ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀକ୍ଷେତ୍ର ପୁରୀ ଚାରିଧାମ ମଧ୍ୟରୁ ଅନ୍ୟତମ ଏହି ପବିତ୍ର ଧାମ, ଯେଉଁଠି ପୂଜା ପାଆନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜଗନ୍ନାଥ। ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ପୁରୀର ପ୍ରାଚୀନ ମଠ ସଂସ୍କୃତି। ଶ୍ରୀମନ୍ଦିରର ଅନେକ ନୀତି ସହିତ ରହିଛି ଏହି ମଠଗୁଡ଼ିକର ସମ୍ପର୍କ। କୁହାଯାଏ, ଏହି ମଠଗୁଡ଼ିକ ଶ୍ରୀମନ୍ଦିରର ଚାରିପାଖରେ ଏକପ୍ରକାର ସୁରକ୍ଷା ବଳୟ କରି ଗଢ଼ି ଉଠିଛନ୍ତି। ହେଲେ ଶତାବ୍ଦୀ ଶତାବ୍ଦୀ ଧରି ଆଧ୍ୟତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରିଆସିଥିବା ଏହି ମଠଗୁଡିକ ଏବେ ପାଲଟିବାକୁ ଯାଉଛି ଇତିହାସ।

ଏମାର ମଠ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଏହି ମଠ। କୁହାଯାଏ, ଯେତେବେଳେ ରାମାନୁଜ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ, ସେତେବେଳେ ସେ ପ୍ରତିଷ୍ଠା କରିଥିଲେ ଏହି ମଠ।

ପ୍ରାୟ ଚାରି ଏକର ଜାଗାରେ ନିର୍ମିତ ଏମାର ମଠ ଏହାର ଗୋଟିଏ ପାଖରେ ରହିଥିଲା ବ୍ରିଟିଶ୍ ଅମଳରେ ତିଆରି ହୋଇଥିବା ରଘୁନନ୍ଦନ ପାଠାଗାର। ଏହି ପାଠଗାରରେ ଥିଲା ଜଗନ୍ନାଥ ସଂସ୍କୃତି ସହିତ ସମ୍ପର୍କିତ ଅନେକ ପୁସ୍ତକ ଜଷ୍ଟିସ୍ ବିପି ଦାସ କମିଶନଙ୍କ ସୁପାରିଶ ଅନୁଯାୟୀ ଏବେ ଶ୍ରୀମନ୍ଦିରର ୭୫ ମିଟର ମଧ୍ୟରେ ଥିବା ଅସୁରକ୍ଷିତ କୋଠାବାଡ଼ିକୁ ଉଚ୍ଛେଦ କରୁଛନ୍ତି ସରକାର। ଏହି ଧାରାରେ ବଳି ପଡ଼ିଛି ପ୍ରାୟ ୯୯ ବର୍ଷ ପୁରୁଣା ରଘୁନନ୍ଦନ ପାଠାଗାର।

ଏମାର ମଠର ଅନ୍ୟ ପାର୍ଶ୍ୱରେ ରହିଛି ମଠର ମୁଖ୍ୟ ଗାଦି, ଯେଉଁଠି ପୂଜା ପାଆନ୍ତି ପ୍ରଭୁ ରଘୁନାଥ। ରାମ, ଲକ୍ଷ୍ମଣ ଓ ସୀତାଙ୍କର ଚଳନ୍ତି ପ୍ରତିମା ପୂଜା ପାଆନ୍ତି ଏହି ମଠରେ। ରଘୁନାଥଙ୍କ ମନ୍ଦିରକୁ ଲାଗି ରହିଛି ମଠର ପ୍ରତିଷ୍ଠାତା ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଆସ୍ଥାନ। ମଠର ପରିସରରେ ପୁରୁଷ ପୁରୁଷ ଧରି ରହିଆସୁଛନ୍ତି ମହନ୍ତ, ସେବାୟତ ଓ ସେମାନଙ୍କ ପରିବାର।

ଏମାର ମଠ – ପ୍ରାୟତଃ ଦ୍ୱାଦଶ ଶତାବ୍ଦୀର ଏହି ମଠ ମଠରେ ଲକ୍ଷ୍ମୀ ନାରାୟଣଙ୍କ ଝୁଲଣ ଯାତ୍ରାକୁ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଶ୍ରୀମନ୍ଦିରର ମହାପ୍ରଭୁଙ୍କର ବଲ୍ଲଭ ନୀତି ପାଇଁ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ପଡ଼ିଥାଏ ତାହା ମଧ୍ୟ ଏହି ମଠ ତରଫରୁ ଯୋଗାଇ ଦିଆଯାଏ। ସେହିପରି ରଥଯାତ୍ରା ସମୟରେ କେତେକ ନୀତିରେ ମଠର ମହନ୍ତ ମହାପ୍ରଭୁଙ୍କ ପାଖେ ଆଲଟ ଚାମର ସେବା କରିଥାନ୍ତି।

