ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ହାରିବା ପରେ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝିଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି। ସେ ପୁଣି ତାଙ୍କର ପୁରୁଣା ଫେସାକୁ ଫେରିଛନ୍ତି। ବିଧାୟକ ଥିବା ବେଳେ ଗାଁ ଗାଁ ବୁଲି ଲୋକଙ୍କ କଥା ବୁଝୁଥିବା ପ୍ରଫୁଲ୍ଲ ଏବେ ତଲସରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବାକୁ ଆପଣାଇଛନ୍ତି। ନେତାରୁ ଏବେ ପୁଣି ପ୍ରଫୁଲ୍ଲ ଡାକ୍ତର ସାଜିଛନ୍ତି।

ଏମ୍‌ବିବିଏସ୍‌ ପାସ୍‌ କରିବା ପରେ ସୁନ୍ଦରଗଡ଼ ଅଞ୍ଚଳରେ ଜଣେ ଭଲ ଡାକ୍ତର ଭାବେ ନାଁ କମେଇଥିଲେ ପ୍ରଫୁଲ୍ଲ ମାଝି। ରୋଗୀଙ୍କ ସେବା କରି ସେ ଲୋକଙ୍କ ମନ ଜିଣିଥିଲେ। ୨୦୦୬ରେ ପ୍ରଫୁଲ୍ଲ ନିର୍ବାଚନ ରାଜନୀତିକୁ ଆସିଥିଲେ।

୨୦୦୬ରେ ତଲସରାରେ ହୋଇଥିବା ଉପ-ନିର୍ବାଚନରେ ପ୍ରଫୁଲ୍ଲ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ଦଳରୁ ଟିକେଟ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସେ। ସବୁଠୁ ବଡ଼ କଥା ହେଉଛି ପ୍ରଫୁଲ୍ଲ ମାଝି ହେଉଛନ୍ତି କଂଗ୍ରେସର ପାଞ୍ଚ ପାଞ୍ଚ ଥରର ବିଧାୟକ ଗଜାଧର ମାଝିଙ୍କ ଜ୍ୱାଇଁ। ଏଣୁ ଗଜାଧରଙ୍କ ଦେହାନ୍ତ ପରେ ପ୍ରଫୁଲ୍ଲ ରାଜନୀତିରେ ପ୍ରବେଶ କରିଥିଲେ।

୨୦୦୬ ଉପ-ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରଫୁଲ୍ଲ ପରେ ୨୦୦୯ ଏବଂ ୨୦୧୪ରେ ବି ଜିତିଥିଲେ। ହେଲେ ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଭବାନି ଶଙ୍କର ଭୋଇଙ୍କଠାରୁ ପରାଜିତ ହୋଇଥିଲେ।

ନିର୍ବାଚନ ହାରିବା ପରେ ପ୍ରଫୁଲ୍ଲ ତାଙ୍କର ପୁରୁଣା ବୃତ୍ତିକୁ ଆପଣାଇଛନ୍ତି। ତଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଫୁଲ୍ଲ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଚୁକ୍ତିଭିତ୍ତିକ ଡାକ୍ତର ଭାବେ ନିଯୁକ୍ତି ଦେଇଛି।

‘‘ମୁଁ ମୋ ପେଶାକୁ ଛାଡ଼ିବାକୁ ଚାହୁଁନି। ରାଜନୀତିରେ ଥିବାରୁ ଏ ଦିଗ ପ୍ରତି ମୁଁ ସମୟ ଦେଇପାରୁ ନଥିଲି। ହେଲେ ଏବେ ସମୟ ମୋ’ ପାଖରେ ଯଥେଷ୍ଟ ରହିଛି। ରୋଗୀଙ୍କ ସେବା କରୁଛି’’, କହିଛନ୍ତି ପ୍ରଫୁଲ୍ଲ ମାଝି।

Comment