ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସୋମବାର ପୂର୍ବାହ୍ନ ୧୦ଟା ୨୦ ମିନିଟରେ ସୁପରସୋନିକ ଦୂରଗାମୀ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ସଫଳ ହୋଇଛି।

ଏହି କ୍ଷେପଣାସ୍ତ୍ରରେ ଭାରତୀୟ କ୍ଷେପଣ ପଦ୍ଧତି, ଏୟାରଫ୍ରେମ, ଇନ୍ଧନ ଯୋଗାଣ ତଥା ସ୍ୱଦେଶୀ ସରଞ୍ଜାମ ଓ ଜ୍ଞାନକୌଶଳ ଉପଯୋଗ କରାଯାଇଛି। ଡିଆରଡିଓ ଏବଂ ବ୍ରହ୍ମୋସ ଏରୋସ୍ପେସର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ୨୯୦ କିଲୋମିଟର ରେଞ୍ଜରେ ଏହା ନିଜର ସମ୍ପୂର୍ଣ୍ଣ ଲକ୍ଷ୍ୟଭେଦ କ୍ଷମତା ହାସଲ କରିଥିଲା।

ସମ୍ପୂର୍ଣ୍ଣ ସ୍ୱଦେଶୀ ସରଞ୍ଜାମ ଉପଯୋଗ କରାଯାଇ ଏହି ଦୁର୍ଭେଦ୍ୟ କ୍ଷେପଣାସ୍ତ୍ର ବିକଶିତ ହୋଇଛି। ଫଳରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତା ଆହୁରି ସୁଦୃଢ଼ ହୋଇଛି। ଏହା ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ମେକ ଇନ ଇଣ୍ଡିଆ ଅଭିଯାନକୁ ମଧ୍ୟ ପ୍ରୋତ୍ସାହିତ କରିବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବ୍ରହ୍ମୋସର ସଫଳ ପରୀକ୍ଷଣ ଲାଗି ଡିଆରଡିଓ, ବ୍ରହ୍ମୋସ ଏବଂ ଏଥିରେ ଯୋଗଦାନ ଦେଇଥିବା ଉଦ୍ୟୋଗ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ।

ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜୀ ସତୀଶ ରେଡ୍ଡି ମଧ୍ୟ ଏହି ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ବ୍ରହ୍ମୋସ ମହାନିର୍ଦ୍ଦେଶକ ଡକ୍ଟର ସୁଧୀର କୁମାର ମିଶ୍ର, ଡିଆରଡିଏଲ ନିର୍ଦ୍ଦେଶକ ଡକ୍ଟର ଦଶରଥ ରାମ ଏବଂ ଆଇଟିଆର ନିର୍ଦ୍ଦେଶକ ଡକ୍ଟର ବି କେ ଦାସ ପରୀକ୍ଷଣ ସ୍ଥଳରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଅଭିଯାନରେ ସମନ୍ୱୟ ପ୍ରତିଷ୍ଠା କରିଥିଲେ। ଭାରତର ମେକ ଇନ ଇଣ୍ଡିଆ କ୍ଷମତା ବୃଦ୍ଧି ଦିଗରେ ଏହା ଏକ ଐତିହାସିକ ଉପଲବ୍ଧି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

Comment