ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ଲାଷ୍ଟିକମୁକ୍ତ ଭାରତ ପାଇଁ ଏବେ ସବୁ ସ୍ତରରେ ଉଦ୍ୟମ ଚାଲିଛି। ଆସନ୍ତା ୨ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ସିଙ୍ଗଲ ୟୁଜ୍ଡ ପ୍ଲାଷ୍ଟିକ ଉପରେ ରୋକ ଲଗାଇବାକୁ ପଦକ୍ଷେପ ନେଉଛନ୍ତି ସରକାର।
ଏହାର ବିକଳ୍ପ ଭାବେ କାଗଜରେ ତିଆରି ବ୍ୟାଗ ଓ କପଡା ତିଆରି ବ୍ୟାଗର ବହୁଳ ବ୍ୟବହାର ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଏ ଦିଗରେ ଏବେ ହାତ ବଢାଇଛନ୍ତି ଅଧାରୁ ସ୍କୁଲ ଛାଡିଥିବା ଭୁବନେଶ୍ୱର ଶିଖରଚଣ୍ଡି ନଗର ବସ୍ତିର ପ୍ରାୟ ୪୦ ଜଣ ଝିଅ। ତିଆରି କରୁଛନ୍ତି କପଡାରେ ତିଆରି ବ୍ୟାଗ।
ସାମାଜିକ ଅନୁଷ୍ଠାନ ‘ଚେଷ୍ଟା’ ପକ୍ଷରୁ ସେମାନଙ୍କୁ ଏ ନେଇ ତାଲିମ ଦିଆଯାଇଛି। ପୁରୁଣା କପଡା ସଂଗ୍ରହ କରିବା ପରେ ଏହାକୁ ନେଇ ବିଭିନ୍ନ ଡିଜାଇନର ବ୍ୟାଗ ପ୍ରସ୍ତୁତ କରୁଛନ୍ତି ସେମାନେ। ଏହି ବ୍ୟାଗକୁ ବିଭିନ୍ନ ବର୍ଗର ଲୋକେ ବେଶ୍ ପସନ୍ଦ କରୁଛନ୍ତି। ସହରାଂଚଳର ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଗରେ ଅପଡେଟ୍ ଡିଜାଇନ ବି କରାଯାଉଛି।
ପ୍ରାୟ ୧୦ମିନିଟରେ ଗୋଟିଏ ବ୍ୟାଗ୍ ତିଆରି କରୁଛନ୍ତି ଏମାନେ। ପାରିଶ୍ରମିକ ମିଳୁଛି ପ୍ରାୟ ୧୦ରୁ ୨୦ ଟଙ୍କା। ପ୍ରତ୍ୟେକ ଝିଅ ଦିନକୁ ୧୦ରୁ ୨୦ଟି ବ୍ୟାଗ ସିଲେଇ କରୁଛନ୍ତି। ଫଳରେ ନିଜେ ସ୍ୱାବଲମ୍ବୀ ହେବା ସହ ସମାଜ ପାଇଁ କିଛି କରିପାରୁଥିବାରୁ ଏହି ଝିଅମାନେ ଏବେ ବେଶ୍ ଖୁସି।
“ପୂର୍ବରୁ ଘରେ ମାଆମାନେ ପୁରୁଣା ପ୍ୟାଣ୍ଟକୁ କାଟି ତିଆରି କରୁଥିଲେ ବ୍ୟାଗ। ଏହାକୁ ପରିବାପତ୍ର ଓ ଘରର ସଉଦା ଆଣିବାରେ ବ୍ୟବହାର କରାଯାଉଥିଲା। କାଳକ୍ରମେ ତା’ ସ୍ଥାନ ନେଲା ପଲିଥିନ। କିନ୍ତୁ ଏବେ ସମୟ ଆସିଛି ସେହି ପୁରୁଣା ଦିନକୁ ଫେରିବାର। କପଡା ବ୍ୟାଗ୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ବ୍ୟାଗ ଟୁ ସ୍କେୟାରର ସ୍ଲୋଗାନ ନେଇ ଚେଷ୍ଟା ପକ୍ଷରୁ ଏହି ଉଦମ ଆରମ୍ଭ ହୋଇଛି”, କହିଛନ୍ତି ପ୍ରୋଜେକ୍ଟ କୋଅର୍ଡିନେଟର ବିଦ୍ୟାଧର ବେଉରିଆ।
କେବଳ ବ୍ୟାଗ ତିଆରି ନୁହେଁ ଏହି ଝିଅମାନଙ୍କୁ ସଂସ୍ଥା ପକ୍ଷରୁ କମ୍ପ୍ୟୁଟର ତାଲିମ ମଧ୍ୟ ଦିଆଯାଉଛି। ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପାଠ ପଢିବାର ସୁଯୋଗ ଦେଉଛି ଏହି ସଂସ୍ଥା।
ଚେଷ୍ଟା ଅନୁଷ୍ଠାନ ପକ୍ଷରୁ ବ୍ୟାଗ ଟୁ ସ୍କେୟାର କାର୍ଯ୍ୟକ୍ରମରେ ସାମିଲ ହୋଇ କିଛି ରୋଜଗାର ସହ ସମାଜ ପାଇଁ କିଛି କରିପାରୁଥିବା ଏହି ଝିଅମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।


















