ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେପିରେ କେହି ପଚାରୁ ନାହାନ୍ତି। ଏକଥା ଆମେ କହୁନୁ, ନିଜେ ଦାମ ଏକଥା ଗତ ଦୁଇ ଦିନ ତଳେ ଗଣମାଧ୍ୟମକୁ କହିଥିଲେ। ଦାମଙ୍କ ମୁହଁରେ ଏଭଳି କଥା ଶୁଣିବା ପରେ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ହେଉଛି। ଦାମ ବିଜେଡି ଯିବା ପାଇଁ ମନ ବଳାଇଥିବା କୁହାଯାଉଛି। ହେଲେ ନବୀନ କ’ଣ ଦାମଙ୍କୁ ପୁଣି ସ୍ୱାଗତ କରିବେ କି?

ଦାମ ଆହୁରି କହିଥିଲେ, ‘‘ନବୀନଙ୍କ ବିରୋଧରେ ମୁଁ କେବେ ସଂଗ୍ରାମ କରିନି। ଦୁର୍ନୀତି ବିରୋଧରେ ମୁଁ ସଂଗ୍ରାମ କରୁଥିଲି।’’

ଖାଲି ସେତିକି ନୁହେଁ, ଦାମ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପିର ଆଭିମୁଖ୍ୟକୁ ବି ସମାଲୋଚନା କରିଥିଲେ। ସେ କହିଥିଲେ ଯେ ବିରୋଧୀ ଦଳ ଯାହା କରିବା କଥା ତାହା ଠିକ୍‌ରେ ହୋଇପାରୁନି। କଂଗ୍ରେସର ଆଭିମୁଖ୍ୟରୁ ଜଣାପଡ଼ୁଛି ସେ ହିଁ ମୁଖ୍ୟ ବିରୋଧୀ ଦଳ।

ଦାମଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ସେ ନବୀନଙ୍କୁ ସନ୍ତୁଷ୍ଟ କରି ବିଜେଡି ଆସିବାକୁ ଚାହୁଁଛନ୍ତି। ହେଲେ ନବୀନଙ୍କ ସରକାରରେ ଯେଉଁମାନଙ୍କୁ ଦାମ ଟାର୍ଗେଟ କରି ଆସୁଥିଲେ ସେମାନେ ଏବେ ବି ନବୀନଙ୍କ ଚାରିପଟେ ଅଛନ୍ତି। ଏଣୁ ଦାମ ବିଜେଡିକୁ କେମିତି ଆସିବେ ତାହା ରାଜନୀତି କରିଡ଼ରରେ ଚର୍ଚ୍ଚା ସୃଷ୍ଟି କରିଛି।

ଦାମ-ବିଜେଡି ଭିତରେ ବଢ଼ିଥିଲା ଦୂରତା

ଦାମ ବିଜେଡିରେ ଥିବା ବେଳେ ହିଁ ସେହି ଦଳର ନେତା, ମନ୍ତ୍ରୀଙ୍କ ବିରୋଧରେ ବିଷୋଦ୍‌ଗାର କରୁଥିଲେ। ସବୁ ଗୁମର ପଦାରେ ପକାଉଥିଲେ। ଫଳରେ ବିଜେଡି ଓ ଦାମଙ୍କ ଭିତରେ ଥିବା ଦୂରତା ବଢ଼ିଥିଲା।

ଦାମଙ୍କ ହାତରୁ ପ୍ରଥମେ ମନ୍ତ୍ରୀ ପଦ କାଢ଼ି ନିଆଯାଇଥିଲା। ଅଙ୍ଗନବାଡ଼ି କର୍ମୀ ଏବଂ ବ୍ରାହ୍ମଣମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଦାମ ମନ୍ତ୍ରୀ ପଦ ହରାଇଥିଲେ। ଏହାପରେ ଦାମ ଚୁପ୍‌ ବସି ନଥିଲେ। ଗଣମାଧ୍ୟମ ଆଗରେ ବିଜେଡି ନେତାଙ୍କ ଉପରେ ବର୍ଷିଥିଲେ।

