ଓଡ଼ିଶାଲାଇଭ୍‌ ବ୍ୟୁରୋ  

ହ୍ୱାଟ୍ସଆପ୍‌ରୁ ପ୍ରେମ ଆଉ ତାପରେ ଶାରୀରିକ ସଂପର୍କ। ଏବେ ବିବାହ କରିବାକୁ ଯୁବତୀ ଅଡ଼ି ବସିବା ପରେ ଥାନା ପରିସରରେ ଯୁବତୀଙ୍କ ପରିବାର ଉପରକୁ ଆକ୍ରମଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ସେଶଖାଲ ଥାନା ପରିସରରେ।

ସେଶଖାଲ ଥାନା ପ୍ରାଙ୍ଗଣରେ ପ୍ରତାରିତା ପ୍ରେମିକାକୁ ପ୍ରେମିକର ପରିବାର ଲୋକେ ମାଡ଼ ମାରିଥିବା ଅଭିଯୋଗ ଆସିଛି। ପୋଲିସର ଉପସ୍ଥିତିରେ ଯୁବତୀ ଏବଂ ତାଙ୍କ ପରିବାର ଉପରକୁ ଆକ୍ରମଣ କରାଯାଇଛି। ଫଳରେ ଯୁବତୀଙ୍କୁ ଜେମାଦେଇପେଣ୍ଠ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ୨୯ ତାରିଖ ଦିନ ସେଶଖାଲ ଥାନାରେ ପ୍ରେମିକ ଧୀରେନ ପଟ୍ଟନାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ମୂତାବିକ, ପ୍ରେମିକ ଧୀରେନ ପଟ୍ଟନାୟକ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ବର୍ତ୍ତମାନ ବିବାହ କରିବାକୁ ମନା କରୁଛନ୍ତି।

ତେବେ ଶନିବାର ପୋଲିସ ଉଭୟ ପରିବାରକୁ ଥାନାକୁ ଡକାଇ ବୁଝା ସୁଝା କରିଥିଲା। ହେଲେ ଘଟଣାସ୍ଥଳରେ ଧୀରେନର ପରିବାର ହଠାତ ରାଗିଯାଇ ପ୍ରେମିକା ଓ ତାଙ୍କ ପରିବାର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ପୋଲିସ ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ମୂତାବିକ, ୨୦୧୭ ମସିହାରେ ଝାଡଖଣ୍ଡର ଯୁବତୀ ରାୟଗଡ଼ାର ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ। ସେହି ସମୟରେ କଲେଜର ଅଧ୍ୟାପକ ଧୀରେନ୍ କୁମାର ପଟ୍ଟନାୟକଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ବିବାହର ପ୍ରତିଶ୍ରୁତି ଦେଇ ଧୀରେନ୍‌ ଉକ୍ତ ଯୁବତୀଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ।

ଇଂଜିନିୟରିଂ ପାଠ ଶେଷ ହେବା ପରେ ଅଧ୍ୟାପକ ଜଣକ ଉକ୍ତ ଯୁବତଙ୍କୁ ରାୟଗଡ଼ା ସହରର ଏକ ଭଡ଼ା ଘରେ ରଖିଥିଲେ। ପରେ ଯୁବତୀ ଜଣକ ବାହା ହେବାକୁ କହିବାରୁ ଧୀରେନ୍ ମନା କରିଦେଇଥିଲେ। ଗତ ୨୯ ତାରିଖରେ ପରିବାର ଲୋକେ ଅଧ୍ୟାପକ ଧୀରେନ୍ ରହୁଥିବା ପିତାମହଲ ଗ୍ରାମର ଘର ଆଗରେ ଧାରଣା ଦେବା ସହ ସେଶଖାଲ ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରହିଥିବା କଥାକୁ ଧୀରେନ୍ ସ୍ୱୀକାର କରିଥିବା ବେଳେ ତାଙ୍କୁ ଯୁବତୀ ଜଣକ ଫସାଇବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି।

ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିଆ ମିଳିପାରିନଥିବା ବେଳେ ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Comment