ଓଡ଼ିଶାଲାଇଭ୍ ବ୍ୟୁରୋ

ରଘୁନନ୍ଦନ ପାଠାଗାର ମାଟିରେ ମିଶିବା ପରେ ଆଜି ପ୍ରଶାସନ ଏମାର ମଠର ମୂଳ ଗାଦିରେ ହାତ ମାରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହେଲେ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ଛାଡି ବାହାରକୁ ଆସୁ ନଥିବାରୁ ପ୍ରଶାସନ ଅଡୁଆରେ ପଡ଼ିଛି।

ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଏବେ ଏହି ପ୍ରକ୍ରିୟା ପୁରୀରେ ଜୋରଦାର ଚାଲିଛି। ୭୫ ମିଟର ପରିସରରେ ଐତିହାସିକ ଏମାର ମଠ ଆସୁଛି। ଏହି ମଠ ଭାଙ୍ଗିବାକୁ ପ୍ରଶାସନ ପୂର୍ବରୁ ନୋଟିସ୍‌ ଦେଇଥିଲା।

ନୋଟିସ୍‌ ନେଇ ପ୍ରଶାସନିକ ଅଧିକାରୀ ମଠ ମହନ୍ତଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ମହନ୍ତ ଅସୁସ୍ଥ ଥିବାରୁ ଦେଖା ହୋଇପାରିବନି ବୋଲି ମଠ ପକ୍ଷରୁ କୁହାଯାଇଥିଲା। ଶେଷରେ ପ୍ରଶାସନ ମଠ ବାହାରେ ଲଟ୍‌କା ଟଙ୍ଗାଇଥିଲା।

ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏମାର ମଠ ପାଳି ପଡ଼ିଥିଲା। ଐତିହାସିକ ଏମାର ମଠରୁ ସମସ୍ତ ଜିନିଷ ପତ୍ର ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଜିନିଷ ପତ୍ର ଖାଲି କରିଥିଲେ ମଠ କର୍ମଚାରୀ।

ଗୋଟିଏ ପଟେ ଜିନିଷ ପତ୍ର ଖାଲି ହେଉଥିବା ବେଳେ ଅନ୍ୟପଟେ ମହନ୍ତ ରାଜଗୋପାଳ ରାମାନୁଜ ମହାରାଜ ଗୁରୁବାର ଦିନ ମୌନ ବତ୍ରରେ ବସିଥିବା ଖବର ଆସିଲା। ପ୍ରଶାସନିକ ଅଧିକାରୀ ଗୁରୁବାର ମହନ୍ତଙ୍କୁ ଭେଟି କବାଟକିଳି  ଆଲୋଚନା କରିଥିବା ଦାବି କରିଥିଲେ। ଆଲୋଚନା କ’ଣ ହେଲା ତାହା କେବଳ ପ୍ରଶାସନିକ ଅଧିକାରୀଙ୍କୁ ହିଁ ଜଣା।

ଶୁକ୍ରବାର ଦିନ ଖବର ଆସିଲା ଯେ ମହନ୍ତ କବାଟକିଳି ନିଜ ଗାଦିରେ ବସିଛନ୍ତି। ସେ ଗାଦି ଛାଡ଼ିବାକୁ ରାଜି ନଥିବା କୁହାଗଲା। ମହନ୍ତଙ୍କ ସହିତ ପ୍ରଶାସନର କ’ଣ ଆଲୋଚନା ହୋଇଛି ଏବଂ ସେ କେମିତି ବାହାରକୁ ଆସିବେ ସେନେଇ କୌଣସି ଅଧିକାରୀ ପ୍ରତିକ୍ରିୟା ରଖୁ ନାହାନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ମହନ୍ତ ତାଙ୍କ ଗାଦି ଛାଡ଼ିବାକୁ ରାଜି ନାହାନ୍ତି। ପ୍ରଶାସନର ଏଭଳି ନିଷ୍ପତ୍ତି ଉପରେ ମହନ୍ତ ଅସନ୍ତୁଷ୍ଟ ଥିବା କୁହାଯାଉଛି। ପ୍ରଶାସନ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ସହ ଠିକ୍‌ ଭାବେ ଆଲୋଚନା କରି ନଥିବା ମନେହେଉଛି।

