ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ଏହି ନିୟମ ଅନୁଯାୟୀ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ନିକଟରେ ଦେଶର ରାଜଧାନୀ ଦିଲ୍ଲୀରେ ଦେଶର ସବୁଠାରୁ ବଡ଼ ଚାଲାଣ ୨ ଲକ୍ଷରୁ ଅଧିକ ଟଙ୍କାର କଟାଯାଇଛି।

ତେବେ ଏସବୁ ମଧ୍ୟରେ ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି। ଟ୍ରାଫିକ ପୋଲିସ୍‌ କାଟୁଥିବା ଫାଇନ୍‌ ଟଙ୍କା ପ୍ରକୃତରେ କାହା ଖାତାକୁ ଯାଉଛି? କେନ୍ଦ୍ର ସରକାରଙ୍କ ଖାତାକୁ ନା ରାଜ୍ୟ ସରକାରଙ୍କ ଖାତାକୁ। ଆସନ୍ତୁ ତାହା ଉପରେ ନଜର ପକାଇବା..

କାହା ଖାତାକୁ ଯାଉଛି ଟ୍ରାଫିକ ଚାଲାଣ ଟଙ୍କା

ଯେକୌଣସି ରାଜ୍ୟରେ ଟ୍ରାଫିକ ପୋଲିସ ଦ୍ୱାରା କଟାଯାଉଥିବା ଚାଲାଣ ରାଶି ସେହି ରାଜ୍ୟର ସରକାରଙ୍କ ଖାତାକୁ ଯାଇଥାଏ। ଉଦାହରଣସ୍ୱରୂପ, ଯଦି କୌଣସି ବ୍ୟକ୍ତି ଭୁବନେଶ୍ୱରରେ ଟ୍ରାଫିକ ନିୟମ ଭାଙ୍ଗିବ ତେବେ ସେ ଦେଇଥିବା ଫାଇନ୍‌ ଟଙ୍କା ଓଡ଼ିଶା ସରକାରଙ୍କ ପରିବହନ ବିଭାଗର ଖାତାକୁ ଯିବ। ଠିକ୍‌ ସେହିପରି ଯଦି କୌଣସି କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲାଣ କଟେ, ତେବେ ତାହା କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯିବ।

ତେବେ ଦେଶର ରାଜଧାନୀ ଦିଲ୍ଲୀରେ ଏହି ନିୟମ କିଛିଟା ଅଲଗା ଅଛି। ଦିଲ୍ଲୀର ଟ୍ରାଫିକ ପୋଲିସ ଯଦି କୌଣସି ଚାଲାଣ କାଟେ, ତେବେ ତାହା କେନ୍ଦ୍ର ସରକାରଙ୍କ ଅଧିନରେ ଯିବ। ସେହିପରି ଯଦି ପରିବହନ ବିଭାଗ କାଟିଥିବା ଚାଲାଣ ଟଙ୍କା ଦିଲ୍ଲୀ ସରକାରଙ୍କ ଖାତାକୁ ଯିବ। ଦିଲ୍ଲୀରେ ଉଭୟ ଟ୍ରାଫିକ ପୋଲିସ ଏବଂ ପରିବହନ ବିଭାଗକୁ ଚାଲାଣ କାଟିବା ପାଇଁ ଅନୁମତି ଅଛି।

ମାମଲା କୋର୍ଟକୁ ଗଲେ

ଅନେକ ସମୟରେ ନିୟମ ଉଲଙ୍ଘନ ମାମଲା ସାଧାରଣରେ ସମାଧାନ ହୋଇନପାରି କୋର୍ଟକୁ ଯାଇଥାଏ। ଏହି ମାମଲର ଫଇସଲା କୋର୍ଟ କରିଥାନ୍ତି। ତେବେ କୋର୍ଟରେ ପଇଠ ହେଉଥିବା ଫାଇନ୍‌ ଟଙ୍କା ସେହି ରାଜ୍ୟର ସରକାରଙ୍କ ଖାତାକୁ ଯାଇଥାଏ।

ଯଦି ଜାତୀୟ ରାଜପଥରେ ଚାଲାଣ କଟେ

ଯଦି ଜାତୀୟ ରାଜପଥରେ କୌଣସି ବ୍ୟକ୍ତି ନିୟମ ଉଲଙ୍ଘନ କରି ଫାଇନ୍‌ ଭରିଥାଏ, ଉକ୍ତ ଫାଇନ୍‌ ଟଙ୍କା ଉଭୟ ରାଜ୍ୟ ଏକ କେନ୍ଦ୍ର ସରକାରଙ୍କ ଖାତାରେ ଦୁଇଭାଗ ହୋଇ ଯାଇଥାଏ।

ସବୁ ରାଜ୍ୟର ସମାନ ସ୍ଥିତି ନାହିଁ

ନୂଆ ଟ୍ରାଫିକ ନିୟମ ଏବଂ ଫାଇନ୍‌ ଟଙ୍କାର ପରିମାଣ ସବୁ ରାଜ୍ୟରେ ସମାନ ରହିଛି। କିନ୍ତୁ ରାଜ୍ୟ ସରକାର ଚାହିଁଲେ ଏହି ନିୟମରେ ପରିବର୍ତ୍ତନ କରିପାରିବେ। ରାଜ୍ୟ ସରକାର ନିଜ ରାଜ୍ୟରେ ଫାଇନ୍‌ ଟଙ୍କାର ପରିମାଣ ତଥା ନିୟମ କୋହଳ ମଧ୍ୟ କରିପାରିବେ।

ତେବେ ଏମିତି ମଧ୍ୟ ରାଜ୍ୟ ରହିଛି ଯେଉଁଠି ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇପାରିନାହିଁ। ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ପଞ୍ଜାବ ସରକାର ନୂଆ ମୋଟର ଯାନ ଆଇନକୁ ତାଙ୍କ ରାଜ୍ୟରେ ଲାଗୁ କରିନାହାନ୍ତି।

Comment