ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ସହ ସମ୍ପର୍କ ତୁଟାଇ ୨୦୧୮ ଉପନିର୍ବାଚନରେ ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀଙ୍କୁ ପୁଣି ନିରାଶ କଲା ବିଜେପି।
ଏକ ନାଟକୀୟ ମୋଡ଼ରେ ୨୦୧୮ରେ ବିଜେପିରେ ଯୋଗ ଦେଇଥିଲେ ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ। ବିଜେଡି ନେତାଙ୍କ ଉପରେ ବିଷୋଦ୍ଗାର କରି ସେ ବିଜେପି ଟିକେଟ ନେଇଥିଲେ। ୨୦୧୮ ଉପ-ନିର୍ବାଚନରେ ପ୍ରାର୍ଥୀ ହେଲେ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ କଡ଼ା ଟକ୍କର ଦେଇ ଦୁଇ ନମ୍ବର ସ୍ଥାନରେ ରହିଥିଲେ।
ହେଲେ ଅଶୋକଙ୍କୁ ଦଳ ନିରାଶ କରିଛି। ୨୦୧୯ ସାଧାରଣ ନିର୍ବାଚନରେ ଅଶୋକଙ୍କୁ ବିଜେପି ଟିକେଟ ଦେଇ ନଥିଲା। ସେ ବିଜେଡିରୁ ଆସିଥିବାରୁ ଏବଂ ବିଜେପୁରରେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାରୁ କାଳେ ଅଶୋକଙ୍କ ମନରେ ସଫ୍ଟନେସ୍ ଥିବ ସେଥିପାଇଁ ଅଶୋକଙ୍କୁ ଟିକେଟ ଦେଇ ନଥିଲା ଦଳ। ବିଜେପି ନେତା ସନତ ଗଡ଼ତିଆଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା ବିଜେପି।
୨୦୧୮ ଉପ-ନିର୍ବାଚନରେ ଅଶୋକ ଏବଂ ୨୦୧୯ରେ ସନତ ଉଭୟ ହାରିଥିଲେ। କିନ୍ତୁ ଅକ୍ଟୋବର ୨୧ରେ ହେବାକୁ ଥିବା ଉପ-ନିର୍ବାଚନରେ ଅଶୋକ ଏବଂ ସନତ ଟିକେଟ ଆଶାୟୀ ଥିଲେ। ହେଲେ ଅଶୋକଙ୍କୁ ନିରାଶ ହେବାକୁ ପଡ଼ିଛି।
ଅଶୋକ ଯେତେବେଳେ ୨୦୧୮ ଉପ-ନିର୍ବାଚନରେ ବିଜେପି ଟିକେଟ ନେଲେ ତାକୁ ନେଇ ଦଳରେ କେତେ ମହାଭାରତ ହୋଇଛି। ଅଶୋକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। କାରଣ ନାରାୟଣ ଥିଲେ ବିଜେପୁର ପାଇଁ ଟିକେଟ ଆଶାୟୀ। ହେଲେ ଯେଉଁ ଅଶୋକଙ୍କୁ ନେଇ ୨୦୧୮ରେ ଏତେ ଘଟଣା ଘଟିଥିଲା ତାଙ୍କୁ ବିଜେପି ପୂରା ସଫା କରିଦେଲା ବୋଲି ଚର୍ଚ୍ଚା ହେଉଛି।
ଅଶୋକ ପାଣିଗ୍ରାହୀ ଥିଲେ ବିଜେଡିର ମୂଳ ନେତା। ୨୦୦୦ ମସିହାରେ ଅଶୋକ ବିଜେଡି ଟିକେଟରେ ବିଜେପୁରରୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୪ରେ ତାଙ୍କୁ ହାରିବାକୁ ପଡ଼ିଥିଲା। କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତାଙ୍କୁ ପରାଜିତ କରିଥିଲେ।
୨୦୦୯ରେ ଅଶୋକଙ୍କୁ ଟିକେଟ ଦେଇ ନଥିଲା ଦଳ। ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ପ୍ରଭାତ ବି ସେଥର ହାରିଥିଲେ। ୨୦୧୪ ନିର୍ବାଚନରେ ପୁଣି ଅଶୋକ ବିଜେଡି ଟିକେଟ ପାଇଁ ଲବି କରିଥିଲେ। କିନ୍ତୁ ଅଶୋକଙ୍କୁ ନା କହି ଦଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା।
ଶେଷରେ ଅଶୋକ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼େଇ କରିଥିଲେ। ଅଶୋକ ସ୍ୱାଧୀନ ପ୍ରାର୍ଥୀ ହେବାରୁ ପ୍ରସନ୍ନ ଆଚାର୍ଯ୍ୟ ପରାଜିତ ହେଲେ ବୋଲି ସେତେବେଳେ ଚର୍ଚ୍ଚା ହେଲା। ଫଳରେ ଦଳ ବିରୋଧୀ କାମ ପାଇଁ ଅଶୋକଙ୍କୁ ନିଲମ୍ବିତ କରିଥିଲେ ବିଜେଡି ସୁପ୍ରିମୋ।
୨୦୧୭ରେ ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ ଫେବ୍ରୁଆରିରେ ବିଜେପୁରର ହୋଇଥିଲା ଉପ-ନିର୍ବାଚନ। ଅଶୋକ ପୁଣି ବିଜେଡି ଟିକେଟ ପାଇଁ ମନ ବଳାଇଥିଲେ। ହେଲେ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିବାରୁ ଶେଷରେ ଅଶୋକ ବିଜେପିକୁ ଯାଇଥିଲେ। ସଙ୍ଗେ ସଙ୍ଗେ ବିଜେପି ଟିକେଟ ନେଇଥିଲେ।
ଅଶୋକଙ୍କ ପାଇଁ ବିଜେପିର ବଡ଼ ନେତାମାନେ ପ୍ରଚାର କରିଥିଲେ ମଧ୍ୟ କିଛି ଫରକ୍ ପଡ଼ି ନଥିଲା। ଅଶୋକଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ଅଶୋକ ଭାବିଥିଲେ ବିଜେପିରେ ହିଁ ସେ ତାଙ୍କ ରାଜନୀତି କ୍ୟାରିଅର ଆଗକୁ ନେବେ। ହେଲେ ବିଜେପି ତାଙ୍କୁ ପୂରା ସଫା କରିଦେଇଥିବା ଚର୍ଚ୍ଚା ହେଉଛି। ୨୦୧୮ରେ ଦଳକୁ ଆଣି ୨୦୧୯ ସଧାରଣ ନିର୍ବାଚନ ଏବଂ ଉପ-ନିର୍ବାଚନରେ ଟିକେଟ ନଦେଇ ଅଶୋକଙ୍କ ରାଜନୀତିରେ ପୂର୍ଣ୍ଣଛେଦ ପକାଇ ଦେଇଛି। ଏବେ ଅଶୋକ କ’ଣ କରିବେ ତା’ ଉପରେ ନଜର।