ଓଡ଼ିଶାଲାଇଭ ବ୍ୟୁରୋ

  • ୫ ଶ୍ରେଣୀ ପାଇଁ ୨ ଶ୍ରେଣୀଗୃହ
  • ବାରଣ୍ଡାରେ ପଢୁଛନ୍ତି ପିଲା

ସରକାର ସର୍ବଶିକ୍ଷା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ପିଲାଙ୍କୁ ସ୍କୁଲ ଆସିବା ପାଇଁ କହୁଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସହ ଅନ୍ୟାନ୍ୟ ପାଠ ପଢିବା ପାଇଁ ସମସ୍ତ ଉପକରଣ ଯୋଗାଇ ଦେଉଛନ୍ତି। କିନ୍ତୁ ବିଦ୍ୟାଳୟର ଅବସ୍ଥା ସଙ୍ଗୀନ ହୋଇ ଛାତ ଭୁଷୁଡୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁନି। ବାରମ୍ବାର ଅଭିଯୋଗ ସତ୍ତ୍ଵେ ବିଦ୍ୟାଳୟର ମରାମତି ହେଉ ନାହିଁ। ଶ୍ରେଣୀ ଗୃହର ଛାତ ଭୁଶୁଡୁ ଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ପଢିବାକୁ ବାଧ୍ୟ ହେଉଛନ୍ତି।

ଏମିତି ଅବସ୍ଥା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ପୌରାଞ୍ଚଳର ଉଡ଼ାଜାହାଜ ପଡ଼ିଆ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟଟି ଫେବୃଆରୀ ୫ ତାରିଖ୧୯୯୨ ମସିହାରେ ପ୍ରତିଷ୍ଠିତ ହୋଇଥିବାବେଳେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି।

ଏଥିପାଇଁ ବିଦ୍ୟାଳୟରେ ଚାରୋଟି ଶେଣୀଗୃହ ରହିଛି। ସେଥି ମଧ୍ୟରୁ ୨ଟି ଶେଣୀ ଗୃହର ଛାତ ବିପଦ ଶଙ୍କୁଳ ଅବସ୍ଥାରେ ଥିବାରୁ ପିଲାଙ୍କୁ ବହାରେ ପାଠ ପଢାଇବା ପାଇଁ ବାଧ୍ୟ ହେଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀମାନେ।

ବିଦ୍ୟାଳୟରେ ଛାତ ଭୁଶୁଡୁ ଥିବା ସମସ୍ୟା ବାବଦରେ ବର୍ଷେ ପୂର୍ବରୁ ପ୍ରଶାସନକୁ ଅବଗତ କରାଇଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ସୋଭିତା ମିତ୍ର। ଏହା ପରେ ଲଖନପୁରର ତତ୍କାଳୀନ ବ୍ଲକ ଏଜୁକେଶନ ଅଫିସର ବିଦ୍ୟାଳୟର ଅବସ୍ଥା ଦେଖି ଶୀଘ୍ର ମରାମତି କରାଯିବ ବୋଲି କହିଥିଲେ। ହେଲେ ଅଭିଯୋଗକୁ ବର୍ଷେ ପୂରି ଯାଇଥିଲେ ସୁଦ୍ଧା ବିଦ୍ୟାଳୟର ମରାମତି ହୋଇ ପାରିନାହିଁ।

ଏହି ଅଞ୍ଚଳର ୨ଟି ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନଥିବାରୁ ସେହି ୨ଟି ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଓ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ରର ପିଲା ମଧ୍ୟ ପାଠ ପଢୁଛନ୍ତି। ଏତିକିରେ ବିଦ୍ୟାଳୟର ସମସ୍ୟା ଶେଷ ହୋଇ ନାହିଁ। ବିଦ୍ୟାଳୟରେ ପାଣି ଓ ବିଦ୍ୟୁତର ସମସ୍ୟା ମଧ୍ୟ ରହିଛି। ନଳଗୁଡିକରେ ପାଣି ଆସୁ ନଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟାଳୟର ଥିବା ୨ଟି ଶ୍ରେଣୀରେ ବିଦ୍ୟୁତ ବଲ୍‌ବ ଓ ପଙ୍ଖା ମଧ୍ୟ ସଂଯୋଗ ହୋଇନାହିଁ।

ଉଡାଜାହାଜପଡିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୬୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଲିମଟିକରା ଆଙ୍ଗନବାଡିର ୧୬ ଜଣ ଓ ଜମିଦାରପଡା ଆଙ୍ଗନବାଡିର ୭ ଜଣ ପିଲା ଅଧ୍ୟୟନ କରୁଛନ୍ତି। ପ୍ରଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଙ୍ଗନବାଡ଼ି ପିଲାଙ୍କୁ ପଢାଇବା ପାଇଁ ୨ଜଣ ଶିକ୍ଷୟତ୍ରୀ ଅଛନ୍ତି।

ଝାରସୁଗୁଡା ଜିଲ୍ଲାର ଜମଗାଁ ବିଦ୍ୟାଳୟରେ ଛାତ ଭୁଶୁଡ଼ି ଜୁନ ୨୪ ତାରିଖ ୨ଜଣ ଛାତ୍ର ଆହତ ହୋଇଥିଲେ। ଏହି ଭୟାବହ ଘଟଣା ଅଭିଭାବକମାନଙ୍କ ମନରୁ ଲିଭି ନଥିବାବେଳେ ଏହି ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା ବିଦ୍ୟାଳୟକୁ ପିଲାଛୁଆଙ୍କୁ ଛାଡିବା ପାଇଁ ଭୟ ଲାଗୁଛି ବୋଲି କହିଛନ୍ତି ଅଭିଭାବକ ଡୋଲାମଣି ପଣ୍ଡା। ତେଣୁ ଅତିଶୀଘ୍ର ଏହି ବିଦ୍ୟାଳୟର ମରାମତି କରାଯାଉ ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି।

Comment