ଶ୍ରୀମନ୍ଦିର ଓ ବିଭିନ୍ନ ମନ୍ଦିରରେ ରାମାନୁଜ ବା ରାମାନନ୍ଦୀ ଚିତା ଦେଖିବାକୁ ମିଳେ। ସେହିପରି ବଡ଼ ଦେଉଳର ଅବଢ଼ା ପରମ୍ପରାରେ ଏମାର ହାଣ୍ଡିର ପ୍ରଚଳନ ସହିତ ରହିଛି ଏହି ମଠର ସମ୍ପର୍କ।

ଇତିହାସ କହେ, ଅନେକ ସମୟରେ ଯେତେବେଳେ ଆର୍ଥିକ ଅନଟନ ଦେଖାଯାଏ। ସେ ସମୟରେ ଏମାର ମଠ ଲୋକମାନଙ୍କୁ ସାହାଯ୍ୟ କରି ଆସିଛି। ନଅ’ଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ ଥିଲା ଏହି ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା। ମଠରେ ଥିବା ତିନି ସ୍ତର ବିଶିଷ୍ଟ ଶସ୍ୟାଗାର ବା ଅମାର ହେଉଛି ଏହାର ସବୁଠାରୁ ବଡ଼ ନମୁନା।

୨୦୧୧, ଫ୍ରେବ୍ରୁଆରି ୨୧ରେ ଏମାର ମଠ ଆସିଥିଲା ଚର୍ଚ୍ଚାକୁ, ଯେତେବେଳେ ମଠରୁ ଜବତ ହୋଇଥିଲା ୫୨୨ ଖଣ୍ଡ ରୁପା ଇଟା। ଏହା ବ୍ରିଟିଶ୍ ଅମଳର ବୋଲି କୁହାଯାଏ। ବ୍ରିଟିଶ୍ ଶାସନ ସମୟରେ ଇଂରେଜମାନେ ଏଠାରେ ରହିବା ସହ ମଠର ଛାତରୁ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରୁଥିଲେ।

ଶିକ୍ଷାର ପ୍ରଚାର ପ୍ରସାର ପାଇଁ ମଧ୍ୟ ଏମାର ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ପୁରୀର ଲୋକନାଥ ରୋଡ଼ ଓ ଚନ୍ଦନପୁରରେ ପ୍ରତିଷ୍ଠିତ ଗଦାଧର ହାଇସ୍କୁଲ ଏହାର ଉଦାହରଣ।
ଏବେ ଏମାର ମଠର ମହନ୍ତ ଅଛନ୍ତି ଝାଂସୀରୁ ଆସିଥିବା ରାଜଗୋପାଳ ରାମାନୁଜ ଦାସ। ପ୍ରାୟ ୪୦ ବର୍ଷ ଧରି ସେ ପୁରୀରେ ରହି ଆସୁଛନ୍ତି। ପ୍ରଶାସନ ପକ୍ଷରୁ ମଠର ଉଚ୍ଛେଦ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ମହନ୍ତ ମହାରାଜ ଗାଦି ଛାଡିବାକୁ ପ୍ରସ୍ତୁତ ନୁହନ୍ତି। ଗାଦିର ସୁରକ୍ଷା ଓ ନିଜର ଥଇଥାନ ନେଇ ସେ ହୁଏ ତ ପ୍ରଶାସନ ଉପରେ ଭରସି ପାରୁ ନାହାନ୍ତି।

ପୁରୀର ଏମାର ମଠ ସହ ଯୋଡ଼ି ହୋଇଯାଇଛି ଅନେକ ରହସ୍ୟ! ଏହା ଭିତରେ କେତେକ ଭୂତଳ କୋଠରୀ ଓ ସୁଡ଼ଙ୍ଗ ରହିଥିବା ନେଇ ଚର୍ଚ୍ଚା ହୁଏ ରୁପା ଇଟା ପରି ବହୁ ଦୁର୍ଲ୍ଲଭ ରତ୍ନ ଏହା ଭିତରେ ରହିଛି ବୋଲି ମିଡିଆରେ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଏହା ପଛରେ ବାସ୍ତବତା ଥିବାର କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନାହିଁ।

ଶ୍ରୀକ୍ଷେତ୍ର ପୁରୀରେ ରହିଛି ଅନେକ ମଠ ଓ ମନ୍ଦିର ଏମାର ମଠ ତା ଭିତରେ ଥିଲା ଏକ ପ୍ରାଚୀନ ଓ ମର୍ଯ୍ୟାଦାସମ୍ପନ୍ନ ଅନୁଷ୍ଠାନ। ହେଲେ ସମୟର ପରିବର୍ତ୍ତନ ଭିତରେ ଏମାର ଆଜି ତାର ଶୀରି ହରାଇ ବସିଛି। ମଠର କୋଠବାଡ଼ି ସମ୍ପୂର୍ଣ୍ଣ ଜରାଜିର୍ଣ୍ଣ ହୋଇପଡିଛି।

ଆଜି ପୁରୀ ସହରକୁ ସୁନ୍ଦର କରିବା ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଓଡ଼ିଶା ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ବଳି ପଡ଼ିଛି ଅନେକ ଐତିହ୍ୟ ବହନ କରୁଥିବା ଏଇ ଏମାର ମଠ। ଇତିହାସର ମୂକସାଖୀ ଏମାର ମଠ ଆଜି ନିଜେ ଇତିହାସର ଗର୍ଭରେ ଲୀନ ହେବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here