ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ତାଙ୍କ ପଦରୁ ନିଲମ୍ବିତ କରିଛନ୍ତି। ଏଥିସହ ପ୍ରଶାସନିକ ଅନିୟମିତତା ଅଭିଯୋଗରେ ରାଷ୍ଟ୍ରପତି ତାଙ୍କ ବିରୋଧରେ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏହି ପ୍ରଶାସନିକ ଅନିୟମିତତା ନେଇ ରାଷ୍ଟ୍ରପତିଙ୍କୁ ଯାଞ୍ଚ କରିବାକୁ ଅନୁମତି ମାଗିଥିଲେ। ଏହାପରେ ରାଷ୍ଟ୍ରପତି ନିଜ କ୍ଷମତାର ଉପଯୋଗ କରି ଯୋଗେଶ ତ୍ୟାଗୀଙ୍କୁ କୁଳପତି ପଦରୁ ନିଲମ୍ବିତ କରିବା ସହିତ ତାଙ୍କ ବିରୋଧରେ ଯାଞ୍ଚର ଆଦେଶ ଦେଇଛନ୍ତି।ପ୍ରଫେସର ଯୋଗେଶ ତ୍ୟାଗୀ ଗତ ୨୦୧୬ ମାର୍ଚ୍ଚ ୧୦ ତାରିଖରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ରହିଥିଲେ। ହେଲା ତାଙ୍କ କାର୍ଯ୍ୟକାଳ ସମୟରେ ପ୍ରଶାସନିକ ସ୍ତରରେ ଅନିୟମିତତା ହେଉଥିବା ନେଇ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ରାଷ୍ଟ୍ରପତିଙ୍କୁ ସୂଚନା ଦେଇଥିଲେ।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ପ୍ରଫେସର ଯୋଗେଶ ତ୍ୟାଗୀ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସେ ନିଜର କର୍ତ୍ତବ୍ୟ ଠିକ୍ ଭାବେ କରୁନାହାନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ବିଶ୍ୱ ବିଦ୍ୟାଳୟର ଅନେକ ପଦବୀ ଖାଲି ପଡ଼ିଥିଲା। ଯାହାକୁ ପୂର୍ଣ୍ଣ କରିବା ପାଇଁ ଅନେକ ଥର ନୋଟିସ୍ କରାଗଲେ ମଧ୍ୟ ସେଗୁଡିକ ପୂର୍ଣ୍ଣ ହୋଇନଥିଲା। ତେଣୁ ଶେଷରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

Comment