ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ଝାଡୁ ଧରି ରାସ୍ତା ସଫା କଲେ ବିଏସଏଫ ଯବାନ। ବୈପାରୀଗୁଡ଼ା ବ୍ଲକ ୧୩ ବିଏସଏଫ୍ ବାଟାଲିୟନ୍ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ସ୍ଥାନୀୟ ଦଣ୍ଡାବାଡ଼ି ସାପ୍ତାହିକ ବଜାରରେ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି। ବିଏସଏଫ୍ କମାଣ୍ଡରଙ୍କ ନେତୃତ୍ୱରେ ସୋମବାର ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଆୟୋଜନ ହୋଇଛି।

ବାଟାଲିୟନର ଯବାନମାନେ ହାତରେ ଝାଡୁ ଧରି ଦଣ୍ଡାବାଡ଼ି ବଜାରକୁ ସଫାକରିଥିଲେ। ବଜାରରେ ପଡ଼ିଥିବା ବିଭିନ୍ନ ଅଳିଆ ଆବର୍ଜନା ସହ ପଡ଼ି ରହିଥିବା ପଲିଥିନ୍ ଆଦିକୁ ଯବାନମାନେ ସଫା କରିଥିଲେ। ଏହି ଅଭିଯାନରେ ଯବାନମାନଙ୍କ ସହ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ସ୍ଥାନୀୟ ସରପଞ୍ଚ କମୁଲି ନାୟକଙ୍କ ସହ ନାଏବ ସରପଞ୍ଚ ମୋଦନ ନାୟକ, ୱାର୍ଡମେମ୍ବର ନାରାୟଣ ଖରା, ମୁକୁନ୍ଦ ପୂଜାରୀ ଓ ଶେଖର ଖଲ ପ୍ରମୁଖ ଯୋଗ ଦେଇଥିଲେ। ସଫେଇ କାର୍ଯ୍ୟକ୍ରମ ପରେ ଲୋକମାନଙ୍କୁ ପରିବେଶ ସ୍ୱଚ୍ଛ ରଖିବା ସହ ନିଜେ କିଭଳି ନିରୋଗ ରହିପାରିବେ ସେନେଇ କମାଣ୍ଡର ଗ୍ରାମବାସୀଙ୍କୁ ବୁଝାଇଥିଲେ।

Comment