ଓଡ଼ିଶାଲାଇଭ ବ୍ୟୁରୋ

ମଣିକୁଣ୍ଡା ଗଗନ ସାହୁ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ପୋଲିସ। ଚୋରାମଦ ବେପାର ଯେ ଏମିତି ଜଘନ୍ୟ ହତ୍ୟାକାଣ୍ଡର ରୂପ ନେଇପାରେ ଯାହା ଶୁଣିଲେ ଆପଣ ବିଶ୍ଵାସ କରିପାରିବେନି। ଏମିତି ଏକ ଘଟଣା ଉପରୁ ପରଦା ହଟାଇଛି କେନ୍ଦ୍ରାପଡା ପୋଲିସ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଫେରାର ଥିବା ବେଳେ ପୋଲିସ ହତ୍ୟାକାଣ୍ଡରେ ଥିବା ଅନ୍ୟମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଘଟଣା ଘଟିଥିଲା ଗତ ୧୮ ତାରିଖ ସକାଳ ପ୍ରାୟ ୯ଟା ବେଳେ। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗାଁର ଗଗନ ସାହୁ ହାତିଆ ରାସ୍ତାରେ ଯାଉଥିଲେ। ନିରୋଳା ଓ ନିଛାଟିଆ ଏହି ରାସ୍ତାରେ ଗଗନଙ୍କୁ ପାଇ ବାଇକରେ ଯାଇ ଦୁଇ ଦୁର୍ବୁତ୍ତ ଗଗନଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।

ଫଳରେ ଗଗନଙ୍କ ମୁଣ୍ଡ ଓ ବେକରେ ୩ ରାଉଣ୍ଡ ଗୁଳି ବାଜିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଗନଙ୍କୁ ସ୍ଥାନୀୟ ଲୋକେ ବାଇକରେ ବସାଇ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ହତ୍ୟାକାଣ୍ଡ ପଛରେ ଯେ ଚୋରାମଦ ବେପାରର ରହସ୍ୟ ଲୁଚି ରହିଛି ତାହା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ରାପଡା ଏସ୍ ପି ନିତିଶେଖର। ଚୋରାମଦ ବେପାରକୁ ନେଇ ଟଙ୍କା ଦେଣନେଣ ଘଟଣା ଓ ଗଣେଶ ପୂଜା ଭସାଣିରେ ଗଗନ କରିଥିବା ଗଣ୍ଡଗୋଳକୁ ନେଇ ଗଗନ ସାହୁଙ୍କୁ ଗୁଳିକରି ହତ୍ୟା କରାଯାଇଥିବା କେନ୍ଦ୍ରାପଡା ଏସ୍ ପି ନିତିଶେଖର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଗତ ବର୍ଷ ମଣିକୁଣ୍ଡା ଗାଁର ଅନନ୍ତ ଜେନା ଓରଫ ଭେଲୁ ଚୋରାମଦ ବେପାର କରିବାକୁ ଜୋକିଆ ଗାଁର ଉତ୍କଳ ଖୁଣ୍ଟିଆଙ୍କଠାରୁ ୩ ଲକ୍ଷ ଟଙ୍କା ଧାର ଆଣିଥିଲା। ଯେଉଁଥିରେ ଗଗନ ସାହୁ ଓ ତା’ର ସାଙ୍ଗ ରାଜା ମୁଦୁଲି ମଧ୍ୟସ୍ଥ ହୋଇଥିଲେ। ମଦ ବେପାର ଭଲ ଚାଲୁଥିବା ଦେଖି  ଗଗନ ଭେଲୁ ସହିତ ଭାଗିଦାର ହେବାକୁ ଚାହିଁଥିଲା।

ଭେଲୁ ଏହି ମଦ ବେପାରରେ ଗଗନକୁ ସାମିଲ କରିବାକୁ ଚାହୁଁନଥିଲା। ତେଣୁ ଗଗନ ଉତ୍କଳ ଉପରେ ଚାପ ସୃଷ୍ଟି କରିଥିଲା ଯେ ଭେଲୁଠାରୁ ଦେଇଥିବା ଧାର ଟଙ୍କା ଫେରାଇ ଆଣିବାକୁ। ଟର୍ମ ଅନୁସାରେ ଭେଲୁ ପ୍ରଥମ ଦୁଇ ମାସରେ ୫୦ ହଜାର ଟଙ୍କା ଫେରାଇଥିଲା। ଅବଶିଷ୍ଟ ଟଙ୍କା ଫେରାଇବାକୁ ଗଗନ ଉତ୍କଳ ଉପରେ ଚାପ ସୃଷ୍ଟି କରିବାରୁ ଭେଲୁ ତାର ମଦ ବେପାରରେ ବ୍ୟବହାର କରୁଥିବା ପ୍ରାୟ ଲକ୍ଷେ ଟଙ୍କାର ସାଜ ସରଞ୍ଜାମ ଗୁଡିକୁ ଉତ୍କଳକୁ ଦେଇ ଦେଇଥିଲା।

