ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ଶ୍ରେଷ୍ଠ ଆଇବି ସ୍କୁଲ ତାଲିକାର ଦଶମ ସ୍ଥାନରେ ସ୍ଥାନ ପାଇଛି ଭାରତର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ। ଭାରତର ଏକମାତ୍ର ସ୍କୁଲ ଭାବେ ଏହା ବିଶ୍ୱର ଶ୍ରେଷ୍ଠ ୧୦ ବାକ୍କାଲରେଟ୍ (ଆଇବି) ସ୍କୁଲ ଭାବରେ ସ୍ଥାନ ପାଇଛି।

ଇଂଲଣ୍ଡର ଏଜୁକେସନ୍ ଆଡଭାଇଜର୍ସ ଲିମିଟେଡ୍ ନାମକ ଏକ ନିରପେକ୍ଷ ସଂସ୍ଥା ଏହି ତାଲିକା ପ୍ରକାଶ କରିଛି। ବିଶ୍ୱର ଶ୍ରେଷ୍ଠ ୫୦ଟି ଆଇବି ସ୍କୁଲକୁ ନେଇ ଏହି ତାଲିକା ପ୍ରକାଶ କରାଯାଇଛି। ଯେଉଁଥିରେ ୧୦ମ ସ୍ଥାନରେ ଅଛି ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସାନାଲ ସ୍କୁଲ।

୨୦୧୯ ମସିହାର ହାରାହାରି ଆଇବି ଡପ୍ଲୋମା ସ୍କୋରିଂ ଆଧାରରେ ଏହି ତାଲିକା ପ୍ରକାଶ ପାଇଛି। ୨୦୧୯ ଆଇବି ଡିପ୍ଲୋମା ଦ୍ୱାଦଶ ଶ୍ରେଣୀରେ ଧୀରୁଭାଇ ଅମ୍ବାନୀ ସ୍କୁଲର ଛାତ୍ରଛାତ୍ରୀମାନେ ହାରାହାରି ୩୯.୫ ପଏଣ୍ଟ ସ୍କୋର କରିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଥିବା ସ୍କୁଲର ହାରାହାରି ପଏଣ୍ଟ ୪୫ ରହିଛି।

ବିଶ୍ୱସ୍ତରରେ ଧୀରୁଭାଇ ଅମ୍ବାନୀ ସ୍କୁଲ ୧୦ ସ୍ଥାନରେ ରହିଥିବାବେଳେ ଭାରତ ଓ ଦକ୍ଷିଣ ଏସିଆରେ ଏହା ପ୍ରଥମ ସ୍ଥାନରେ ଅଛି। ସେହିଭଳି ଏସିଆରେ ଏହାର ସ୍ଥାନ ଷଷ୍ଠ ସ୍ଥାନରେ ରହିଛି।

ଏହି ସଫଳତା ପରେ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନୀତା ଅମ୍ବାନୀ କହିଥିଲେ, “ବିଶ୍ୱସ୍ତରରେ ଶ୍ରେଷ୍ଠ ୧୦ ଆଇବି ସ୍କୁଲ ମଧ୍ୟରେ ସ୍ଥାନ ପାଇଥିବାରୁ ଆମେ ବହୁତ ଖୁସି। ଏହା ଆମର ଛାତ୍ରଛାତ୍ରୀମାନଙ୍କର ପ୍ରତିଭା, କଠିନ ପରିଶ୍ରମ ଓ ଆମ ଶିକ୍ଷକ ଶିକ୍ଷୟତ୍ରୀଙ୍କର କଠିନ ପରିଶ୍ରମର ଫଳ। ମାତ୍ର ୧୬ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ଆମ ସ୍କୁଲ ଏପରି ସଫଳତା ପାଇବା ନିହାତି ପକ୍ଷରେ ଗର୍ବର କଥା।”

ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ ୨୦୦୩ ମସିହାରେ ସ୍ଥାପନ କରାଯାଇଥିଲା। ଏହାପରେ ପ୍ରଥମଥର ପାଇଁ ୨୦୦୭ ମସିହାରେ ଏହି ସ୍କୁଲରୁ ପ୍ରଥମ ବ୍ୟାଚ୍ ଆଇବି ଡିପ୍ଲୋମା ଛାତ୍ରଛାତ୍ରୀମାନେ ପାସ୍ ହୋଇଥିଲେ। ସେହିଦିନଠାରୁ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ ଲଗାତାର ଭାବରେ ଆଇବି ଡିପ୍ଲୋମା ପରୀକ୍ଷାରେ ଭଲ ପ୍ରଦର୍ଶନ କରିଆସୁଛି।

Comment