ଓଡ଼ିଶାଲାଇଭ ବ୍ୟୁରୋ

ପାଠ ପଢ଼ିବା ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏହା ଗରିବ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେମାନଙ୍କ ପାଠପଢ଼ା ପାଇଁ ଅର୍ଥ ସାଜିଛି ବାଧକ। ଆର୍ଥିକ ଅନଟନ ଛଡ଼େଇ ନେଉଛି ସେମାନଙ୍କ ପାଠପଢା ଓ ପିଲାବେଳ। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ସୁକୁପଡ଼ା ଗ୍ରାମରେ।

ଗ୍ରାମର ପିଙ୍କି ଖଡ଼ିଆ ନାମକ ଜଣେ ଛାତ୍ରୀ ଏବେ ଅର୍ଥ ଅଭାବରୁ ବିଦ୍ୟାଳୟ ଯାଇ ପାରୁ ନାହାନ୍ତି। ଆର୍ଥିକ ଅନଟନ ଓ ପରିବାର ଭରଣପୋଷଣ ପାଇଁ ସେ ନବମ ଶ୍ରେଣୀରୁ ପାଠପଢା ଛାଡ଼ିବା ପାଇଁ ବାଧ୍ୟ ହୋଇଛନ୍ତି। ଚାରିବର୍ଷ ପୂର୍ବେ ପିଙ୍କିଙ୍କ ବାପା ସରଜି ଖଡ଼ିଆଙ୍କ ସାପକାମୁଡ଼ାରେ ମୃତ୍ୟୁ ହୋଇଥିଲା।

ଏହାପରେ ସେ ଛୁଆଲିବେର୍ଣ୍ଣା ଆଶ୍ରମ ସ୍କୁଲରେ କଷ୍ଟେ ମଷ୍ଟେ ଅଷ୍ଟମ ଶ୍ରେଣୀଯାଏଁ ପାଠ ପଢିଛନ୍ତି ପିଙ୍କି। ଦିନ ମଜୁରିଆ ଭାବରେ କମାକରୁଥିବା ମା’ ପିଙ୍କିର ପାଠ ପଢା ଦାୟିତ୍ୱ ନେଇଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଗତ ବର୍ଷ କର୍କଟ ରୋଗରେ ତାଙ୍କ ମା’ଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ମା’ଙ୍କ ମୃତ୍ୟୁପରେ ଘରେ ରୋଜଗାର କ୍ଷମ ଆଉ କେହି ନାହାନ୍ତି। ଦୁଇ ଭାଇ ଓ ବୁଢ଼ି ମା’ଙ୍କ ସହ ଏକ ଭଙ୍ଗା ଘରେ ରହୁଛନ୍ତି।

ବଡଭାଇ ଶକ୍ତି ଖଡ଼ିଆ ଯାହା ରୋଜଗାର କରନ୍ତି ସେତିକିରେ ଚାରିପ୍ରାଣୀ କୁଟୁମ୍ବ ଚଳିବା ଅସମ୍ଭବ। ତେଣୁ ପିଙ୍କି ଏବେ ପାଠ ପଢା ଛାଡ଼ି ଲୋକଙ୍କ ଘରେ ବାସନ ଧୋଇ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେ କୋହଭରା କଣ୍ଠରେ କହିଛନ୍ତି, “ଏବେ ପଇସା ନାହିଁ ପାଠ ପଢ଼ିବାକୁ। ଯେଉଁଦିନ ପଇସା ହେବ ସେହିଦିନଠାରୁ ପାଠପଡା ପୁଣି ଆରମ୍ଭ କରିବି।“

ପିଙ୍କି ଖଡିଆ ଜଣେ ମେଧାବୀ ଛାତ୍ରୀ ତାଙ୍କ ପରି ପିଲା ଆର୍ଥିକ ଅନଟନ ଯୋଗୁଁ ବିଦ୍ୟାଳୟ ନ ଆସିବା ଏକ ଦୁଃଖର ବିଷୟ ଓ ସେ କିପରି ବିଦ୍ୟାଳୟ ଆସିପାରିବେ ସେ ଦିଗରେ ତାଙ୍କୁ ସାହାଯ୍ୟ କରିବା ଆବଶ୍ୟକ ବୋଲି ଛୁଆଲିବେର୍ଣ୍ଣା ନର୍ସିଂ ହାଇସ୍କୁଲର ପ୍ରଧାନ ଶିକ୍ଷକ ରତ୍ନାକର ମହାରଣା କହିଛନ୍ତି।

ଅନ୍ୟପଟେ ଛୁଆଳିବେର୍ଣ୍ଣା ଆଶ୍ରମ ହାଇସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି, ”ପିଙ୍କି ପାଠପଢା ସହ ଖେଳକୁଦରେ ମଧ୍ୟ ପାରଙ୍ଗମ। ତାଙ୍କ ପରି ଛାତ୍ରୀ ବହୁତ ଆଗକୁ  ବଢିବାର କ୍ଷମତା ରଖିଛନ୍ତି। ପାଠ ପଢିବାର ଇଚ୍ଛାଥିଲେ ମଧ୍ୟ ପରିବାରର ଭରଣ ପୋଷଣ ନିମନ୍ତେ ଅଳ୍ପ ବୟସରୁ ରୋଜଗାର କରିବା ପାଇଁ ବାଧ୍ୟ ହେଉଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସାହାଯ୍ୟ ମିଳିବା ଉଚିତ।

Comment