ଏହାପରେ ଦାମଙ୍କୁ ଦଳର ଉପ-ସଭାପତି ପଦରୁ ହଟାଇ ଦିଆଗଲା। ଏହି ପଦବୀ ଚାଲିଯିବା ପରେ ଦାମଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା। ଗୋଟିଏପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ଦାମଙ୍କ ମନ୍ତବ୍ୟ ଦଳ ପାଇଁ ଅଡୁଆ ବଢ଼ାଇବାରେ ଲାଗିଲା। ଶେଷରେ ଦାମଙ୍କୁ ଦଳରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଦଳରୁ ବିଦା ହେବା ପରେ ଦାମ ତାଙ୍କ ଅସଲ ରୂପ ଦେଖାଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ସମାଲୋଚନା କରିଥିଲେ। ନବୀନଙ୍କ ସମେତ ତୃତୀୟ ମହଲା ଅଫିସରଙ୍କୁ ବି ତୀର ମାରିଥିଲେ ଦାମ।

ନିର୍ବାଚନ ପାଖେଇ ଆସୁଥିବାରୁ ଦାମ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବିଜେଡି ବିରୋଧରେ ସମାବେଶ କଲେ। ଜଗତସିଂହପୁର, ମାହାଙ୍ଗା, ବାରିପଦା ଆଦି ସ୍ଥାନରେ ଦୁର୍ନୀତି ବିରୋଧୀ ସମାବେଶ କଲେ ଦାମ।

ପଦ୍ମ ଧରିଲେ ଦାମ, ଏବେ ସମାଲୋଚନା

ନିର୍ବାଚନ ବେଳେ ଦାମ କ’ଣ କରିବେ ତାକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ବଢ଼ିଲା। କିଏ କହିଲା ଦାମ ବିଜୁ ଅନୁଗତଙ୍କୁ ନେଇ ଦଳ ଗଢ଼ିବେ ତ ପୁଣି ଆଉ କିଏ କହିଲା ଦାମ ବିଜେପି ଯିବେ। ଶେଷରେ ଦାମ ନୂଆଦିଲ୍ଲୀ ଯାଇ ପଦ୍ମ ଧରିଥିଲେ।

ପଦ୍ମ ଧରିବା ପରେ ଦାମ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ଟିକେଟ ନେଇଥିଲେ। ହେଲେ ଦାମଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ନିର୍ବାଚନ ହାରିବା ପରେ ଦାମ ପୂରା ନୀରବ ରହିଥିଲେ। ମାତ୍ର ଗତ ଦୁଇ ଦିନ ତଳେ ଦାମ ମୁହଁ ଖୋଲି ବିଜେପି ଉପରେ ବୋମା ପକାଇଛନ୍ତି। ତାଙ୍କୁ ଦଳରେ କେହି ପଚାରୁ ନଥିବା କହି ଦାମ ବିଜେପି ଶିବିରରେ ହଟଚମଟ ସୃଷ୍ଟି କରିଛନ୍ତି।

ନବୀନ ସ୍ୱାଗତ କରିବେ କି?

ଦାମଙ୍କ ମନ୍ତବ୍ୟ କହୁଛି ଯେ ସେ ବିଜେଡି ଆସିବାକୁ ଚାହୁଁଛନ୍ତି। ହେଲେ ଦାମ ଯେଉଁଭଳି ପରିସ୍ଥିତିରେ ବିଦା ହେଲେ ତାଙ୍କୁ କ’ଣ ନବୀନ ପୁଣିଥରେ ଦଳକୁ ସ୍ୱାଗତ କରିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦାମ ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ। ବିଜେଡି ଗଠନ ହେବା ପରେ ଦାମ ନବୀନଙ୍କ ଶାସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ। ହେଲେ ଦାମ ୨୦୧୯ ନିର୍ବାଚନ ପୂର୍ବରୁ ଦୁର୍ନୀତିଗ୍ରସ୍ତ ନେତା ମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉତ୍ତଳନ କରି ବିବାଦୀୟ ହୋଇଥିଲେ। ଶେଷରେ ତାଙ୍କୁ ବିଦା ହେବାକୁ ପଡ଼ିଥିଲା।

Comment