ କରୁଥିଲେ ସେହି ଅବସରରେ ପଙ୍କଜିନୀ ଦାଶଙ୍କ ଉପରେ ଏକ ଭିଡିଓ ପ୍ରସ୍ତୁତି ବେଳେ ତାଙ୍କ ମୁହଁରୁ ତାଙ୍କ ହାସ୍ୟ ଉପସ୍ଥାପନାର ଝଲକ ମିଳିଥିଲା ପରବର୍ତ୍ତୀ ସମୟରେ ବିଭିନ୍ନ ଓଡ଼ିଆ ଟେଲିଭିଜନ ଚ୍ୟାନେଲ୍ ପରଦାରେ ପଙ୍କଜିନୀଙ୍କୁ ଦେଖିଲେ ଓ ଶୁଣିଲେ ମନେ ହେଉଥିଲା ଯେ ଅତି ସରଳ ଭାବେ ଏବଂ ହାସ୍ୟ ଛଳରେ ସେ କିଭଳି ଆମ ଜୀବନର ବିଭିନ୍ନ ଅବସ୍ଥା ଓ ଅନୁଭୂତି ତଥା ସାମଗ୍ରିକ ସାମାଜିକ ଚିତ୍ର ବଖାଣି ପାରୁଥିଲେ।

ଯେ କୌଣସି ସାହିତ୍ୟରେ ହାସ୍ୟ ଏକ ପ୍ରମୁଖ ଅଙ୍ଗ ହାସ୍ୟ ସାହିତ୍ୟ ଭିତରେ ସବୁବେଳେ ଦୁଇଟି ଫାଇଦା ଦେଖିବାକୁ ମିଳେ ଗୋଟିଏ ହେଲା ଜଣେ ପାଠକ ବା ଶ୍ରୋତା ହାସ୍ୟରସରୁ ଆନନ୍ଦ ପାଇବା ଏବଂ ଦ୍ୱିତୀୟ ତଥା ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ସେହି ହାସ୍ୟ ଛଳ ଭିତରେ ଅନେକ ଅକୁହା, ଅସହଜ ଏବଂ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାର ଉପସ୍ଥାପନା ହାସ୍ୟ ସାହିତ୍ୟର ପାଠକ ଅନେକ, କିନ୍ତୁ ଲେଖକ ବହୁତ କମ୍ ଓଡ଼ିଶାର ହାତଗଣତି ହାସ୍ୟ ଲେଖକଙ୍କ ଭିତରେ ଜଣେ ଥିଲେ ପଙ୍କଜିନୀ।

ପଙ୍କଜିନୀ ଦାଶ ସ୍କୁଲ୍‌ରେ ପଢ଼ିଲାବେଳଠାରୁ ଆରମ୍ଭ କରିଥିଲେ ଲେଖାଲେଖି କବିତା ଓ ଗଳ୍ପ ଥିଲା ତାଙ୍କ ଆଦ୍ୟ ସାହିତ୍ୟିକ ଜୀବନର ପ୍ରମୁଖ ଧାରା ତେବେ ବେଶ୍ କିଛିଦିନ ପର୍ଯ୍ୟନ୍ତ ସେ ପଙ୍କଜିନୀ ନାଁ ବ୍ୟବହାର ନକରି ‘ପଙ୍କଜା’ ନାଁରେ ଲେଖୁଥିଲେ ପରବର୍ତ୍ତୀ ସମୟରେ ସେ ତାଙ୍କର ପୂରା ନାଁ ବ୍ୟବହାର କରିବା ସହ ଧୀରେ ଧୀରେ ହାସ୍ୟ ରସାତ୍ମକ ସାହିତ୍ୟକୁ ତାଙ୍କର ପରିଚୟ ରୂପେ ପ୍ରତିଷ୍ଠା କରିଥିଲେ।

ଯେତେବେଳେ ଓଡ଼ିଆ ସାହିତ୍ୟରେ ଉପନ୍ୟାସ, ଗଳ୍ପ ଏବଂ କବିତା ସହ ସମତାଳରେ ରମ୍ୟ ରଚନା ସୃଷ୍ଟି ହେଉଥିଲା ସେ ସମୟର ଜଣେ ଆଗଧାଡ଼ିର ବିଦୂଷୀ ଥିଲେ ପଙ୍କଜିନୀ।

ପରବର୍ତ୍ତୀ ସମୟରେ ଲେଖିକାଙ୍କ ସହ ଆଉ କେତେକ ସ୍ଥାନରେ ଏବଂ କାର୍ଯ୍ୟକ୍ରମରେ ମୋର ସାକ୍ଷାତ ହୋଇଛି ଢେଙ୍କାନାଳ ଓ ସାହିତ୍ୟ କଥା ଯେତେବେଳେ ଉଠିଛି ସେତେବେଳେ ପଙ୍କଜିନୀଙ୍କ ନାଁ ଆଲୋଚନାକୁ ନିଶ୍ଚିତ ଆସିଛି।

ବାସ୍ତବରେ ପଙ୍କଜିନୀ ଦାଶ ଜଣେ ହାସ୍ୟ ସାହିତ୍ୟ ସ୍ରଷ୍ଟା ହିସାବରେ ଯେତିକି ମନେ ପଡ଼ନ୍ତି ତା’ଠାରୁ ଅଧିକ ମନେ ପଡ଼ନ୍ତି ଜଣେ ସ୍ନେହୀ ମଣିଷ ହିସାବରେ – ଯେମିତି ମୋର ନିଜର ମା’ କି ମାଉସୀ!

(ଲେଖକ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଏବଂ ଇଟିଭି ଓ ନ୍ୟୁଜ୍-୧୮ ଓଡ଼ିଆର ପୂର୍ବତନ ସମ୍ପାଦକ)

Comment