ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ଲୁକ୍‌, ନୂଆ ଜୋଶରେ ନଜର ଆସିଲେ ଭାରତୀୟ ବାୟୁସେନା ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ। ବାୟୁସେନା ମୁଖ୍ୟ ବିଏସ୍‌ ଧନଓ୍ୱାଙ୍କ ସହ ପଠାନକୋଟ୍ ଏୟାରବେସ୍‌ରେ ଅଭିନନ୍ଦନ ବିମାନ ଉଡ଼ାଇଛନ୍ତି। ପାକିସ୍ତାନରୁ ମୁକୁଳିବା ପରେ ଆଜି ପ୍ରଥମ ଥର ପାଇଁ ବିମାନ ଉଡ଼ାଇଛନ୍ତି ଅଭିନନ୍ଦନ।

ଫେବ୍ରୁଆରି ୨୭ ତାରିଖର ଘଟଣା। ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ଭାରତ ସୀମାରେ ଅନୁପ୍ରବେଶ କରିଥିଲା ପାକିସ୍ତାନର ଲଢୁଆ ବିମାନ ଏଫ୍-୧୬। ଭାରତୀୟ ସେନା ଶିବିରକୁ ଟାର୍ଗେଟ କରିଥିଲା ଏହି ପାକ୍ ବିମାନ। ଭାରତୀୟ ସୀମା ଭିତରକୁ ଏଫ୍‌-୧୬ ପ୍ରବେଶ କରିବା ମାତ୍ରେ ଏହାର ଜବାବ ଦେବା ପାଇଁ ଆଗେଇ ଆସିଥିଲେ ଅଭିନନ୍ଦନ।

ଅଭିନନ୍ଦନଙ୍କ ମିଗ୍‌ ବିମାନ ଏବଂ ଏଫ୍‌-୧୬ ଭିତରେ କଡ଼ା ଟକ୍କର ହୋଇଥିଲା। ପ୍ରାୟ ୮୬ ସେକେଣ୍ଡ ପର୍ଯ୍ୟନ୍ତ ଉଭୟଙ୍କ ଭିତରେ ଲୁଚକାଳି ଖେଳ ଚାଲିଥିଲା। ଏହାପରେ ପାକିସ୍ତାନର ଏଫ୍‌ ୧୬ ଫାଇଟର ଜେଟ୍‌କୁ ତଳକୁ ଖସାଇଥିଲେ ଅଭିନନ୍ଦନ। ଏହାରି ମଧ୍ୟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲା। ପାକିସ୍ତାନ ସେନା ଦ୍ୱାରା ଗିରଫ ହେବାପରେ ବୀରତାର ସହିତ ସେହି ପରିସ୍ଥିତିକୁ ସାମ୍ନା କରିଥିଲେ ସେ।

ଭାରତର କୂଟନୈତିକ ଚାପ ପରେ ୬୦ ଘଣ୍ଟା ମଧ୍ୟରେ ଅଭିନନ୍ଦନଙ୍କୁ ଫେରାଇଥିଲା ପାକିସ୍ତାନ। ଅଭିନନ୍ଦନଙ୍କ ବୀରତା ଓ ସାହାସିକତା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।

ଫେବ୍ରୁଆରି ୧୪ରେ ହୋଇଥିବା ପୁଲଓ୍ୱାମା ଆତଙ୍କୀ ହମ୍‌ଲାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଥିଲା। ଏହି ଆକମ୍ରଣରେ ପ୍ରାୟ ୪୦ରୁ ଅଧିକ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି କାଣ୍ଡ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନ କରିଥିଲା। ଏଥିରେ ପାକିସ୍ତାନର ହାତ ଥିବା କୁହାଯାଇଥିଲା। ଏହାର ଜବାବ ଦେବା ପାଇଁ ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ ହୋଇଥିଲା।

 

Comment