ଓଡ଼ିଶାଲାଇଭ୍‌ ବ୍ୟୁରୋ 

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଲୁଟେରାଙ୍କ ଦୋରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ମଧ୍ୟାହ୍ନରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ଆସିଛି।

ଲୁଟ୍‌ର ଶୀକାର ହୋଇଥିବା ବ୍ୟକ୍ତିଜଣକ ହେଲେ ବାରିପଦା ସହରର ବନ୍ଧସାହି ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜଗଦୀଶ ମହାପାତ୍ର।

ଆଜି ମଧ୍ୟାନ୍ନରେ ଜଗଦୀଶ ମହାପାତ୍ର ବାରିପଦାଠାରେ ଥିବା ଆଲ୍ଲାହାବାଦ ବ୍ୟାଙ୍କ ଶାଖାରୁ ୫୦ହଜାର ଟଙ୍କା ଉଠାଇ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ଏକ ମଟର ସାଇକେଲରେ ତାଙ୍କୁ ପିଛା କରିଥିଲେ। ତେବେ ରାସ୍ତାରେ ଏକୁଟିଆ ପାଇ ତାଙ୍କ ପାଖରେ ଥିବା ୫୦ ହଜାର ଟଙ୍କା ଲୁଟି ନେଇଥିବା ସେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଲୁଟେରାମାନଙ୍କ ଟେର ପାଉନି ବାରିପଦା ଟାଉନ ପୋଲିସ।

ଏନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏଟିଏମ୍ ଲୁଟ ହେଉ କିମ୍ବା ରାସ୍ତାରେ ଲୁଟ ହେଉ, ବାରିପଦା ସହରରେ ଲୁଟେରାମାନଙ୍କ ପ୍ରାଦୁର୍ଭାବ ବଢ଼ିଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକମାନେ ଦାବି କରିଛନ୍ତି।

Comment