କୁହାଯାଉଛି ମଠର କିଛି କୋଠରୀ ଅସୁରକ୍ଷିତ ଥିବାରୁ ଏହାକୁ ଭଙ୍ଗାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରଥମେ ମହନ୍ତଙ୍କୁ ଅବଗତ କରାଯାଇଥିଲା। ହେଲେ ପ୍ରଶାସନ ପୂରା ମଠ ଉଚ୍ଛେଦ କରିବାକୁ ଚାହୁଁଥିବା ଜଣାପଡ଼ିବା ପରେ ମହନ୍ତ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ସେହିପରି ରଘୁନନ୍ଦନ ପାଠାଗାର ଉଚ୍ଛେଦ ସମ୍ପର୍କରେ ମହନ୍ତଙ୍କୁ ଅବଗତ କରାଯାଇ ନଥିଲା। ପାଠାଗାର ନଭାଙ୍ଗିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ ମହନ୍ତ। ହେଲେ ପ୍ରଶାସନ ମହନ୍ତଙ୍କ କଥା ରଖିନି। ଗତ ଦୁଇ ଦିନରେ ପ୍ରଶାସନ ବୁଲ୍‌ଡୋଜର ଲଗାଇ ପାଠାଗାରକୁ ମାଟିରେ ମିଶାଇ ଦେଇଛି। ଏଣୁ ଏଥିରେ ମହନ୍ତ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ତାଛଡ଼ା ଏମାର ମଠ ମହନ୍ତ ବାହାରକୁ କେବେ ଆସନ୍ତି ନାହିଁ। ଶ୍ରୀମନ୍ଦିରର ବିଭିନ୍ନ ପୂଜା ପାର୍ବଣ ବେଳେ ହିଁ ମହନ୍ତ ଆସନ୍ତି। ମଠ ଉଚ୍ଛେଦ ହେବା ପରେ ମହନ୍ତ କେଉଁଠି ରହିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶେଷର ପ୍ରଶାସନ ମହନ୍ତଙ୍କ ରହିବା ପାଇଁ କଣ୍ଟେନର ଭଳି ଅସ୍ଥାୟୀ ଘର ତିଆରି କରିଥିବା ଜଣାପଡ଼ିଲା। ହେଲେ ମହନ୍ତ ଏହି ଅସ୍ଥାୟୀ ଘରେ ରହିବା ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଛି।

‘‘ଏମାର ମଠ ଅସୁରକ୍ଷିତ ଅବସ୍ଥାରେ ରହିଥିଲା। ଆମେ ଏହାକୁ ଭାଙ୍ଗିବା ପାଇଁ ପୂର୍ବରୁ ନୋଟିସ୍‌ କରିଥିଲୁ। ମଠ ମହନ୍ତଙ୍କ ସହିତ ଆମେ ଆଲୋଚନା କରିଛୁ। ଆସନ୍ତା କାଲି ପୁଣି ଅସୁରକ୍ଷିତ ଅଂଶ ଉଚ୍ଛେଦ କରିବୁ। କଣ୍ଟେନର ଆସିଛି। ମହନ୍ତ ଚାହିଁଲେ ସେଠାରେ ରହିପାରିବେ’’, କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ।

ଶ୍ରୀମନ୍ଦିର ସହିତ ଏମାର ମଠର ସମ୍ପର୍କ

ଏମାର ମଠ ହେଉଛି ୯୦୦ ବର୍ଷ ତଳର ପୁରୁଣା। ଏହି ମଠର ଅନେକ ମହାତ୍ମ୍ୟ ରହିଛି। ଶ୍ରୀମନ୍ଦିର ପରମ୍ପରା ସହିତ ଏମାର ମଠର ସମ୍ପର୍କ ଯୋଡ଼ି ହୋଇ ରହିଥିଲା। ମଠ ଭିତରେ ଥିଲା ଝୁଲଣ ମଣ୍ଡପ। ଏହି ମଣ୍ଡପରେ ପ୍ରତିବର୍ଷ ଝୁଲଣ ଯାତ୍ରା ବେଳେ ଲକ୍ଷ୍ମୀ-ନାରାୟଣ ବିରାଜମାନ କରିଥାନ୍ତି।

