ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ଦ୍ୱିତୀୟ ବୃହତ ଅଟୋମୋବାଲ କମ୍ପାନି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ‘ନୋ ପ୍ରଡକ୍ସନ ଡେ’। ଆଗାମୀ ୩ ମାସ ମଧ୍ୟରେ ଦେଶର ବିଭିନ୍ନ ପ୍ଲାଣ୍ଟଗୁଡ଼ିକର ଉତ୍ପାଦନ ୧୭ ଦିନ ବନ୍ଦ ରଖିବାକୁ କମ୍ପାନି ପକ୍ଷରୁ ସ୍ଥିର କରାଯାଇଛି। ଯାହା ଦେଶର ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ ନୁହେଁ।

ସାରା ଦେଶ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥାରେ ପେଷୀ ହେଉଛି। ଫଳରେ ଏହା ଦେଶର ଅଟୋମୋବାଇଲ ସେକ୍ଟର ଉପରେ ସିଧାସଳଖ ଭାବେ ପ୍ରଭାବ ପକାଉଛି। ଦେଶର ଅଟୋମୋବାଇଲ ସେକ୍ଟର ଭାରତର ଅର୍ଥନୀତିକୁ ସବୁଠାରୁ ବଡ଼ ଅନୁଦାନ ଦେଇଥାଏ। ହେଲେ ମାନ୍ଦାବସ୍ଥାରେ ପେଷୀ ହୋଇ ଦେଶର ବଡ଼ ବଡ଼ ଅଟୋମୋବାଇଲ କମ୍ପାନିଗୁଡ଼ିକ ନିଜ ପ୍ଲାଣ୍ଟର ଉତ୍ପାଦନକୁ ବନ୍ଦ କରିଦେଉଛନ୍ତି।

ଗତ ୭ ଓ ୯ ତାରିଖରେ ମାରୁତି ସୁଜୁକି କମ୍ପାନି ଦୁଇ ଦିନ ପାଇଁ ଏହାର ଗୁରୁଗ୍ରାମ ଓ ମାନେସର ପ୍ଲାଣ୍ଟର ଉତ୍ପାଦନ ବନ୍ଦ ରଖିଥିଲା। ଏବେ ଦେଶର ଦ୍ୱିତୀୟ ସର୍ବବୃହତ ଅଟୋମୋବାଲ କମ୍ପାନି ମହିନ୍ଦ୍ରା ଏହାର ବିଭିନ୍ନ ପ୍ଲାଣ୍ଟକୁ ୧୭ ଦିନ ବନ୍ଦ ରଖିବା ପାଇଁ ସ୍ଥିର କରିଛି।

ଗତ ଅଗଷ୍ଟ ୯ ତାରିଖରେ କମ୍ପାନି ପକ୍ଷରୁ କୁହାଯାଇଥିଲା ଯେ, ଆଗାମୀ ୩ ମାସ ମଧ୍ୟରେ ସାରା ଦେଶରେ ଥିବା ଅଲଗା ଅଲଗା ପ୍ଲାଣ୍ଟର ଉତ୍ପାଦନ ୧୪ ଦିନ ବନ୍ଦ ରଖିବ। ହେଲେ ବର୍ତ୍ତମାନ ଆଉ ୩ଦିନ ଉତ୍ପାଦନ ବନ୍ଦ କରାଯିବ ବୋଲି କୁହାଯାଇଛି। ଆସନ୍ତା ତ୍ରୟମାସରେ ମହିନ୍ଦ୍ରା କମ୍ପାନିର ମୋଟ ୧୭ ଦିନ ଉତ୍ପାଦନ ବନ୍ଦ ରହିବ। ଏନେଇ କମ୍ପାନି ପକ୍ଷରୁ ସେୟାର ମାର୍କେଟ୍‌କୁ ସୂଚନା ଦିଆଯାଇଛି।

କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଚଳିତ ମାସର ଶେଷ ପର୍ଯ୍ୟନ୍ତ କୃଷି ଉପକରଣ କ୍ଷେତ୍ରରେ ୧ରୁ ୩ଦିନ ଯାଏଁ ଉତ୍ପାଦନ ବନ୍ଦ ରହିବ।

ଗତ ଅଗଷ୍ଟ ମାସରେ ମହିନ୍ଦ୍ରା କମ୍ପାନିର ମୋଟ ବିକ୍ରି ୨୫ ପ୍ରତିଶତ କମି ଯାଇଛି। ୨୦୧୮ ଅଗଷ୍ଟ ମାସରେ କମ୍ପାନି ୪୮,୩୨୪ ଗାଡ଼ି ବିକ୍ରି କରିଥିବା ବେଳେ ଚଳିତ ବର୍ଷ ଏହା କମିଯାଇ ୩୬,୦୮୫ରେ ପହଞ୍ଚିଯାଇଛି। ୧୯୯୭-୯୮ ମସିହା ପରଠୁ ଆଜି ଭିତରେ ଏହା ସବୁଠାରୁ ବଡ଼ କ୍ଷତି ବୋଲି କୁହାଯାଉଛି।

ଯାନବାହନ କ୍ରୟ ପାଇଁ ଲୋକମାନଙ୍କର ମଧ୍ୟରେ ଉତ୍ସାହର ଅଭାବ ଏବଂ ବିଦେଶୀ ପୁଞ୍ଜି ନିବେଶକାରୀମାନଙ୍କ ଦ୍ୱାରା ପୁଞ୍ଜି ପ୍ରତ୍ୟାହାର ଭଳି କାରଣ ଯୋଗୁଁ ଅଟୋମୋବାଲ ଶିଳ୍ପର ଗତିପଥରେ ବାଧା ସୃଷ୍ଟି ହୋଇଛି। ଯାହା ଫଳରେ କି କମ୍ପାନିଗୁଡ଼ିକ ନିଜ ଉତ୍ପାଦନ ବନ୍ଦ କରିବା ପାଇଁ ବାଧ୍ୟ ହେଉଛନ୍ତି।

Comment