ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦରେ ଏମ୍‌ବିଏ ପାଠ ପଢ଼ି ଗାଁ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରୁଛନ୍ତି ସଂଯୁକ୍ତା।

କାହା ପାଇଁ ରାଜନୀତି ପେଶା ହୋଇପାରେ। ହେଲେ ସୁନ୍ଦରଗଡ଼ର ସୁନା ଝିଅ ସଂଯୁକ୍ତାବିନ୍ଦୁ ଲାକ୍ରାଙ୍କ ପାଇଁ ରାଜନୀତି ନିଶା ପାଲଟିଛି। ଲୋକଙ୍କ ସେବା କରିବା ପାଇଁ ସଂଯୁକ୍ତା ହାଇଦ୍ରାବାଦରେ ଏମବିଏ ପାଠ ପଢ଼ା ଶେଷ କରି ନିଜ ଗାଁକୁ ଫେରି ଆସିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ସେ ବିର୍‌କେରା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।

ଏମ୍‌ବିଏ ପାଠ ପଢ଼ା ପରେ ସଂଯୁକ୍ତା ଚାହିଁଥିଲେ କୌଣସି ନାମୀ କମ୍ପାନିରେ ଚାକିରି କରିପାରିଥାନ୍ତେ। କିନ୍ତୁ ଚାକିରି ପଛରେ ନଗୋଡ଼ାଇ ସଂଯୁକ୍ତା ନିଜ ଗାଁ ବିର୍କେରାକୁ ଫେରି ଆସିଥିଲେ।

“ଗାଁର ଉନ୍ନତି ହେଲେ ଆମ ଦେଶ ବି ଉନ୍ନତି କରିବ’’ – ଏଭଳି ଉଚ୍ଚ ଚିନ୍ତାଧାରା ନେଇ ସଂଯୁକ୍ତା ଲୋକଙ୍କ ସେବାରେ ନିଜକୁ ହଜାଇ ଦେଇଛନ୍ତି।

“ତୃଣମୂଳ ସ୍ତରରେ ବହୁତଗୁଡ଼ିଏ ସମସ୍ୟା ରହିଛି। ଯେତେବେଳେ ଆମେ ସହରରୁ ଗାଁକୁ ଆସୁଥିଲୁ ସେତେବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଗାଁରେ କିଛି ସୁବିଧା ସୁଯୋଗ ପାଉ ନଥିଲେ ଲୋକେ। ସହରରେ ମିଳୁଥିବା ସୁବିଧା କେମିତି ଗାଁରେ ମିଳିବ ସେହି ଲକ୍ଷ୍ୟ ନେଇ ମୁଁ ନିର୍ବାଚନ ଲଢ଼ିଲି’’ ଓଡ଼ିଶାଲାଇଭ୍‌କୁ କହିଛନ୍ତି ସଂଯୁକ୍ତାବିନ୍ଦୁ ଲାକ୍ରା।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବିର୍‌କେରାରେ କେମିତି ଲୋକଙ୍କୁ ମୌଳିକ ସୁବିଧା ମିଳିବ ସେନେଇ ଉଦ୍ୟମ ଜାରି ରଖିଛନ୍ତି ସଂଯୁକ୍ତା।

ହାଇଦ୍ରାବାଦରେ ଏମ୍‌ବିଏ ଶେଷ କରିବା ପରେ ସଂଯୁକ୍ତା ଏଚ୍ବିଏଲ୍ ପାୱାର୍ ସିଷ୍ଟମ୍ କମ୍ପାନିର ଇଣ୍ଟରନାସନାଲ ଇମ୍ପୋର୍ଟସ୍ ଡିପାର୍ଟମେଣ୍ଟରେ ଚାକିରି କରୁଥିଲେ। ହେଲେ ଏହି ଚାକିରି ତାଙ୍କୁ ପସନ୍ଦ ଆସିଲା ନାହିଁ। ଲୋକଙ୍କ ସହିତ ରହିବା ପାଇଁ ସେ ନିଜ ଗାଁକୁ ଫେରିଥିଲେ।

“ଏସି ଚାମ୍ବର୍‌ରେ ବସି କାମ କରିବା ଆଉ ଗରମରେ ଖଟିବା ଦୁଇଟି ଅଲଗା କଥା। ଗରମରେ କାମ କରିବା ବହୁତ କଷ୍ଟ। କିନ୍ତୁ ତାହାର ମଜା ହିଁ ଅଲଗା। ଲୋକଙ୍କ ସମସ୍ୟା ସମାଧାନ କରିବାରେ ମତେ ଆତ୍ମସନ୍ତୋଷ ମିଳେ’’, କହିଛନ୍ତି ସଂଯୁକ୍ତା।

ରାଉକେଲାରୁ ୨୫ କିଲୋମିଟର ଦୂରରେ ରହିଛି ବିର୍‌କେରା ଗ୍ରାମପଞ୍ଚାୟତ। ଏହି ଗ୍ରାମପଞ୍ଚାୟତର ଅନେକଗୁଡ଼ିଏ ସମସ୍ୟା ରହିଛି। ଏଠାକାର ମୁଖ୍ୟ ସମସ୍ୟା ହେଲା ଶିକ୍ଷା, ବିଜୁଳି, ପାଣି, ରାସ୍ତା। ଏହି ସମସ୍ୟା ସମାଧାନ କରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ସଂଯୁକ୍ତା। ଗରିବ ଲୋକେ କେମିତି ଆବାସ ଯୋଜନାରେ ଘର ପାଇପାରିବେ ସେଦିଗରେ ଉଦ୍ୟମ ଚାଲିଥିବା ଓଡ଼ିଶାଲାଇଭ୍‌କୁ କହିଛନ୍ତି ସଂଯୁକ୍ତା।

“ସହରରୁ ଆସି ପ୍ରଥମେ ଗାଁରେ ଚଳିବା ମୋ’ ପାଇଁ ବହୁତ କଷ୍ଟ ଥିଲା। ବିଜୁଳି ନ ଥିଲା। ୬ ମାସ ଯାଏଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛି ମୁଁ। ପରେ ଆମ ଅଞ୍ଚଳର ବିଧାୟକଙ୍କ ସହାୟତାରେ ବିଜୁଳି ବ୍ୟବସ୍ଥା ହୋଇପାରିଥିଲା। କିନ୍ତୁ ବର୍ତ୍ତମାନ ବି ଅଧିକାଂଶ ସ୍ଥାନରେ ବିଜୁଳି ସମସ୍ୟାର ସମାଧାନ ହୋଇପାରିନି। ବିଜୁଳି ସମସ୍ୟା ସମାଧାନ ପାଇଁ ଆମେ କାମ କରୁଛୁ’’।

ସଂଯୁକ୍ତା କହିଛନ୍ତି ଯେ ରାଜନୀତିକୁ ଆସିବା ପରେ ବହୁତ କିଛି ଶିଖିବାକୁ ପାଇଛି। ସରକାରଙ୍କର ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ହିଁ ଆମର ଲକ୍ଷ୍ୟ ରହିବ।

Comment