ଓଡ଼ିଶାଲାଇଭ୍ ବ୍ୟୁରୋ

 

ଏଥର ଭୁବନେଶ୍ୱରରେ ଜମିବ ଦଶହରା। ଫୁଲ ତୋରଣରେ ଚମକିବ ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପ।

ଆରମ୍ଭ ହୋଇଯାଇଛି ପାର୍ବଣ ୠତୁ। ଧରାପୃଷ୍ଠକୁ ଓହ୍ଲାଇବେ ମା’ ଦୁର୍ଗା। ବିଭିନ୍ନ ପୂଜା କମିଟି ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ପୂଜା କମିଟିମାନେ ନିଜ ନିଜ ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ସଜବାଜ ହେଲେଣି। ପ୍ରତିବର୍ଷ ଭଳି ଚଳିତବର୍ଷ ବି ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ତାଙ୍କ ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ଲାଗି ପଡ଼ିଛନ୍ତି।

ପ୍ରତିବର୍ଷ କିଛି ନୂଆ କରିବାର ପ୍ରୟାସ ଜାରି ରଖିଥିବା କମିଟି ଚଳିତ ବର୍ଷ କାଳ୍ପନିକ ଫୁଲର ତୋରଣରେ ସଜାଉଛନ୍ତି ପୂଜାମଣ୍ଡପ। ତୋରଣର ଉଚ୍ଚତା ୭୦ ଫୁଟ ଓ ପ୍ରସ୍ଥ ୧୬୫ ଫୁଟ ରହିବ। ସୁଦୂର କଲିକତାରୁ ମୁଖ୍ୟ କାରିଗରମାନେ ଆସି ଏହି ତୋରଣ ତିଆରି କରୁଛନ୍ତି। ଅଗଷ୍ଟ ମାସ ୧୫ ତାରିଖରୁ ଆରମ୍ଭ ହୋଇଗଲାଣି ତୋରଣ ବନ୍ଧା। ସୁନିଆ ତିଥି ପରଠାରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ମୂର୍ତ୍ତିର ଉଚ୍ଚତା ୨୫ ଫୁଟ ରହିବ। ପାର୍ଶ୍ୱ ଦେବଦେବୀ ଭାବେ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଓ କାର୍ତ୍ତିକ ଶୋଭା ପାଇବେ।

ପାରମ୍ପରିକ ରୀତିନୀତିରେ ସମସ୍ତ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହେବ। ଷଷ୍ଠୀ ତିଥିରୁ ବେଲବରଣ ଓ କଳସ ଯାତ୍ରା ଅନୁଷ୍ଠିତ ହେବ। ସପ୍ତମୀ ଦିନ ଖେଚୁଡ଼ି ଭୋଗ, ଅଷ୍ଟମୀ ରାତ୍ରିରେ ଦହି ପଖାଳ, ନବମୀରେ ଅନ୍ନ ଭୋଗ ଏବଂ ଦଶମୀରେ ପିଠା ଭୋଗ ଲାଗି ହେବ। ଏହାସହିତ ଭଜନ ସମାରୋହ ଓ ସପ୍ତମୀ ତିଥିରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ କଳାକାରମାନେ କାର୍ଯ୍ୟକ୍ରମ କରିବେ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜନସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଗୁରୁତ୍ଵ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଗୋଟିଏ ପ୍ରମୁଖ ପ୍ରବେଶ ଦ୍ଵାର ରହିବ। ଶିଡ଼ି ଦ୍ୱାରା ଉପରକୁ ଯାଇ ପୁଣି ସେହି ଶିଡ଼ି ବାଟୁ ତଳକୁ ଆସିବା ବ୍ୟବସ୍ଥା କରାଯାଇଛି।

ଗହଳିକୁ ଦୃଷ୍ଟିରେ ରଖି ପୋଲିସ ସମେତ ୫୦ ସ୍ୱେଚ୍ଛାସେବୀ ସୁରକ୍ଷା ଦାୟିତ୍ଵରେ ରହିବେ। ଏହାଛଡ଼ା ୫୦ ଜଣ ସିକ୍ୟୁରିଟି ଗାର୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି। ଚୋରି ଓ ବିଶୃଙ୍ଖଳାକୁ ରୋକିବା ପାଇଁ ୧୦ଟି ଓ୍ୱାକିଟକି ଓ ୩୨ଟି ସିସି ଟିଭି କ୍ୟାମେରା ଲଗାଇବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ।