ବାକି ୨ ଲକ୍ଷ ଟଙ୍କା ଭେଲୁଠାରୁ ଆଦାୟ କରିବିକୁ ଉତ୍କଳ ଭେଲୁ ସହ ଗଣ୍ଡଗୋଳ କରିବା ଆରମ୍ଭ କରିଥିଲା। ଯାହା ପଛରେ ଗଗନର ଇସରା ରହିଥିଲା। ଏପରିକି ଶିଘ୍ର ଟଙ୍କା ଫେରାଇବାକୁ ଭେଲୁକୁ ହତ୍ୟା ଧମକ ଦେଇଥିଲେ ଗଗ, ଗଗନର ସାଙ୍ଗ ରାଜା ମୁଦୁଲି ଓ ଉତ୍କଳ। ହତ୍ୟା ଧମକ ଭୟରେ ଗାଁ ଛାଡି ପଳାଇଯାଇ ବାହାରେ ଆତ୍ମ ଗୋପନ କରିଥିଲା ଭେଲୁ।

ଗତ ଗଣେଶ ପୂଜାରେ ମଣିକୁଣ୍ଡା ଗାଁରେ ଭସାଣି ବେଳେ ଗଗନ ବୀର ସ୍ଵାଇଁକୁ ପିଟିଥିଲା। ଏହି ମାଡ଼ଗୋଳ ପରେ ବୀର ସ୍ଵାଇଁଙ୍କ ପୁଅ ରିତନ ପ୍ରତିଶୋଧ ନେବା ପାଇଁ ତା’ର ସମର୍ଥକ ପ୍ରଭାତ ନାୟକ, ଅମୂଲ୍ୟ ମଳିକ, ରମେଶ ସ୍ଵାଇଁ ମିଶି ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ରିତନ ଭେଲୁ ଓ ଭେଲୁର ଭାଇ ଶାୟନ ଜେନାଙ୍କ ସହିତ ପରାମର୍ଶ କରିଥିଲେ।

ଗଗନକୁ ରାସ୍ତାରୁ ହଟାଇବାକୁ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ର। ଗାଁର କ୍ଷୀରୋଦ ସ୍ଵାଇଁଙ୍କ ଘରେ ହୋଇଥିଲା ଏହି ଯୋଜନା। ଗତ ୧୮ ତାରିଖରେ ଗଗନ ମାଣିତିରୀ ହଜାରୀ ରାସ୍ତାରେ ଆସୁଥିବା ବେଳେ ଭେଲୁ ଓ ତା’ର ଜଣେ ସାର୍ପ ସୁଟର ସାଙ୍ଗକୁ ନେଇ ଗଗନ ଉପରକୁ ଗୁଳି ଚଳାଇ ଫେରାର ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭେଲୁ ଓ ତାର ସାର୍ପ ସୁଟର ସାଙ୍ଗ ସହିତ ଗଗନ ହତ୍ୟକାଣ୍ଡର ଅନ୍ୟତମ ଅଭିଯୁକ୍ତ ମାଣିତିରୀ ଗାଁର ପ୍ରଭାତ ନାୟକ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଅନ୍ୟ ୫ ଜଣଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସେମାନେ ହେଲେ ମଣିକୁଣ୍ଡା ଗାଁର ମୁଖ୍ୟ ଅଭିଯୁକ୍ତ ଭେଲୁର ଭାଇ ଶାୟନ ଜେନା, ରିତନ ଓରଫ ରଶ୍ମିରଞ୍ଜନ ସ୍ଵାଇଁ, ମାଣିତିରୀ ଗାଁର ରମେଶ ସ୍ଵାଇଁ, ମଣିକୁଣ୍ଡା ଗାଁର କ୍ଷୀରୋଦ ସ୍ଵାଇଁ ଓ ମାଣିତିରୀ ଗାଁର ସନିଆ ଓରଫ ଅମୂଲ୍ୟ ମଳିକ। ଏମାନଙ୍କୁ ଆଜି କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ହାଜର କରିଛି ପୋଲିସ। ଜାମିନ ଆବେଦନ ଖାରଜ ହେବା ପରେ ଜେଲ ପଠାଯାଇଛି।

LEAVE A REPLY

Please enter your comment!
Please enter your name here