ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ବିଜୟ ହାସଲ କରିଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଛାତ୍ର ନିର୍ବାଚନର ସଭାପତି, ଉପସଭାପତି ଓ ଜଏଣ୍ଟ ସେକ୍ରେଟାରୀ ପଦରେ ଜିତାପଟ ହାସଲ କରିଛି ଏବିଭିପି। ସେହିପରି ଏନ୍ଏସୟୁଆଇ ସେକ୍ରେଟାରୀ ପଦରେ ବିଜୟୀ ହୋଇଛି।

ଏବିଭିପିର ଅକ୍ଷିତ ଦହିୟା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନୂଆ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେହିପରି ସେକ୍ରେଟାରୀ ପଦରେ ଏନ୍ଏସୟୁଆଇର ଆଶିଷ ଲାମ୍ବା ବିଜୟୀ ହୋଇଛନ୍ତି। ଅନ୍ୟପଟେ ଉପସଭାପତି ଓ  ଜଏଣ୍ଟ ସେକ୍ରେଟାରୀ ପଦରେ ଏବିଭିପିର ପ୍ରଦୀପ ତନୱର ଏବଂ ଶିବାଙ୍ଗୀ ଖରୱାଲ ବିଜୟୀ ହୋଇଛନ୍ତି।

ସଭାପତି ପଦରେ ଏବିଭିପିର ଅକ୍ଷିତ ଦାହିୟା ୧୯ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ସେହିଭଳି ଉପସଭାପତି ପ୍ରଦୀପ ତନୱର ୮ ହଜାର ୫୭୪ ଭୋଟରେ ବିଜୟ ହାସଲ କରିଛନ୍ତି। ସେହିପରି ଏନ୍ଏସୟୁଆଇ ସମର୍ଥିତ ପ୍ରାର୍ଥୀ ଆଶିଷ ଲାମ୍ବା ୧ ହଜାର ୫୩ଟି ଭୋଟରେ ସେକ୍ରେଟାରୀ ପଦରେ ବିଜୟୀ ହୋଇଛନ୍ତି।

ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ୍ ଟୁଇଟ୍ କରି ଏବିଭିପିକୁ ଶୁଭେଚ୍ଛା ଜଣାଇଛନ୍ତି। ଗୃହମନ୍ତ୍ରୀ ଲେଖିଛନ୍ତି, “ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ବିଜୟ ପାଇଁ ସଂଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ।”

ଏହି ବିଜୟ ଦେଶରେ ଥିବା ଯୁବବର୍ଗଙ୍କ ମଧ୍ୟରେ ରାଷ୍ଟ୍ରବାଦର ସଂକଳ୍ପକୁ ଆହୁରି ମଜଭୁତ୍ କରିବା ସହିତ ରାଷ୍ଟ୍ରର ପୁନଃନିର୍ମାଣରେ ମଧ୍ୟ ସହାୟକ ହୋଇପାରିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଗତ ଗୁରୁବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଭୋଟ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସକାଳ ୮.୩୦ରୁ ଆରମ୍ଭ ହୋଇ ଦିନ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ଏହାପରେ ପୁଣିଥରେ ଦିନ ୩ଟାରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ଚଳିତ ଛାତ୍ର ସଂସଦ ନିର୍ବାଚନରେ ମୋଟ ୩୯.୯୦ ପ୍ରତିଶତ ଛାତ୍ରଛାତ୍ରୀ ଭୋଟ ଦେଇଥିବା ସୂଚନା ମିଳିଛି।

Comment