ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ବାୟୁସେନାର ପ୍ରତିଷ୍ଠା ଦିବସରେ ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ଦମ୍। ଏହି ଅବସରରେ ବାଲକୋଟ୍ ଏୟାରଷ୍ଟ୍ରାଇକର ମୁଖ୍ୟ ନାୟକ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବାୟୁସେନାର ମିଗ୍-୨୧ ବିସନ ଏୟାରକ୍ରାଫ୍ଟ ଉଡ଼ାଇଛନ୍ତି।

ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସରେ ମଙ୍ଗଳବାର ଗାଜିଆବାଦର ହିଣ୍ଡନ ଏୟାରବେସରୁ ବାୟୁସେନାର ବିଭିନ୍ନ ଯୁଦ୍ଧ ବିମାନ ଆକାଶ ମାର୍ଗରେ ନିଜର ପରାକ୍ରମ ଦେଖାଇଛନ୍ତି। ଏହାସହ ବାଲାକୋଟ ଏୟାରଷ୍ଟାଇକରେ ଅଂଶୀଦାର ଥିବା ସମସ୍ତ ବିମାନ ଓ ପାଇଲଟ୍ ମଧ୍ୟ ଏହି ଏୟାର ସୋ’ରେ ସାମିଲ ହୋଇଛନ୍ତି।

ଏହାସହ ୩ଟି ମିରାଜ ବିମାନ ଓ ୨ଟି ସୁଖୋଇ ବିମାନ ଉଡ଼ାଣ ଭରି ବିଶ୍ୱକୁ ନିଜକୁ ପାରିବାର ପଣିଆ ଦେଖାଇଛନ୍ତି। ସେହିପରି ୧୯ଟି ଲଢୁଆ ଜେଟ୍ ବିମାନ, ୨୦ଟି ହେଲିକାପ୍ଟର ନିଜର ଯୁଦ୍ଧ କଳାକୌଶଳ ପ୍ରଦର୍ଶନ କରିଛନ୍ତି। ଏହି ଏୟାର ଶୋ’ରେ ୭ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ମଧ୍ୟ ସାମିଲ ହୋଇଛି। ଏୟାର ସୋ’ରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ଅତ୍ୟାଧୁନିକ ଆପାଚେ ଓ ଚିନୁକ୍ ହେଲିକାପ୍ଟର।

ବାୟୁସେନା ପ୍ରତିଷ୍ଠା ଦିବସର ଏହି କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶାଲ୍ ଆର୍ କେ ଏସ୍ ଭଦୌରିଆ ମଧ୍ୟ ସାମିଲ ହୋଇଥିଲେ। ତାଙ୍କ ସହ ସେନା ମୁଖ୍ୟ ବିପିନ୍ ରାୱତ୍ ଓ କ୍ରିକେଟର ସଚ୍ଚିନ ତେନ୍ଦୁଲକର ମଧ୍ୟ ଉପସ୍ଥିତ ଥିଲେ।

Comment