ଏଲ୍ଇଡି ଲାଇଟ୍‌ରେ ଚମକିବ ତୋରଣ

ଚଳିତବର୍ଷ ୬ ଗୋଟି ବଡ଼ ଆଲୋକ ଗେଟ୍ ବ୍ୟବସ୍ଥା ରହିବ। ଏଲ୍ଇଡି ଲାଇଟ୍‌ରେ ସୁନ୍ଦର ତୋରଣଗୁଡ଼ିକୁ ଓଭର୍ ବ୍ରିଜ୍, ବାଣୀବିହାର ପାର୍ଶ୍ୱକୁ ରହିବ। ଆଉ ଦୁଇଟି ଏଫ୍ଏସ୍ଏଲ୍ ଏବଂ କମ୍ପ୍ୟୁଟର୍ ସେଣ୍ଟର ପାଖକୁ ସଂଯୋଗ କରାଯିବ। ଏହାସହିତ ୮ଟି ଲାଇଟ୍ ଷ୍ଟାଣ୍ଡ ବ୍ୟବସ୍ଥା ରହିବ।

ଭସାଣିରେ ରହିବ ବଗବଗୁଲି, କଣ୍ଡେଇ ନାଚ

ଚଳିତ ବର୍ଷ ଭସାଣି ଉତ୍ସବରେ ପାରମ୍ପରିକ ବାଦ୍ୟଯନ୍ତ୍ର ସହିତ ବଗବଗୁଲି, କଣ୍ଡେଇ ନାଚ, ଘୋଡ଼ା ନାଚ ଓ ସିଂହ ବାଜା ଆଦି ମୁଖ୍ୟ ଆକର୍ଷଣ ରହିବ। “ଭସାଣି ଉତ୍ସବ କମିଟି ପକ୍ଷରୁ କିଛି ନୂଆ ଢଙ୍ଗରେ ଭସାଣି ବ୍ୟବସ୍ଥା କରାଯାଇଛି। ରାଜ୍ୟର ଲୁପ୍ତପ୍ରାୟ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ନୃତ୍ୟରେ ଚଳିତ ଥର ଭସାଣି କରାଯିବାକୁ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି’ ବୋଲି ପୂଜା କମିଟି ସଭାପତି ଅନୀଲ ବଳିୟାରସିଂ କହିଛନ୍ତି।

ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଗତ ୪ ବର୍ଷ ହେଲା ରାବଣ ପୋଡ଼ିକୁ ବାରଣ କରାଯାଇଛି। ପଲିଥିନ ଓ ପ୍ଲାଷ୍ଟିକ୍‌କୁ କଡ଼ାକଡ଼ି ଭାବେ ନିଷିଦ୍ଧ କରାଯାଇଛି। ଏହାଛଡ଼ା ପୂଜାମଣ୍ଡପରେ ଅଗ୍ନିକାଣ୍ଡ ନିରପତ୍ତା ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ପୂଜା କମିଟି ସଭାପତି ଅନୀଲ ବଳିୟାରସିଂ କହିଛନ୍ତି।

ଗତବର୍ଷ ଆଲବର୍ଟ ହଲ୍‌ ଷ୍ଟାଇଲ୍‌ରେ ରସୁଲଗଡ଼ ତୋରଣକୁ ସଜା ହୋଇଥିଲା। ରଙ୍ଗ ବେରଙ୍ଗ ଷ୍ଟୋନ୍‌କୁ ବ୍ୟବହାର କରି ଏହି ତୋରଣ ନିର୍ମାଣ ହୋଇଥିଲା।

ଏହାଛଡ଼ା ପରିବେଶକୁ ସ୍ୱଚ୍ଛ ରଖିବାପାଇଁ ଡଷ୍ଟବିନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିସହ ଯେପରି ଶବ୍ଦ ପ୍ରଦୂଷଣ ନ ହୁଏ, ସେଥିପାଇଁ ବାଦ୍ୟର ସାଉଣ୍ଡ ଲିମିଟ୍‌ ଉପରେ ଧ୍ୟାନ ଦିଆଯିବ।

Comment