ଓଡ଼ିଶାଲାଇଭ ବ୍ୟୁରୋ

ଉତ୍କଳ ବିଶ୍ଵବିଦ୍ୟାଳୟରେ ଦେଖା ଦେଇଛି ଛାତ୍ର ଅଶାନ୍ତି। ୧୦ ଦଫା ଦାବି ନେଇ କୁଳପତିଙ୍କ ଅଫିସ ଘେରାଉ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ତେବେ କୁଳପତିଙ୍କ ଅଫିସରେ ଧସେଇ ପଶିବା ବେଳେ ପୋଲିସ ଓ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଛନ୍ତି।

ଦୀର୍ଘଦିନ ହେବ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ କରି ଆସୁଥିଲେ। ଛାତ୍ରନିବାସ ଓ ଛାତ୍ରୀନିବାସରେ ଅନେକ ସମସ୍ୟା ଓ ମୁଖ୍ୟ ଫାଟକ ସ୍ଥାନାନ୍ତର କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ହେଲେ ଏଥିପ୍ରତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରିଥିବା ଅଭିଯୋଗ ହୋଇଛି।

ତେବେ ଆଜି ଏହି ଅଭିଯୋଗକୁ ଭିତ୍ତି କରି ଛାତ୍ରଛାତ୍ରୀ କୁଳପତିଙ୍କ ଅଫିସରେ ଧସେଇ ପଶିଥିଲେ। ଏହି ସମୟରେ ପୋଲିସ ଓ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତିକୁ ଶାନ୍ତ କରିବାକୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ବାହାରି ପାରିନାହିଁ। ପୋଲିସ ଘଟଣାସ୍ଥଳରେ ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ଯଦି ସମସ୍ୟାର ତୁରନ୍ତ ସମାଧାନ ନକରାଯାଏ ତେବେ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀଛାତ୍ରୀ ଚେତାବନୀ ଦେଇଛନ୍ତି।

Comment