ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସୁଛି ନୂଆବର୍ଷ। ନୂଆବର୍ଷ ପାଳନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପୁରୁଣା ବର୍ଷକୁ ଲୋକ ଭୁଲି ଯିବା ପୂର୍ବରୁ ପୁଣିଥରେ ନଜର ପକାଇବା ସେହି ବ୍ୟକ୍ତିଙ୍କ ବିଷୟରେ, ଯିଏ ୨୦୧୯ରେ ଲୋକଙ୍କ ହୃଦୟରେ ରାଜ କରିଛନ୍ତି।  

୨୦୧୯ରେ ସବୁଠୁ ସ୍ମରଣୀୟ ସମୟ ଥିଲା ପାକିସ୍ତାନରୁ ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ। ଯେଉଁଦିନ ପାକିସ୍ତାନରୁ ଅଭିନନ୍ଦନ ଓ୍ୱାଘା ବର୍ଡର ଦେଇ ଫେରିଥିଲେ ସେଦିନ ଦେଶବାସୀ ତାଙ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଅଭିନନ୍ଦନଙ୍କ ସ୍ୱାଗତ ଲାଗି ସୀମାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ।

ଫେବ୍ରୁଆରି ୨୭ ତାରିଖର ଘଟଣା। ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ଭାରତ ସୀମାରେ ଅନୁପ୍ରବେଶ କରିଥିଲା ପାକିସ୍ତାନର ଲଢୁଆ ବିମାନ ଏଫ୍-୧୬। ଭାରତୀୟ ସେନା ଶିବିରକୁ ଟାର୍ଗେଟ କରିଥିଲା ଏହି ପାକ୍ ବିମାନ। ଭାରତୀୟ ସୀମା ଭିତରକୁ ଏଫ୍‌-୧୬ ପ୍ରବେଶ କରିବା ମାତ୍ରେ ଏହାର ଜବାବ ଦେବା ପାଇଁ ଆଗେଇ ଆସିଥିଲେ ଅଭିନନ୍ଦନ।

ଅଭିନନ୍ଦନଙ୍କ ମିଗ୍‌ ବିମାନ ଏବଂ ଏଫ୍‌-୧୬ ଭିତରେ କଡ଼ା ଟକ୍କର ହୋଇଥିଲା। ପ୍ରାୟ ୮୬ ସେକେଣ୍ଡ ପର୍ଯ୍ୟନ୍ତ ଉଭୟଙ୍କ ଭିତରେ ଲୁଚକାଳି ଖେଳ ଚାଲିଥିଲା। ଏହାପରେ ପାକିସ୍ତାନର ଏଫ୍‌ ୧୬ ଫାଇଟର ଜେଟ୍‌କୁ ତଳକୁ ଖସାଇଥିଲେ ଅଭିନନ୍ଦନ। ଏହାରି ମଧ୍ୟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲା। ପାକିସ୍ତାନ ସେନା ଦ୍ୱାରା ଗିରଫ ହେବାପରେ ବୀରତାର ସହିତ ସେହି ପରିସ୍ଥିତିକୁ ସାମ୍ନା କରିଥିଲେ ସେ।

ଭାରତର କୂଟନୈତିକ ଚାପ ପରେ ୬୦ ଘଣ୍ଟା ମଧ୍ୟରେ ଅଭିନନ୍ଦନଙ୍କୁ ଫେରାଇଥିଲା ପାକିସ୍ତାନ। ଅଭିନନ୍ଦନଙ୍କ ବୀରତା ଓ ସାହାସିକତା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।

ଫେବ୍ରୁଆରି ୧୪ରେ ହୋଇଥିବା ପୁଲଓ୍ୱାମା ଆତଙ୍କୀ ହମ୍‌ଲାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଥିଲା। ଏହି ଆକମ୍ରଣରେ ପ୍ରାୟ ୪୦ରୁ ଅଧିକ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି କାଣ୍ଡ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନ କରିଥିଲା। ଏହି ଘଟଣା ସାରାଦେଶକୁ ସ୍ତବ୍ଧ କରିଦେଇଥିଲା। ଏଥିରେ ପାକିସ୍ତାନର ହାତ ଥିବା କୁହାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଦେଶବାସୀ ଅପିଲ କରିଥିଲେ। ଏହାର ଜବାବ ଦେବା ପାଇଁ ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ ହୋଇଥିଲା।

Comment