ଓଡ଼ିଶାଲାଇଭ ବ୍ୟୁରୋ

ରଖେ ହରି ମାରେ କିଏ। ଏହି ଉକ୍ତିର ସତ୍ୟତା ଜଣେ ବାଳକ କ୍ଷେତ୍ରରେ ଦେଖାଯାଇଛି। ଦୀର୍ଘ ୧୦ ଦିନ ଏକ ପାଣି ଟାଙ୍କିରେ ଫସି ରହିବା ପରେ ବୁଧବାର ତାକୁ ଉଦ୍ଧାର କରାଯାଇଛି। ବାଳକ ଜଣକ ହେଉଛନ୍ତି ରାଉରକେଲା ଉପକଣ୍ଠ ବନ୍ଧମୁଣ୍ଡା ଅଞ୍ଚଳର। ବାଳକ ଜଣକ ପାରା ଧରିବାକୁ ଯାଇ ଏକ ୩୦ ଫୁଟ ପାଣି ଟାଙ୍କି ଭିତରେ ଫସି ଯାଇଥିଲେ ଓ ୧୦ ଦିନ ଧରି ପାଣି ପିଇ ଜୀବନ ବଞ୍ଚାଇଥିଲେ।

ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡୁମେର୍ତ୍ତା ସିନେମା ଟୋଲିର ଜଣେ ୧୪ ବର୍ଷର ବାଳକ ଗତ କିଛିଦିନ ହେବ ନିଖୋଜ ଥିଲେ। ତାଙ୍କ ନିଖୋଜ ପରେ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ। ବାଳକ ଜଣକ ନମିଳିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ନିଖୋଜର ୧୦ ଦିନ ପରେ ବୁଧବାର ରେଳନଗରୀ ବନ୍ଧମୁଣ୍ଡା ବି ସେକ୍ଟରସ୍ଥିତ ଓଭରହେର୍ଡ ପାଣି ଟାଙ୍କିରୁ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ଉଦ୍ଧାର ପରେ ବାଳକ କହିବାନୁସାରେ ପାରା ଧରିବାକୁ ଆସି ଅନ୍ୟମନସ୍କ ହେତୁ ଟାଙ୍କିରେ ଗଳି ପଡ଼ିଥିଲେ। ପଡ଼ିଯିବା ପରେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ ହେଲେ କେହି ଶୁଣି ନଥିଲେ। ଟାଙ୍କି ଭିତରେ ଥିବା ଏକ ଲୁହା ସିଡ଼ିରେ ଚଢ଼ି ଉପରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ତାହା ଭାଙ୍ଗି ପଡ଼ିଥିଲା। ଫଳରେ ଉପାୟଶୂନ୍ୟ ହୋଇ ସେଠାରେ ଫସି ରହିଥିଲେ।

ତେବେ ବୁଧବାର ସେ ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକ ଚିତ୍କାର ଶୁଣି ଟାଙ୍କି ଉପରକୁ ଯାଇ ବାଳକକୁ ଠାବ କରିଥିଲେ। ପରେ ରେଳବାଇ ଜଳ ଯୋଗାଣ ବିଭାଗକୁ ଖବର ଦେଇଥିଲେ। ଜଳ ଯୋଗାଣ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ ରଶି ସହାୟତାରେ ବାଳକକୁ ଉଦ୍ଧାର କରିଥିଲେ।

Comment