ଶ୍ରୀମନ୍ଦିରରେ ରହିଛି ବଲ୍ଲଭ ନୀତି। ପ୍ରତିଦିନ ଏହି ନୀତି ପାଇଁ ଯାହା ଦରକାର ହୁଏ ତାହା ମଠ ତରଫରୁ ଯୋଗାଇ ଦିଆଯାଇଥାଏ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ବାଳଭୋଗ ନୀତି ଅନୁଷ୍ଠିତ ହୋଇଥାଏ। ଏହି ନୀତିରେ ମଠର ଅବଦାନ ଗୁରୁତ୍ୱପୂର୍ଣ୍ଣ। ରଥଯାତ୍ରା, ସୁନାବେଶ ଏବଂ ନୀଳାଦ୍ରି ବିଜେରେ ମହାପ୍ରଭୁଙ୍କ ପାଖରେ ମଠ ମହନ୍ତଙ୍କର ଚାମର ସେବା ରହିଥିଲା।

ଏମାର ହେଉଛି ଧନୀ ମଠ। ଯେତେବେଳେ ଶ୍ରୀମନ୍ଦିରରେ ନୀତିକାନ୍ତି କରିବାକୁ ଆର୍ଥିକ ଅସୁବିଧା ଦେଖାଦେଉଥିଲା ସେତେବେଳେ ଏମାର ମଠ ହିଁ ଏସବୁ ସମ୍ଭାଳୁଥିଲା। ନଅଙ୍କ ଦୁର୍ଭିକ୍ଷ ବେଳେ ଏମାର ମଠ ଲୋକଙ୍କ ପାଖରେ ଛିଡ଼ା ହୋଇଥିଲା।

ପ୍ରଶାସନ ଏହି ଐତିହାସିକ ଏମାର ମଠ ଭାଙ୍ଗୁଥିବାରୁ ଶ୍ରୀମନ୍ଦିର ପରମ୍ପରା କେମିତି ଅକ୍ଷୁର୍ଣ୍ଣ ରହିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଝାନ୍‌ସିରୁ ଆସିଛନ୍ତି ବର୍ତ୍ତମାନର ମହନ୍ତ

ରାଜଗୋପାଳ ରାମାନୁଜ ଦାସ ହେଉଛନ୍ତି ଝାନ୍‌ସିର ବାସିନ୍ଦା। ସେ ଝାନ୍‌ସିରୁ ଆସି ଏମାର ମଠର ମହନ୍ତ ହୋଇଥିଲେ। ମହନ୍ତ ହେବା ପରେ ସେ ମଠର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ।

ଏମାର ମଠର ମହନ୍ତମାନେ ବାହାରକୁ ଆସନ୍ତି ନାହିଁ। ଦନାତନ ଧର୍ମର କେମିତି ପ୍ରଚାର ପ୍ରସାର ହେବ ସେନେଇ ମହନ୍ତମାନେ ମଠରେ ରହି ଆଲୋଚନା କରିଥାନ୍ତି। ୨୦୧୧ରେ ଯେତେବେଳେ ରୁପା ଇଟା ବାହାରିଲା ସେତେବେଳେ ହିଁ ମହନ୍ତ ରାଜଗୋପାଳ ରାମାନୁଜ ଦାସ ସାମ୍ନାକୁ ଆସିଲେ।

 ପ୍ରଶାସନ କରିବ କ’ଣ?

ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛି ପ୍ରଶାସନ। ଶନିବାର ସକାଳୁ ପୁଣି ଉଚ୍ଛେଦ ପକ୍ରିୟା ଆରମ୍ଭ ହେବ। ଏବେ ପ୍ରଶ୍ନ ଉଠୁଛି ମହନ୍ତ ତାଙ୍କ ଗାଦି ଛାଡ଼ିବେ ତ? ଯଦି ମହନ୍ତ ଗାଦିରୁ ନଆସନ୍ତି ତାହାଲେ ପ୍ରଶାସନ କରିବ କ’ଣ? ତାଙ୍କୁ ମନେଇବ ନା ଜୋର ଜବରଦସ୍ତ କାହାରକୁ ଆଣିବାର ବ୍ୟବସ୍ଥା କରିବ?

ମହନ୍ତ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ସେ ନିଜ ଗାଦି ଛାଡ଼ିବାକୁ ରାଜି ନାହାନ୍ତି। ଏପଟେ ପ୍ରଶାସନ ମଧ୍ୟ ନିଜ ଜିଦ୍‌ରେ ଅଟଳ ରହିଛି। ଯେମିତି ହେଲେ ମଠ ଉଚ୍ଛେଦ କରିବାକୁ ପ୍ରଶାସନ ଉଦ୍ୟମ କରୁଛି। ତେବେ ମହନ୍ତ ଗାଦି ଛାଡୁଛନ୍ତି ନା ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।

LEAVE A REPLY

Please enter your comment!
Please enter your name here