ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ୱୟଂସହାୟକ ସଂଘ(ଏସଏଚ୍‍ଜି) ଦ୍ୱାରା ରନ୍ଧା ଖାଦ୍ୟ ପ୍ରଦାନକୁ ବିରୋଧ। ଏନେଇ ଶୁକ୍ରବାର ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଅଙ୍ଗନବାଡ଼ି କର୍ମୀମାନେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କଅଁରଙ୍କୁ ଏହି  ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଲ୍‍ ଓଡିଶା ଅଙ୍ଗନବାଡି ମହିଳା କର୍ମୀଙ୍କ କାଶୀପୁର ଶାଖା ପକ୍ଷରୁ ଏହି ସ୍ମାରକପତ୍ର ଦିଆଯାଇଛି।

୧୯୯୨ ମସିହାରୁ ଅଙ୍ଗନବାଡି କର୍ମୀମାନେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ରନ୍ଧା ଖାଦ୍ୟ ଯୋଗାଇ ଦେଉଥିଲେ। ତେବେ ବର୍ତ୍ତମାନ ସରକାର ଏହି କାର୍ଯ୍ୟକୁ ସ୍ୱୟଂସହାୟକ ଗୋଷ୍ଠୀ(ଏସଏଚ୍‍ଜି)ଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ନଷ୍ପତ୍ତି ନିନ୍ଦନୀୟ ବୋଲି ସଂଘ ପକ୍ଷରୁ ଏହି ଦାବିପତ୍ରରେ ଦର୍ଶାଇଛି।

ଅନ୍ୟପକ୍ଷରେ ୨୦୦୯ ମସିହାରୁ ଗସ୍ତ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଥିବା ଟଙ୍କା ଏପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀଙ୍କୁ ପ୍ରଦାନ କରାଯାଇ ନାହିଁ। ତା’ଛଡ଼ା ଦୀର୍ଘ ୪ ମାସରୁ କର୍ମୀଙ୍କ ଦରମା ଦିଆଯାଇନଥିବାରୁ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆନ୍ଦୋଳନ ଦାନା ବାନ୍ଧୁଛି ବୋଲି ସଂଘ ସଭାପତି ମଞ୍ଜୁଲତା ପଣ୍ଡା ସୂଚନା ଦେଇଛନ୍ତି।

ଯଦି ଆଗାମୀ ଦିନରେ ଉପରୋକ୍ତ ଦାବିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତର ସହ ବିଚାର ନକରନ୍ତି ଆସନ୍ତା ଶ୍ରମିକ ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଏହି ଅବସରରେ ମଜଦୁର ସଂଘ ଜିଲ୍ଲା ସଭାପତି ଯୋଗେଶ୍ୱର ଦାସ, ସମ୍ପାଦକ ଖଗେଶ୍ୱର ସିଂ, ଏବଂ ଅଙ୍ଗନବାଡି ମହିଳା କର୍ମୀ ସଂଘର ସମ୍ପାଦିକା ଗୌରୀ ପଣ୍ଡାଙ୍କ ସମେତ କୋଷାଧ୍ୟକ୍ଷ ବିଷ୍ଣୁପ୍ରିୟା ଧଳ ଓ ସୌଦାମିନୀ ମହାପାତ୍ର ଏବଂ ସଂଘର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

Comment