ଓଡ଼ିଶାଲାଇଭ ବ୍ୟୁରୋ

ଗଛ ପଡ଼ି ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା କଲେଜ ଛକ ନିକଟରେ। ଛାତ୍ରୀ ଜଣକ ହେଉଛନ୍ତି କଜଳା ଅଞ୍ଚଳର ଶିଶିର ବଳଙ୍କ ଝିଅ ଶଜଲ ବଳ। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶଜଲ ଟିଉସନ ସାରି ଘରକୁ ଫେରୁଥିବା ବେଳେ ଅର୍ବାନ ବ୍ୟାଙ୍କ ପରିସରରେ କଟା ଯାଉଥିବା ଏକ ଗଛ ତାଙ୍କ ଉପରେ ପଡ଼ିଯାଇଥିଲା। ଗଛ ପଡ଼ିଯିବା ଯୋଗୁଁ ଗଛ ତଳେ ଚାପି ହୋଇଯାଇଥିଲେ ଶଜଲ। ତେବେ ଶଜଲଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ତେବେ ଅର୍ବାନ ବ୍ୟାଙ୍କ ପାଚେରୀ ମଧ୍ୟରୁ ଗଛକୁ କଟାଯାଉଥିବା ବେଳେ ବାହାରେ କୌଣସି ବିପଦ ସଂକେତ କାହିଁକି ଦିଆ ଯାଇନଥିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଶଜଲଙ୍କ ବାପା ଶିଶିର ବଳ କେନ୍ଦ୍ରାପଡା ଟାଉନ ଥାନାରେ ଅର୍ବାନ ବ୍ୟାଙ୍କର ଦାୟିତ୍ଵହୀନତାକୁ ଦାୟୀକରି ଏକ ଅଭିଯୋଗ ଦେଇଛନ୍ତି।

Comment