ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ  

ଅଟୋମୋବାଇଲ୍ କମ୍ପାନିଗୁଡ଼ିକରେ କିଛି ମାସ ହେଲା ଅସ୍ଥିରତା ଦେଖାଯାଉଛି। ଯାନବାହନ କ୍ରୟ ପାଇଁ ଲୋକମାନଙ୍କର ମଧ୍ୟରେ ଉତ୍ସାହର ଅଭାବ ଏବଂ ବିଦେଶୀ ପୁଞ୍ଜି ନିବେଶକାରୀମାନଙ୍କ ଦ୍ୱାରା ପୁଞ୍ଜି ପ୍ରତ୍ୟାହାର ଭଳି କାରଣ ଯୋଗୁଁ ଯାନବାହନ ଶିଳ୍ପର ଗତିପଥରେ ବାଧା ସୃଷ୍ଟି ହୋଇଛି।

ଗତ ଅଗଷ୍ଟ ମାସରେ ଦେଶର ସର୍ବବୃହତ୍ କାର୍ କମ୍ପାନି ମାରୁତି ସୁଜୁକି ତା’ର କାର୍ ନିର୍ମାଣ କାର୍ଯ୍ୟକୁ କିଛି ପରିମାଣରେ ଧିମା କରିଦେଇଥିଲା। ଯାହା ଫଳରେ କମ୍ପାନି ପକ୍ଷରୁ ଅନେକ କର୍ମଚାରୀଙ୍କୁ ଛଟେଇ କରିବାକୁ ପଡ଼ିଥିଲା।

ମାରୁତି ସୁଜୁକି ଗତକାଲି ପୁଣି ତା’ର କାର୍ ଉତ୍ପାଦନ ଦୁଇଦିନ ପାଇଁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବାକୁ ଘୋଷଣା କରିଛି।  ଆସନ୍ତା ୭ ଓ ୯ ତାରିଖ ଦୁଇଦିନ ପାଇଁ ମାରୁତି କମ୍ପାନି ହରିୟାଣାର ଗୁରୁଗ୍ରାମ ଏବଂ ମାନେସରରେ ଥିବା ଉତ୍ପାଦନ ଉଦ୍ୟୋଗକୁ ବନ୍ଦ ରଖିବ। ତେବେ ଗୁଜୁରାଟରେ ଥିବା ଉଦ୍ୟୋଗରେ ଉତ୍ପାଦନ କାର୍ଯ୍ୟ ଚାଲୁ ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ମାରୁତି କମ୍ପାନି ଏହି ଦୁଇଟି ଉଦ୍ୟୋଗରୁ ବାର୍ଷିକ ୧୫ ଲକ୍ଷ ଆୟ କରୁଥିଲା। ହେଲେ କାର୍ ବିକ୍ରିରେ ମନ୍ଥରତା ଯୋଗୁଁ ବାଧ୍ୟ ହୋଇ କମ୍ପାନି ଏଭଳି ନିଷ୍ପତ୍ତି  ନେଇଥିବାର ଜଣାପଡ଼ିଛି। ବଜାରର ପାଖାପାଖି ୫୦ ପ୍ରତିଶତ ସେୟାର ଧାରଣ କରିଥିବା ମାରୁତି କମ୍ପାନି ଗତ ୧୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏଭଳି ଏକ ଶକ୍ତ ନିଷ୍ପତ୍ତି ନେଇଛି।

ନିକଟରେ କମ୍ପାନି ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତବର୍ଷ ଅଗଷ୍ଟ ମାସରେ ୧,୫୮,୧୮୯ ୟୁନିଟ୍ କାର୍ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ତାହା ୩୩ ପ୍ରତିଶତ ହ୍ରାସ ପାଇ ୧.୦୬,୪୧୩ ୟୁନିଟ୍‌ରେ ପହଞ୍ଚିଛି। ଏହା ବ୍ୟତୀତ ମାରୁତିର ଯାତ୍ରୀବାହୀ ଯାନ ଉତ୍ପାଦନ ଗତ ବର୍ଷ ଅଗଷ୍ଟ ମାସରେ ୧,୬୬,୧୬୧ ୟୁନିଟ୍  ଥିଲା, ଯାହାକି ଚଳିତ ବର୍ଷ ୩୩.୬୭ ପ୍ରତିଶତ କମିଯାଇ ୧,୧୦,୨୧୪ ୟୁନିଟରେ ପହଞ୍ଚିଥିଲା।

ମାରୁତିର ବିଭିନ୍ନ ମଡେଲର ବିକ୍ରିରେ ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ପରିବର୍ତ୍ତନ:

୧- ଅଲ୍ଟୋ, ଓଲ୍ଡ ୱାଗନର ଆର – ୭୧% ହ୍ରାସ

୨- ନିୟୁ ୱାଗନର ଆର, ଇଗିନ୍ସ, ସ୍ୱିଫ୍ଟ, କେଲେରିଓ, ଡିଜାୟାର, ବଲେନୋ  ୨୩.୯% ହ୍ରାସ

୩- ଭିଟାର ବ୍ରିଜା, ଏସ୍କ୍ରସ୍, ଏର୍ଟଗା ଓ  ନିୟୁ ଏକ୍ସ.ଏଲ.ସିକ୍ସ ୩.୧% ବୃଦ୍ଧି

୪- ଓମିନି ଓ ଇକୋ ୩୬.୬ % ହ୍ରାସ

ଗତ ଏକ ବର୍ଷ ମଧ୍ୟରେ ମାରୁତି ସୁଜୁକି କମ୍ପାନିର ଅଧିକାଂଶ ମଡେଲ୍‌ର ବିକ୍ରି ପ୍ରତିଶତ କ୍ରମଶଃ କମିବାରେ ଲାଗିଛି। ଫଳସ୍ଵରୂପ, କମ୍ପାନି ତା’ର ଉତ୍ପାଦନ କମାଇବାକୁ ବାଧ୍ୟ ହୋଇଛି। ନିଶ୍ଚୟ ଭାବେ ଏହା ପ୍ରତ୍ୟେକ ଅଟୋମୋବାଇଲ୍ କମ୍ପାନି ପାଇଁ ବିପଦ ସଙ୍କେତ।  ସେହିପରି କମ୍ପାନିଗୁଡିକରେ କାମ କରୁଥିବା କର୍ମଚାରୀଙ୍କ ଭବିଷ୍ୟତ ମଧ୍ୟ ପ୍ରଶ୍ନଘେରରେ ରହିଛି। ଏନେଇ ସରକାର ସଜାଗ ହେବା ସହ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।

Comment